ଡୁମୁଡୁମା ଫେଜ୍‌-୭ ହାଉସିଂ ପ୍ରକଳ୍ପକୁ ନେଇ ବଢ଼ୁଛି ଓଏସ୍‌ଏଚ୍‌ବିର ଅଡ଼ୁଆ: ହାଉସିଂବୋର୍ଡ ଅଫିସ୍‌ ଘେରିଲେ ଇଡବ୍ଲୁଏସ୍‌ ହିତାଧିକାରୀ

ଭୁବନେଶ୍ୱର: ଡୁମୁଡୁମା ଫେଜ୍‌-୭ ହାଉସିଂ ପ୍ରକଳ୍ପକୁ ନେଇ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା (ଓଏସ୍‌ଏଚ୍‌ବି)ର ଅଡ଼ୁଆ ବଢ଼ୁଛି। ଧାର୍ଯ୍ୟ ସମୟ ମଧ୍ୟରେ ଫ୍ଲାଟ୍‌ ହସ୍ତାନ୍ତର କରି ନପାରିବାରୁ ହିତାଧିକାରୀମାନେ ବାରମ୍ବାର ଓଏସ୍‌ଏଚ୍‌ବି କାର୍ଯ୍ୟାଳୟ‌ ଆଗରେ ଧାରଣା ଦେଉଛନ୍ତି। ପୂର୍ବରୁ ଏମ୍‌ଆଇଜି, ଏଲ୍‌ଆଇଜି ହିତାଧିକାରୀମାନେ ଏକାଧିକବାର କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବା ସହ ଅଧ୍ୟକ୍ଷ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ଘେରିଥିଲେ। ତେବେ ଆଜି ଇଡବ୍ଲୁଏସ୍‌ ହିତାଧିକାରୀମାନେ ଓଏସ୍‌ଏଚ୍‌ବି କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଓଏସ୍‌ଏଚ୍‌ବି ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ଆନ୍ଦୋଳନକାରୀମାନଙ୍କୁ ଶୀଘ୍ର ଘର ମିଳିବାର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଏକାଧିକବାର ଆନ୍ଦୋଳନ କରିଛନ୍ତି ଏମ୍‌ଆଇଜି, ଏଲ୍‌ଆଇଜି ହିତାଧିକାରୀ

ଧାର୍ଯ୍ୟ ଅବଧିର ୨ ବର୍ଷ ଅତିକ୍ରାନ୍ତ ପରେ ବି ମିଳୁନି ଘର

ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ଓହରିଲେ

ଖୁବ୍‌ଶୀଘ୍ର ଆଉ ୭୯ ଫ୍ଲାଟ ନିର୍ମାଣ ହେବ

ସୂଚନାନୁଯାୟୀ, ଆୟ ଅନୁଯାୟୀ ୩ଟି ବର୍ଗରେ ଫ୍ଲାଟ୍‌ ଯଥା ଏମ୍‌ଆଇଜି, ଏଲ୍‌ଆଇଜି ଓ ଇଡବ୍ଲୁଏସ୍‌ ଘର ଯୋଗାଇଦେବା ପାଇଁ ଡୁମୁଡୁମା ଫେଜ୍‌-୭‌ରେ ଓଏସ୍‌ଏଚ୍‌ବି ଏକ ହାଉସିଂ ପ୍ରକଳ୍ପ କରିଥିଲା। ୨୦୧୫ ଡିସେମ୍ବରରେ ଏନେଇ ଓଏସ୍‌ଏଚ୍‌ବି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୯ ଜୁଲାଇ ସୁଦ୍ଧା ସମସ୍ତଙ୍କୁ ଘର ପ୍ରଦାନ କରାଯିବ ବୋଲି ସେତେବେଳେ କୁହାଯାଇଥିଲା। କିନ୍ତୁ ଧାର୍ଯ୍ୟ ଅବଧିରୁ ୨ ବର୍ଷରୁ ଊର୍ଧ୍ବ ସମୟ ବିତି ଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ଫ୍ଲାଟ୍‌ ହସ୍ତାନ୍ତର କରାଯାଇନାହିଁ। ଏପରିକି ବର୍ତ୍ତମାନ ସୁଦ୍ଧା ଏମ୍‌ଆଇଜି ଓ ଏଲ୍‌ଆଇଜି ଫ୍ଲାଟ୍‌ରେ ଲିଫ୍ଟ ସ୍ଥାପନ, ଆପାର୍ଟମେଣ୍ଟ ସହ ମୁଖ୍ୟ ରାସ୍ତା ସଂଯୋଗୀକରଣ, ରାସ୍ତା, ବଗିଚା ପାଇଁ ଜମି ସମତଳ, କାର୍‌ ପାର୍କିଂ, ଟ୍ରାନ୍ସଫର୍ମର୍‌, ଡିଜିସେଟ୍‌ ସ୍ଥାପନ, ଅଗ୍ନିନିର୍ବାପକ ଓ ଜଳ ଯୋଗାଣ ବ୍ୟବସ୍ଥା ଆଦି କାର୍ଯ୍ୟ ସଂପୂର୍ଣ୍ଣ ହୋଇନାହିଁ। ଏ ତ’ ଗଲା ଏମ୍‌ଆଇଜି ଓ ଏଲ୍‌ଆଇଜି ଫ୍ଲାଟ୍‌ କଥା।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ପ୍ରକଳ୍ପରେ ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲୁଏସ୍‌)‌‌ରେ ମୋଟ ୧୨୭ଜଣଙ୍କୁ ଘର ଦେବା ପାଇଁ ସ୍ଥିର କରାଯାଇଥିଲା। ସାଢ଼େ ୩ଶହ ବର୍ଗଫୁଟର ଘର ପାଇଁ ୭ଲକ୍ଷ ୪୩ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏଯାବତ୍‌ ମାତ୍ର ୪୮ଟି ଘରର ନିର୍ମାଣ ସରିଛି। ବାକି ୭୯ଟି ଘର ନିର୍ମାଣ ଆରମ୍ଭ ହୋଇନାହିଁ।
ଏ ସଂର୍ପକରେ ଓଏସ୍‌ଏଚ୍‌ବି ପକ୍ଷରୁ କୁହାଯାଇଛି ଯେ ଆର୍ଥିକ ଦୁର୍ବଳ ବର୍ଗଙ୍କ ମୋଟ ୧୨୭ଟି ଘର ମଧ୍ୟରୁ ୪୮ଟି ଫ୍ଲାଟର ନିର୍ମାଣ ସରିଛି। ବାକି ଫ୍ଲାଟ୍‌ର ଜମିରେ ବସ୍ତିବାସିନ୍ଦାଙ୍କ ବେଆଇନ ଅବରୋଧ ଯୋଗୁଁ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନଥିଲା। ଏନେଇ ଆଜି ଅଧ୍ୟକ୍ଷଙ୍କ ସହ ଅବରୋଧକାରୀଙ୍କ ଆଲୋଚନା ପରେ ସେମାନେ ଜାଗା ଛାଡ଼ିବା ପାଇଁ ରାଜି ହୋଇଛନ୍ତି। ସେମାନଙ୍କୁ ଡୁମୁଡୁମାରେ ଅନ୍ୟତ୍ର ଥଇଥାନ କରାଯିବା ପରେ ସେଠାରେ ବାକି ୭୯ଟି ଫ୍ଲାଟ୍‌ର ନିର୍ମାଣ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଆଜି ବିକ୍ଷୋଭକାରୀ ବୈଷ୍ଣବ ଚରଣ ସାହୁ, ଶ୍ରୀମତୀ ସୋଲେନଶ୍ରୀ ପୋଲାର, ପ୍ରଶାନ୍ତ ସାହୁ, ରସାନନ୍ଦ ପାଢ଼ୀ ପ୍ରମୁଖଙ୍କ ସହ ମୁଖ୍ୟଯନ୍ତ୍ରୀ, ସ୍କିମ୍ ଅଫିସର୍‌ମାନେ ଆଲୋଚନା କରି ସେମାନଙ୍କୁ ଶୀଘ୍ର ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର