୭ମ ବିଜୟିନୀ ସ୍ମୃତିସଭା ‘ବିଶ୍ବାସ, ଅବିଶ୍ବାସ ଓ ଅନ୍ଧବିଶ୍ବାସ’ ଲୋକାର୍ପିତ

ଭୁବନେଶ୍ବର: ବିଜୟିନୀ ସ୍ମୃତି ଟ୍ରଷ୍ଟ୍‌ ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟ ଲୋକ ପ୍ରଶାସନ (ପବ୍ଲିକ ଆଡମିନିଷ୍ଟ୍ରେସନ) ପ୍ରଫେସର ସ୍ବର୍ଗତ ବିଜୟିନୀ ମହାନ୍ତିଙ୍କ ସପ୍ତମ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ବିଜୟିନୀ ବାର୍ଷିକ ପତ୍ରିକା ‘ବିଶ୍ବାସ, ଅବିଶ୍ବାସ ଓ ଅନ୍ଧବିଶ୍ବାସ’ ଲୋକାର୍ପିତ ହୋଇଯାଇଛି। ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଥାକାର ଡ.ପୀତବାସ ରାଉତରାୟ, ଉତ୍କଳ ବିଶ୍ବବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ପ୍ରଫେସର ନାରାୟଣ ସାହୁ ଓ ଲୋକ ପ୍ରଶାସନ ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜୟିନୀଙ୍କ ସ୍ମୃତିଚାରଣ ସହ ପତ୍ରିକା ଉନ୍ମୋଚନ କରିଥିଲେ। ସ୍ମୃତି ଟ୍ରଷ୍ଟ୍‌ର ସଭାପତି ଡାକ୍ତର ଇନ୍ଦ୍ରମଣି ଜେନା କାର୍ଯ୍ୟକ୍ରମ ବାବଦରେ ପ୍ରାରମ୍ଭିକ ସୂଚନା ଦେବା ପରେ ଅତିଥିମାନେ ପତ୍ରିକାର ଶୀର୍ଷକ ଓ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ bijoyini.com ୱେବସାଇଟ୍‌ ମଧ୍ୟ ଲୋକାର୍ପିତ ହୋଇଛି। ଏହି ୱେବସାଇଟ୍‌ ଜରିଆରେ ବିଜୟିନୀ ସ୍ମୃତି ଟ୍ରଷ୍ଟ୍‌ ପକ୍ଷରୁ ୨୦୧୫ରୁ ଏଯାବତ ପ୍ରକାଶିତ ପତ୍ରିକା, ବିଜୟିନୀ ମହାନ୍ତିଙ୍କ ପ୍ରକାଶିତ ୫୮ଟି ପ୍ରବନ୍ଧ ପାଠକ ଓ ଗବେଷକମାନଙ୍କ ପାଇଁ ଉପଲବ୍ଧ ହେଉଛି ବୋଲି ଡାକ୍ତର ଜେନା କହିଛନ୍ତି। ଚଳିତ ବର୍ଷ ପ୍ରସ୍ତୁତ ପତ୍ରିକାରେ ଅନେକ ମନସ୍ତତ୍ତ୍ବବିତ୍‌, ଦାର୍ଶନିକ, ବୈଜ୍ଞାନିକମାନେ ବିଶ୍ବାସ, ଅବିଶ୍ବାସ ଓ ଅନ୍ଧବିଶ୍ବାସ ଉପରେ ୫୦ଟି ଉପାଦେୟ ଆଲେଖ୍ୟ ଭେଟି ଦେଇଛନ୍ତି। ତେବେ ଚଳିତ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇନଥିବାରୁ ବିଜୟିନୀ ସ୍ମାରକୀ ପୁରସ୍କାର ସ୍ଥଗିତ ରହିଛି।

ସମ୍ବନ୍ଧିତ ଖବର