ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଆମ୍ବୁଲାନ୍ସ ଅଭାବ ସାଙ୍ଗକୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଅଭାବ ଏକ ବିଚିତ୍ର ସ୍ଥିତି ସୃଷ୍ଟି କରିଛି। ଭିଭିଆଇପି ଡିଉଟି ପାଇଁ ଥିବା ୮ଟି ଆମ୍ବୁଲାନ୍ସ ପାଇଁ ମାତ୍ର ଜଣେ ସରକାରୀ ଡ୍ରାଇଭର ରହିଥିବା ବେଳେ ୩ଜଣ ଡେପୁଟେସନରେ ଆସି କାମ କରୁଛନ୍ତି। ବାକି ୪ ଜଣଙ୍କୁ ଟେଣ୍ଡର ନେଇଥିବା ଏକ କମ୍ପାନି ଯୋଗାଇ ଦେଉଛି। ତେଣୁ ରାଜଧାନୀରେ ଭିଭିଆଇପିମାନଙ୍କ ଚଳାଚଳ ବଢ଼ିଲେ ଜଣେ ଜଣେ ଡ୍ରାଇଭର ବିନା ବିଶ୍ରାମରେ ୨୪ ଘଣ୍ଟାରୁ ଅଧିକ ସମୟ ଆମ୍ବୁଲାନ୍ସ‌ରେ ବିତାଇବାକୁ ବାଧ୍ୟ ହେଉଥିବ‌ା ଅଭିଯୋଗ ହେଉଛି।

Advertisment

ସୂଚନାନୁସାରେ, କ୍ୟାପିଟାଲ ହସ୍ପିଟାଲରେ ଏବେ ମୋଟ୍‌ ୧୨ଟି ଆମ୍ବୁଲାନ୍ସ ରହିଛି। ସେଥିରୁ ୪ଟି ୧୦୮ ଆମ୍ବୁଲାନ୍ସ ଭାବେ କେବଳ ରୋଗୀବୁହା କାର୍ଯ୍ୟରେ ଲାଗିଥାଏ। ବାକି ୮ଟି ମୁଖ୍ୟତଃ ଭିଭିଆଇପି ଡିଉଟିରେ ନିଯୁକ୍ତ ହୁଏ ବା ସେହିସ୍ତରର ଅନ୍ୟ କାର୍ଯ୍ୟରେ ସେଗୁଡ଼ିକୁ ଲଗାଯାଏ। ଏବେ ସାଧାରଣ ନିର୍ବାଚନ ଥିବାରୁ ପ୍ରଚାର ପାଇଁ ‌ଏବେ ରାଜଧାନୀରେ ଭିଭିଆଇପିମାନଙ୍କ ଆତଯାତ ବହୁତ ବଢ଼ି ଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ଥାନୀୟ ବଡ଼ ନେତାମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଏହାସହିତ ଦିଲ୍ଲୀ ଓ ଦେଶର ବିଭିନ୍ନ ରାଜ୍ୟରୁ ବଡ଼ବଡ଼ ନେତାମାନେ ଆସି ହୋଟେଲରେ କିମ୍ବା‌ ରାଜଭବନର ଅତିଥି ଭବନରେ ରହୁଛନ୍ତି। ଏହି ନେତାମାନେ ପ୍ରଚାରକୁ ଗଲେ ସେମାନଙ୍କ କାର୍‌କେଡ୍‌ରେ ଆମ୍ବୁଲାନ୍ସ ଯାଉଛି। ଭିଭିଆଇପିମାନେ ଭୁବନେଶ୍ବରେ ଯେତେଦିନ ରହୁଛନ୍ତି, ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଏକ ଆମ୍ବୁଲାନ୍ସ ଜଗି ରହୁଛି। ସେଥିପାଇଁ କ୍ୟାପିଟାଲ ହସ୍ପିଟାଲର ଆମ୍ବୁଲାନ୍ସ ହିଁ ଯାଉଛି। କିନ୍ତୁ ଭିଭିଆଇପି ଡିଉଟି କରୁଥିବା ଏହି ୮ଟି ଆମ୍ବୁଲାନ୍ସ ପାଇଁ ଜଣେ ମାତ୍ର ସରକାରୀ ଡ୍ରାଇଭର ରହିଛନ୍ତି। ସେ ମଧ୍ୟ ଆସନ୍ତା ମା‌ସରେ ଅବସରଗ୍ରହଣ କରିବେ। ଅନ୍ୟ ୩ ଜଣ ଡେପୁଟେସନରେ ଅଛନ୍ତି। ଭିଭିଆଇପିଙ୍କ ପାଇଁ ଏହି ସ୍ବାଭାବିକ ଭାବେ ଏହି ସରକାରୀ ଡ୍ରାଇଭରମାନେ ହିଁ ଡିଉଟି କରୁଛନ୍ତି। ତେଣୁ ଏବେ ନିର୍ବାଚନ ସମୟରେ ରାଜଧାନୀରେ ଭିଭିଆଇପିଙ୍କ ଚଳାଚଳର ମାତ୍ରା ଶୀର୍ଷରେ ଥିବାରୁ ଏହି ଡ୍ରାଇଭରମାନେ ଦିନରାତି କାମ କରୁଛନ୍ତି। କିନ୍ତୁ ବେଳେବେଳେ ଏହା କରିବା ତାଙ୍କ ପାଇଁ କାଠିକର ପାଠ ହୋଇପଡ଼ୁଥିବା ଡ୍ରାଇଭରମାନେ ଅଭିଯୋଗ କରିଛନ୍ତି। ଅବଶ୍ୟ ଏ ନିର୍ବାଚନ ଓ ତା’ର ତୁରନ୍ତ ପରବର୍ତୀ ଭିଭିଆଇପି ଗସ୍ତର ମାତ୍ରା ଅଳ୍ପଦିନ ପରେ କମିଯିବ। କିନ୍ତୁ ଶୂନ୍‌ ହୋଇଯିବନି। ତେଣୁ କ୍ୟାପିଟାଲ ହସ୍ପିଟାଲର ଡ୍ରାଇଭର ସମସ୍ୟାର ତୁରନ୍ତ ସମାଧାନ କରାଯିବା ଉଚିତ ବୋଲି ଏହି ପ୍ରସଙ୍ଗ ସଂପର୍କରେ ସଚେତନ ଲୋକମାନେ ମତବ୍ୟକ୍ତ କରୁଛନ୍ତି।

ଅନ୍ୟପକ୍ଷରେ ଏବେ ଖରାଦିନ ଥିବାରୁ ଏବେ କ୍ୟାପିଟାଲ ହସ୍ପିଟାଲକୁ ରୋଗୀ ଅଧିକ ସଂଖ୍ୟାରେ ଆସୁଛନ୍ତି। ଏଥିପାଇଁ ଭରସା କେବଳ ୪ଟି ୧୦୮ ଆମ୍ବୁଲାନ୍ସ। ଅର୍ଥାତ୍‌ ରାଜଧାନୀର ପ୍ରାୟ ୨୦ ଲକ୍ଷ ସାଧାରଣ ଲୋକଙ୍କ ପାଇଁ ମ‌ାତ୍ର ୪ଟି ‌ଆମ୍ବୁଲାନ୍ସ ଅଛି। ଏବେ ଭିଭିଆଇପି ଡିଉଟିରେ ଲଗା ଯାଇଥିବା ଅନ୍ୟ ୮ଟି ଆମ୍ବୁଲାନ୍ସ ପୂର୍ବରୁ ସାଧାରଣ ଲୋକଙ୍କ କାମରେ ଆସୁଥିଲା। ମୁଖ୍ୟତଃ ରୋଗୀ ଆଣିବା ଓ କ୍ୟାପିଟାଲ ହସ୍ପିଟାଲରୁ ଏମ୍‌ସ ଓ କଟକକୁ ରୋଗୀ ରେଫର୍‌ ହେବାବେଳେ ହସ୍ପିଟାଲର ସବୁଯାକ ଆମ୍ବୁଲାନ୍ସ ନିୟୋଜିତ ହେଉଥିଲା। କିନ୍ତୁ ସେଥିମଧ୍ୟରୁ ୮ଟି ସଂପୂର୍ଣ୍ଣ ଭାବେ ଭିଭିଆଇପି ଡିଉଟି ପାଇଁ ରଖା ଯାଇଥିବାରୁ ରୋଗୀଙ୍କ ପୂରା କାମର ଭାର ୪ଟି ୧୦୮ ଆମ୍ବୁଲାନ୍ସ ଉପରେ ପଡ଼ିଛି। ତେଣୁ ଏବେ ସେହି ଗୋଟିଏ ଗୋଟିଏ ୧୦୮ ଆମ୍ବୁଲାନ୍ସ ଥରକରେ ୩-୪ ଜଣ ରୋଗୀଙ୍କୁ ଆଣୁଛନ୍ତି। କଟକ କିମ୍ବା ଏମ୍‌ସ ରେଫର ହେଉଥିବା ରୋଗୀମାନେ ଘରୋଇ ଆମ୍ବୁଲାନ୍ସ ଉପରେ ନିର୍ଭର କରୁଛନ୍ତି। ଏବାବଦରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଚରାଯିବାରୁ, ଆମ୍ବୁଲାନ୍ସ ଡ୍ରାଇଭର ଯୋଗାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖାଯାଇଥିବା କହିଛନ୍ତି।