ମଇଦାନ ଛାଡ଼ିଲେ ୮: ୱାର୍ଡ ନଂ. ୭, ୧୧ରେ ଚିତ୍ର ଅସ୍ପଷ୍ଟ

୨୨ ନଂ. ଓ୍ୱାର୍ଡରେ ବିଜେଡିକୁ ଆଶ୍ବସ୍ତି

ଭୁବନେଶ୍ବର: ପୌର ନିର୍ବାଚନ ପ୍ରକ୍ରିୟାରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଗତକାଲି ଠାରୁ ଆରମ୍ଭ ହୋଇଯାଇଛି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରକ୍ରିୟାରେ ଆଜି ୮ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଓହ୍ଲାଇବା ପୂର୍ବରୁ ଓହରି ଯାଇଛନ୍ତି। କଂଗ୍ରେସରୁ ଦଳୀୟ ଟିକେଟ୍‌ରେ ୧୯ ନମ୍ବର ୱାର୍ଡ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ଜ୍ୟୋତ୍ସ୍ନାରାଣୀ ରାଉତରାୟଙ୍କ ସମେତ ୨୯ରୁ ପୂର୍ବତନ ବିଜେଡି କର୍ପୋରେଟର ଶେଖ୍‌ ନିଜାମୁଦ୍ଦିନ, ୭ରୁ ଦୁଇଜଣ ସ୍ବାଧୀନ ପ୍ରାର୍ଥୀ ସୁଶୀଲ କୁମାର ପଣ୍ଡା ଓ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ୧୧ରୁ ସ୍ମରଣିକା ମହାନ୍ତି, ୨୫ରୁ ଅକ୍ଷୟ କୁମାର ବାରିକ, ୪୮ରୁ ଜ୍ୟୋତିର୍ମୟୀ ସାହୁ ଓ ୨୨ରୁ ଦ୍ରୌପଦୀ ମଣିସିଂହ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି।

୭ ନମ୍ବର ୱାର୍ଡରୁ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀ ଓହରିଯିବା ପରେ ସେଠାରେ ଆଉ ୬ ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି। ବିଜେଡିରୁ ମାନସ କୁମାର ଦାସ, କଂଗ୍ରେସରୁ ମନୋଜ କୁମାର ମହାପାତ୍ର, ବି‌ଜେପିରୁ ଯଶୋଧାରା ପ୍ରଧାନ ପ୍ରାର୍ଥୀ ହୋଇଥିବା ବେଳେ ଆଉ ତିନିଜଣ ସ୍ବର୍ଣ୍ଣପ୍ରଭା ରାୟ, ଲୋକନାଥ ବେହେରା ଓ ଇଶ୍ବରଚନ୍ଦ୍ର ସ୍ବାଇଁ ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବଡ଼କଥା ହେଉଛି ଏଠାରେ ସ୍ବର୍ଣ୍ଣପ୍ରଭ‌ା ରାୟ ଗତ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ଏବଂ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କୁ ଅଧିକ ଭୋଟ୍‌ ବ୍ୟବଧାନରେ ପରାଜିତ ମଧ୍ୟ କରିଥିଲେ। ଏବେ ତାଙ୍କୁ ଟିକେଟ୍‌ ନ ମିଳିବାରୁ ସେ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି।

୫ ବର୍ଷ ଧରି କର୍ପୋରେଟର ଥିବାରୁ ତାଙ୍କର ମଧ୍ୟ ବ୍ୟକ୍ତିଗତ ଭୋଟ୍‌ ରହିଛି। ତାଙ୍କର ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ବିଜେଡି ପକ୍ଷରୁ ଦୁଇ ଦିନ ଧରି ଉଦ୍ୟମ ହୋଇଥିଲେ ସମ୍ଭବ ହୋଇନାହିଁ। ତେବେ ୧୪ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟାହାର ସମୟ ରହିଥିବାରୁ ଅବଧି ଶେଷ ପରେ ହିଁ ଏଠାରେ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଉଛି।

୧୧ ନମ୍ବରରେ ମଧ୍ୟ ସମାନ ଚିତ୍ର ରହିଛି। ଏଠାରୁ ସ୍ବାଧୀନ ପ୍ରାର୍ଥୀ ସ୍ମରଣିକା ମହାନ୍ତି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। କିନ୍ତୁ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରଶ୍ମିତା ମହାନ୍ତି ଏ ଯାଏ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନାହାନ୍ତି। ରଶ୍ମିତା ପୂର୍ବରୁ ଏଠାରେ ବିଜେଡିରୁ ଦଳୀୟ ଟିକେଟ୍‌ ପାଇ କର୍ପୋରେଟର ହୋଇଥିଲେ। ହେଲେ ଏଥର ତାଙ୍କୁ ଟିକେଟ୍‌ ନ ମିଳିବାରୁ ସେ ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏଣୁ ସେ ବିଜେଡି ପାଇଁ କଣ୍ଟା ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

ଏଠାରେ କଂ‌ଗ୍ରେସ ପ୍ରାର୍ଥୀ ଦେଇନାହିଁ। ୨୫ ନମ୍ବର ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ଅକ୍ଷୟ ଓହରିଯିବା କରିବା ପରେ ଏଠାରେ ତିନି ପ୍ରମୁଖ ଦଳ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଛି। ୪୮ ନମ୍ବର ୱାର୍ଡରୁ ଜ୍ୟୋତିର୍ମୟୀ ସାହୁ ପ୍ରତ୍ୟାହାର କରିବା ପରେ ତିନିପ୍ରମୁଖ ଦଳଙ୍କ ସହ ଆଉ ଜଣେ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ୨୨ ନମ୍ବର ୱାର୍ଡରେ ବିଜେଡିକୁ ଆଶ୍ବସ୍ତି ମିଳିଛି। ବିଦ୍ରୋହୀ ପ୍ରାର୍ଥୀ ଭାବରେ ନାମାଙ୍କନ ଭରିଥିବା ଦ୍ରୌପଦୀ ମଣିସିଂହ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ ଏଠାରେ ବିଜେଡି ଓ ବିଜେପି ଦ୍ବିମୁଖୀ ଲଢ଼େଇ ହେବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର