ଭୁବନେଶ୍ବର: ନୂଆପଲ୍ଲୀ ଥାନା କେଶରୀ ଏନ୍‌କ୍ଲେଭ୍‌ ଓ ଇନ୍‌ଫୋଭ୍ୟାଲି ଥାନା କାଞ୍ଚନ ପ୍ଲାଜା ନିକଟରେ ହୋଇଥିବା ବୋମାମାଡ଼ ମାମଲାରେ କମିସନରେଟ୍‌ ପୁଲିସ ୮ଜଣଙ୍କୁ ଗିରଫ କରିଛି। ଏହି ୨ ମାମଲାର ମାଷ୍ଟରମାଇଣ୍ଡ ତଥା ଜମି ମାଫିଆ ବସନ୍ତ ମହାପାତ୍ର ସମେତ ସୁପାରି ନେଇ ଅପରାଧ ଘଟାଉଥିବା ପୁରୀ ଚନ୍ଦନପୁରର ଏକ ୭ଜଣିଆ କୁଖ୍ୟାତ ଗ୍ୟାଙ୍ଗ୍‌କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ମାଷ୍ଟର ଅର୍ଗାନାଇଜର୍‌ ପୁରୀ ଉତ୍ତରାକଣର ଦୀପକ ପ୍ରଧାନ, ଚନ୍ଦନପୁରର ଜଣାଶୁଣା ବୋମା କାରିଗର ଶଙ୍କର ମଲ୍ଲିକ, ଚନ୍ଦନପୁରର ଅକ୍ଷୟ କୁମାର ରାଉତ ଓ ଦୀପକ ରାଉତ, ବାଟମଙ୍ଗଳା ଅଞ୍ଚଳର ଅକ୍ଷୟ କୁମାର ନାୟକ, ସାକ୍ଷୀଗୋପାଳ ଥାନା ଶରଧାପୁରର ପିନାକ ପ୍ରସାଦ ଜେନା, ସତ୍ୟବାଦୀର ଚିକୁ ଛାଟୋଇ।  ସେମାନଙ୍କଠାରୁ ପୁଲିସ ୪ଟି ଜୀବନ୍ତ ବୋମା, ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ, ଗୋଟିଏ ପଲ୍‌ସର୍‌ ଓ ୨ ବୁଲେଟ୍‌ ଜବତ କରିଛି। ଆଇନ ବ୍ୟବସାୟକୁ ଢାଲ ଭାବେ ବ୍ୟବହାର କରି ଜମି କାରବାରରେ ଦଲାଲଗିରି ସହ ମାଫିଆଗିରି କରୁଥିବା ବସନ୍ତଙ୍କର ମୁଖା ଖୋଲିଦେଇଛି କମିସନରେଟ୍‌ ପୁଲିସ। ବରମୁଣ୍ଡା ଡେଲ୍‌ଟା ଛକ ରଙ୍ଗଣିସାହିରେ ରହୁଥିବା ବସନ୍ତଙ୍କ ନିଜ ଘର ଚନ୍ଦନପୁର ଅଣକିଆ। ତେଣୁ ସେ ନିଜ ଅଞ୍ଚଳର କୁଖ୍ୟାତ ଗ୍ୟାଙ୍ଗ୍‌କୁ ହାତ କରି ରାଜଧାନୀରେ ଜମି କାରବାର କରୁଥିଲେ ଏବଂ ବିଳ୍‌ଡର୍‌ମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଥିଲା। ଆଜି ପୁଲିସ କମିସନର ସଞ୍ଜୀବ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ବସନ୍ତ ବୋମାମାଡ଼ କରାଇଥିବା ନେଇ ବିବରଣୀ ଦେଇଥିଲେ।    

Advertisment

ଅଗଷ୍ଟ ୨୮ ତାରିଖ ଅପରାହ୍ଣ ୨ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଓଗାଳପଡ଼ା ମା’ ବାଟଭୁଆସୁଣୀ ବଜାର କାଞ୍ଚନ ପ୍ଲାଜା ନିକଟରେ ଦୁର୍ବୃତ୍ତମାନେ ୨ବୋମା ବିସ୍ଫୋରଣ କରି ଫେରାର୍ ହୋଇଯାଇଥିଲେ। ଏଥିରେ ପୁରୁଣା ଭୁବନେଶ୍ବରରେ ରହୁଥିବା ଓମ୍ ଏଣ୍ଟରପ୍ରାଇଜର୍ସ ମାଲିକ ପ୍ରିୟଦର୍ଶନ ଗରାବଡ଼ୁଙ୍କ କାର୍‌ କ୍ଷତିଗ୍ରସ୍ତ ହୋଇଥିଲା। କିନ୍ତୁ ସୌଭାଗ୍ୟକୁ ସେ ବର୍ତ୍ତିଯାଇଥିଲେ। କାରଣ ସେତେବେଳେ ସେ କାର୍‌ ଭିତରେ ବସିବାକୁ ଯାଉଥିଲେ ହେଁ ବୋମା କାର୍‌ ପଛରେ ଫୁଟିଥିଲା। ଏନେଇ ସେ ଇନ୍‌ଫୋଭ୍ୟାଲି ଥାନାରେ ଅଭିଯୋଗ କରିଥିଲେ। ସେହିପରି ଗଣେଶ ପୂଜା ପରଦିନ ଅର୍ଥାତ୍‌ ସେପ୍ଟେମ୍ବର ୮ ତାରିଖ ରାତି ସାଢ଼େ ୯ଟା ବେଳେ ନୂଆପଲ୍ଲୀ କେଶରୀ ଏନ୍‌କ୍ଲେଭ୍‌ ଆପାର୍ଟମେଣ୍ଟରେ ଦୁର୍ବୃତ୍ତମାନେ ୨ବୋମାମାଡ଼ କରିଥିଲେ। ଦୁର୍ବୃତ୍ତମାନେ ବିଲ୍‌ଡର ବିଶିକେଶନ ପ୍ରଧାନଙ୍କୁ ଲକ୍ଷ୍ୟ କରି ବୋମା ଫୋପାଡ଼ିଥିଲେ ହେଁ ବୋମାଦ୍ବୟ ପାଚେରିରେ ବାଜିଥିଲା। ଏନେଇ ବିଶିକେଶନ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ସମାନଧରଣର ବୋମାମାଡ଼କୁ ନେଇ ପୁଲିସ ଛାନ୍‌ଭିନ କରିଥିଲା। ଉଭୟ ବିଲ୍‌ଡର୍ସ ବିଶିକେଶନ ଓ ପ୍ରିୟଦର୍ଶନଙ୍କୁ ପଚରାଉଚରା କରିବା ପରେ ପୁଲିସକୁ ଜମି ବେପାରଜନିତ ବିବାଦ ବାବଦରେ ସୁରାକ ମିଳିଥିଲା।

ସୁପାରି ବାବଦରେ ଅଗ୍ରିମ ଲକ୍ଷେ  
ନିଜକୁ ଆଇନଜୀବୀ ବୋଲି ଦାବି କରୁଥବା ବ୍ରୋକର୍‌ ବସନ୍ତ ଜମି ଯୋଗାଇବାକୁ ବିଲ୍‌ଡର୍‌ ପ୍ରିୟଦର୍ଶନଙ୍କ ଠାରୁ ଟଙ୍କା ନେଇଥିଲେ। କିନ୍ତୁ ପ୍ରସ୍ତାବିତ ଜମିକୁ ନେଇ ବିବାଦ ଦେଖାଦେବାରୁ ବସନ୍ତକୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ ପ୍ରିୟଦର୍ଶନ। ସମାନ ବିବାଦ ସୃଷ୍ଟି ହୋଇଥିଲା ବିଲ୍‌ଡର୍‌ ବିଶିକେଶନଙ୍କ କ୍ଷେତ୍ରରେ। ମୋଟାମୋଟି ୩ କୋଟି ଟଙ୍କାର ଜମି କିଣାବିକାକୁ ନେଇ ବ୍ରୋକର୍‌ ବସନ୍ତଙ୍କୁ ଘେରିଥିଲେ ୨ ବିଲ୍‌ଡର୍‌। କିନ୍ତୁ ସେମାନଙ୍କୁ ଟଙ୍କା ନ ଫେରାଇବା ଯୋଜନାରେ ଥିଲେ ବସନ୍ତ। ତେଣୁ ସେ ଦୁଇ ବିଲ୍‌ଡର୍‌ଙ୍କୁ ରାସ୍ତାରୁ ହଟାଇବାକୁ ହତ୍ୟା ଷଡ଼୍‌ଯନ୍ତ୍ର ରଚନା କରିଥିଲେ। ତେଣୁ ସେ ଅପରାଧର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତକାରୀ ଦୀପକ ପ୍ରଧାନକୁ ଅଗ୍ରିମ ଆକାରରେ ଲକ୍ଷେ ଟଙ୍କା ଦେଇଥି‌ଲେ। କାମ ସରିବା ପରେ ଗ୍ୟାଙ୍ଗ୍‌କୁ ଏକ ଥର୍‌ ଗାଡ଼ି ଦେବାକୁ କଥା ଛିଡ଼ିଥିଲା। ସେହିଭଳି ଜଣଙ୍କର ବାହାଘର ବାବଦରେ ଖର୍ଚ୍ଚବାର୍ଚ୍ଚ କରିବାକୁ ବସନ୍ତ ରାଜି ହୋଇଥିଲେ। ସୁପାରି ବାବଦ କଥା ଛିଡ଼ିବା ପରେ ଦୀପକ ବୋମା କାରିଗର ଶଙ୍କର ଓ ଅନ୍ୟମାନଙ୍କୁ ଏକାଠି କରିଥିଲା। ବୋମାମାଡ଼ ପୂର୍ବରୁ ଦୀପକ ଘଟଣାସ୍ଥଳରେ ଛକି ରହି ବୋମା ଫୋପାଡ଼ିବାରେ ମାଷ୍ଟର ଚିକୁ ଓ ପିନାକକୁ ଫୋନ୍ କରି ସବୁ କଥା ଜଣାଉଥିଲା। ଏହି ଗ୍ୟାଙ୍ଗ୍‌ର ସମସ୍ତଙ୍କ ନାଁରେ ପୁରୀ, ଚନ୍ଦନପୁର, ସାକ୍ଷୀଗୋପାଳ, ବଳଙ୍ଗା, ବ୍ରହ୍ମଗିରି ଓ କଣାସ ଆଦି ଥାନାରେ ସଂଗିନ୍‌ ମାମଲା ରହିଛି।