ଭୁବନେଶ୍ବର: ଶିଶୁପାଳଗଡ଼ର ସଂରକ୍ଷଣ ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)କୁ ୫୬୨ ଏକର ଜମି ମିଳିବ ନାହିଁ। ପୂର୍ବରୁ ଦିଆଯାଇଥିବା ୭୭୫ ଡିସିମିଲ୍‌ ଜମିରେ ଯାହା ସଂରକ୍ଷଣ କରିବା କଥା କରିବ। ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏ ସମ୍ପର୍କରେ ଏଏସ୍‌ଆଇକୁ ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଛି।

Advertisment

ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜସ୍ବ, ସଂସ୍କୃତି, ଏଏସ୍‌ଆଇ, ବିଏମ୍‌ସି, ବିଡିଏ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ସାମିଲ ହୋଇଥିଲେ। ଏଥିରେ ଏଏସ୍‌ଆଇ ପକ୍ଷରୁ ୫୬୨ ଏକର ଜମି ହସ୍ତାନ୍ତର ପାଇଁ କରାଯାଇଥିବା ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ,ଏଏସ୍‌ଆଇର ପ୍ରସ୍ତାବିତ ୫୬୨ ଏକର ଜମି ମଧ୍ୟରୁ ୫ଟି ଗ୍ରାମରେ ବହୁ ଲୋକଙ୍କର ଘରୋଇ ଜମି ରହିଛି। ଏହାକୁ ଅଧିଗ୍ରହଣ ପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି। ଯଦି ୭୭୫ ଡିସିମିଲରୁ ଅଧିକ ଜମି ଏଏସ୍ଆଇ ଚାହୁଛି, ତେବେ ତାହାକୁ ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ଏଏସ୍‌ଆଇ ଟଙ୍କା ଦେଉ।

ଏଏସ୍‌ଆଇକୁ ରୋକ୍‌ଠୋକ୍ ଜଣାଇଦେଲେ ସରକାର
ନିଷ୍ପତ୍ତି ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଦାୟିତ୍ବ ଦେଇଥିଲେ ହାଇକୋର୍ଟ

ଏଏସ୍ଆଇ ଅଧୀକ୍ଷକ ଅରୁଣ କୁମାର ମଲ୍ଲିକ ଏଥିପାଇଁ ଅକ୍ଷମତା ପ୍ରକାଶ କରିଥିଲେ। ଏଣୁ ଏଏସ୍ଆଇ ୭୭୫ ଡିସିମିଲ ଜମିକୁ ନିଜ ଅଧୀନରେ ରଖି ସଂରକ୍ଷଣ କରୁ ବୋଲି ରାଜ୍ୟ ସରକାର ସ୍ପଷ୍ଟ ଜଣାଇଦେଇଥିଲେ। ଏ ସମ୍ପର୍କରେ ହାଇକୋର୍ଟଙ୍କ ନିକ‌ଟରେ ରାଜ୍ୟ ସରକାର ଜବାବ ରଖିବେ ବୋଲି ଜଣାପଡ଼ିଛି। କିନ୍ତୁ ଶିଶୁପାଳଗଡ଼ରେ ଚାଲିଥିବା ବେଲଗାମ ଜବରଦଖଲ ଉପରେ ସରକାରୀ ସ୍ତରରେ ରହସ୍ୟଜନକ ନୀରବତା ନେଇ ପ୍ରଶ୍ନ ଉଠିଛି। ଘରୋଇ ଜମି ଅଧିଗ୍ରହଣ ଏକ ଭିନ୍ନ ପ୍ରସଙ୍ଗ। କିନ୍ତୁ ଶିଶୁପାଳଗଡ଼ ନିକଟରେ ସରକାରୀ ଜମିକୁ ଜବରଦଖଲମୁକ୍ତ କରିବାରେ କିଏ ବାଟ ଓଗାଳୁଛି, ତାହା ବୁଝାପଡ଼ୁନି। ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ କେହି ତତ୍ପରତା ପ୍ରକାଶ କରୁନାହାନ୍ତି ବୋଲି ଅଭିଯୋଗ ହେଉଛି।

ସୂଚନାଯୋଗ୍ୟ ଯେ ଶିଶୁପାଳଗଡ଼କୁ ଜବରଦଖଲକାରୀମାନେ କବ୍‌ଜା କରିଥିବା ନେଇ ଅଭିଯୋଗ ହେବା ପରେ ଏଏସ୍‌ଆଇ ପକ୍ଷରୁ ଗତ ୨୦୨୧ମସିହା ଜୁନ୍‌ ୧୧ ତାରିଖରେ ମାପଚୁପ କରାଯାଇଥିଲା। ଏଏସ୍ଆଇର ମଣ୍ଡଳ ଅଧୀକ୍ଷକ ଅରୁଣ ମଲ୍ଲିକ, ଭୁବନେଶ୍ବର ତହସିଲଦାର, ଅତିରିକ୍ତ ତହସିଲଦାର, ଆର୍‌ଆଇ, ଅମିନ ଓ ପୁଲିସ ଉପସ୍ଥିତିରେ ଏହାର ମାପ କରାଯାଇଥିଲା। କିନ୍ତୁ ଏଏସ୍ଆଇ ନାମରେ ପଟ୍ଟା ଥିବା କେବଳ ୪ଟି ପ୍ଲଟ୍‌ର ୭୭୫ ଡିସିମିଲ ଜମିକୁ ମାପ କରାଯାଇଥିବା ବେଳେ ବାକି ୫୬୨ ଏକରକୁ ଛାଡ଼ି ଦିଆଯାଇଥିଲା। ଏଏସ୍‌ଆଇ ଓ ତହସିଲର ଏପରି କାର୍ଯ୍ୟ ଏବେ ଜବରଦଖଲକାରୀଙ୍କୁ ଉତ୍ସାହିତ କରିଛି। ଏପରିକି ଯେଉଁମାନେ ପୂର୍ବରୁ ଜବରଦଖଲ କରିଥିଲେ, ସେମାନେ ଘର ଓ ପ୍ଲଟିଂ କରି ବିକିବାକୁ ଜୋରସୋର୍‌ରେ ଲାଗି ପଡ଼ିଲେଣି। କେନ୍ଦ୍ର ସରକାରଙ୍କ ୧୯୫୦, ନଭେମ୍ବର ୧୩ର ଗେଜେଟ୍‌ ବିଜ୍ଞପ୍ତି ଅନୁସାରେ ଶିଶୁପାଳଗଡ଼ର ସଂରକ୍ଷିତ ଅଞ୍ଚଳ ୫୬୨ ଏକର ୬୮୧ ଡିସିମିଲ୍‌ ହୋଇଥିବା ବେଳେ ୧୯୮୦ରେ ,ଏଏସ୍‌ଆଇ ୭୭୫ ଡିସିମିଲ୍‌ ଜମି ଅଧିଗ୍ରହଣ କରିଥିଲା। ଏହି ଜମି ପରବର୍ତ୍ତୀ ସମୟରେ ଏଏସ୍‌ଆଇ ନାଁରେ ରେକର୍ଡଭୁକ୍ତ ହୋଇଥିଲା। ପ୍ରତ୍ନତାତ୍ତ୍ବିକ ଖନନ ପାଇଁ ଏହି ଅଞ୍ଚଳରେ ୧୭ ଏକର ୮୧୮ ଡିସିମିଲ୍‌ ଜମି ଅଧିଗ୍ରହଣ ପାଇଁ ଏଏସ୍‌ଆଇ ପ୍ରସ୍ତାବ ଦାଖଲ କରିଥିଲା। ୧୯୯୨ରେ ନୋଟିସ୍ ଜାରି କରାଯାଇଥିଲା। କିନ୍ତୁ ଏଏସ୍‌ଆଇ ଡିଜିଙ୍କ ମଞ୍ଜୁରି ନ ମିଳିବାରୁ ଏହି ଜମି ଅଧିଗ୍ରହଣ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇ ପାରି ନଥିଲା।

ମାମଲାର ବିବରଣୀରୁ ପ୍ରକାଶ ଯେ ଶିଶୁପାଳଗଡ଼ର ସୁରକ୍ଷା ପ୍ରସଙ୍ଗ ନେଇ ୨୦୦୭ରେ ଇଣ୍ଡିଆନ୍‌ ନ୍ୟାସନାଲ୍‌ ଟ୍ରଷ୍ଟ ଫର୍‌ ଆର୍ଟସ୍ ଆଣ୍ଡ୍ କଲଚର୍ ହେରିଟେଜ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଶିଶୁପାଳଗଡ଼ ଅସୁରକ୍ଷିତ ହୋଇପଡ଼ିଥିବା ବେଳେ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଜାଗା ଜବରଦଖଲ ହୋଇଛି ବୋଲି ଅଭିଯୋଗ ହୋଇଥିଲା। ମାମଲାରେ ଏଏସ୍‌ଆଇ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ଐତିହାସିକ ଶିଶୁପାଳଗଡ଼ର ସୁରକ୍ଷା ପ୍ରସଂଗରେ ବାରମ୍ବାର ଅନୁରୋଧ ପରେ ମଧ୍ୟ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ସଂରକ୍ଷିତ ଅଞ୍ଚଳର ଅଧିକାଂଶ ଜମି ଏବେ ଜବରଦଖଲରେ ରହିଛି। ‌ସେଠାରେ ବେଆଇନ ଭାବେ କୋଠାବାଡ଼ି ନିର୍ମାଣ କରାଯାଇଛି। ନିର୍ମାଣ କରାଯାଇଥିବା କୋଠାଗୁଡ଼ିକ ପାଇଁ ରାଜ୍ୟ ସରକାର ରାସ୍ତାଘାଟ, ବିଦ୍ୟୁତ, ଡ୍ରେନ୍ ଓ ଅନ୍ୟାନ୍ୟ ସୁବିଧା କରିଛନ୍ତି ବୋଲି ଏଏସ୍‌ଆଇ ଦର୍ଶାଇଥିଲା। ହାଇକୋର୍ଟ ଏହି ମାମଲାର ବିଚାର କରି ଆବଶ୍ୟକ ନିଷ୍ପତ୍ତି ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।