କୁଖ୍ୟାତ ଆବିଦ୍‌ ଗ୍ୟାଙ୍ଗ୍‌ର ୮ ଗିରଫ: ୮ ଚେନ୍‌, ୨୬ ସ୍ମାର୍ଟ ଫୋନ୍‌, ୫ ବାଇକ୍‌ ଜବତ

ଭୁବନେଶ୍ବର: କୁଖ୍ୟାତ ଲୁଟେରା ଆବିଦ୍‌ ଗ୍ୟାଙ୍ଗ୍‌କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଏହି ଗ୍ୟାଙ୍ଗ୍‌ର ୮ଜଣଙ୍କୁ ପୁଲିସ୍‌ ଗିରଫ କରିବା ସହ ସେମାନଙ୍କଠାରୁ ବହୁ ଚୋରା ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଗଂଜାମ ଧଳପୁରର ରାଜା ଜିତେନ୍ଦ୍ର ପ୍ରଧାନ(୧୯), ଛତ୍ରପୁର ତରୁପୋଇର ରାବଣ ବିଶ୍ବଜିତ୍ ଦାସ(୨୦), ମୟୂରଭଞ୍ଜ ସିରକୋଲିର କାଶିଆ ଓରଫ୍ କାଶିନାଥ ପାତ୍ର(୨୦), ଖୋର୍ଦ୍ଧା ଭୂଷଣ୍ଡପୁରର ଅଜୟ କୁମାର ମୁଣ୍ଡାଳ(୨୨) ଓ ସଂଜୟ ଦାସ(୨୨), ବିହାର ଲଖିସାରଙ୍ଗ ସୂରଜଗଡ଼ର ଚିଣ୍ଟୁ ଧର୍ମେନ୍ଦ୍ର କୁମାର(୧୮), ଗଂଜାମ ପଙ୍କଳାବାଡ଼ିର ମିଥୁନ ସମୁଦ୍ର(୨୪)। ପୁଲିସ ସେମାନଙ୍କ ପାଖରୁ ପ୍ରାୟ ୮ଟି ସୁନାଚେନ୍(୪୫ ଗ୍ରାମ), ୨୬ଟି ସ୍ମାର୍ଟ ଫୋନ୍, ୫ଟି ବାଇକ୍ ଜବତ କରିଛି।

ଏହି ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ୍ ଆବିଦ୍‌ ଯଦୁପୁର ଅଞ୍ଚଳର ମୂଳବାସିନ୍ଦା। ସେ ସାଲିଆସାହି ଏକାମ୍ରବିହାର ଅଞ୍ଚଳରେ ରହି ଗ୍ୟାଙ୍ଗ୍‌ ଗଢ଼ିଥିଲା। ତା’ ଗ୍ୟାଙ୍ଗ୍‌ରେ ଗଞ୍ଜାମ ସମେତ ଅଣଓଡ଼ିଆ ଲୁଟେରାମାନେ ସାମିଲ୍‌ ଥିଲେ। ସେମାନେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଛିନ୍‌ତାଇ କରିବା ସହ ବାଇକ୍‌ ଲୁଟ୍‌ କରୁଥିଲେ। ପ୍ରଥମେ ସେମାନେ ରାଜଧାନୀରେ ବୁଲିବୁଲି ନିୟମିତ ଏକାକୀ ଯାତାୟାତ କରୁଥିବା ମହିଳା ଓ ଯୁବତୀମାନଙ୍କୁ ଟାର୍ଗେଟ୍‌ କରୁଥିଲେ ଓ ତାଙ୍କୁ ଲୁଟିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। କିଛି ନ ମିଳିବା ଦିନ ମୋବାଇଲ୍‌ ଛଡ଼ାଇବା କିମ୍ବା ବାଇକ୍‌ ଉଠାଇବା ପାଇଁ ବାହାରି ପଡ଼ୁଥିଲେ। କମିସନରେଟ୍‌ ପୁଲିସ ପାଇଁ ଏହି ଗ୍ୟାଙ୍ଗ୍‌କୁ ଠାବ କରିବା ଏକ ଚ୍ୟାଲେଞ୍ଜ୍ ଥିଲା। ତେଣୁ ଆଇଆଇସି ଶରତ ସାହୁ ଏହି ଗ୍ୟାଙ୍ଗ୍‌କୁ ଗିରଫ କରିବା ପାଇଁ ସ୍ବତନ୍ତ୍ର ଯୋଜନା କରିଥିଲେ। ଗତ ବିଳମ୍ବିତ ରାତିରେ ସେମାନଙ୍କ ଆଡ଼ା ଉପରେ ଚଢ଼ଉ କରି ସେମାନଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର