ଭୁବନେଶ୍ବର: ଶୁକ୍ରବାର ରାତି ପ୍ରାୟ ୧୨ଟା ୪୫ ମିନିଟ। ଫନି ପ୍ରଭାବରେ ବିନା ଲାଇନ୍ ବିନା ପାଣିରେ ଛଟପଟ ହେଉଥିବା ରାଜଧାନୀବାସୀ ଲାଇନ୍ ଆସିବା ପରେ ଶାନ୍ତିରେ ଶୋଇଥିବା ବେଳେ ରସୁଲଗଡ଼ ଜିଜିପି କଲୋନିରେ ଥିବା ହେରିଟେଜ୍ ପ୍ରପର୍ଟିଜ୍ ବିଲ୍ଡିଂ ପାର୍କିଂରୁ ହୁତ ହୁତ ହୋଇ ଜଳିଥିଲା ନିଆଁ। ପ୍ରଥମେ ପାଖ ଘର ଲୋକ ଦେଖି ପାଟି କରିବା ପରେ ଆପାର୍ଟମେଣ୍ଟର ଲୋକେ ତଳକୁ ଆସିଥିଲେ। ସେଠାରେ ପାଖାପାଖି ୫ଶହରୁ ଊର୍ଧ୍ବ ଲୋକ ଜମା ହୋଇ ଯାଇଥିଲେ। ପାର୍କିଂରେ ଥିବା ଏକ ଚାରି ଚକିଆ ଯାନ ଜଳୁଥିଲା। ଗାଡ଼ିର ମାଲିକ ଦଉଡ଼ି ଯାଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ହେଲେ ପାଖରେ ଥିବା ଏକ ଗ୍ୟାସ୍ ସିଲିଣ୍ଡରରୁ ମଧ୍ୟ ନିଆଁ ବାହାରୁଥିଲା। ଫାଟିବା ଭୟରେ ଗାଡ଼ି ମାଲିକ ଗାଡ଼ି ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲେ। ନିଜ ଆଖି ଆଗରେ ଗାଡ଼ି ଜଳିଯାଉଥିଲା। ସେ ଅଗ୍ନିଶମ ସେବା ସଂସ୍ଥାକୁ ଖବର ଦେଇଥିଲେ। ଇତିମଧ୍ୟରେ ପାଖରେ ଥିବା ଆଉ ଏକ ଚାରି ଚକିଆ ଯାନକୁ ନିଆଁ ଧରିଥିଲା। ତାହା ମଧ୍ୟ ହୁତ୍ ହୁତ୍ ହୋଇ ଜଳିବା ଆରମ୍ଭ କରିଥିଲା। ଗୋଟିଏ ପରେ ଗୋଟିଏ ଗାଡ଼ିକୁ ନିଆଁ ଡେଇଁବା ଆରମ୍ଭ କରିଥିଲା। ଆପାର୍ଟମେଣ୍ଟର ସମସ୍ତ ବାସିନ୍ଦା ଘର ଛାଡ଼ ଦଉଡ଼ିବା ସହ ଆଖପାଖର ଲୋକ ମଧ୍ୟ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ। ୧୫ରୁ ୨୦ ମିନିଟ ଭିତରେ ଦୁଇଟି କାର୍ ଓ ୬ଟି ବାଇକ୍ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପାଖରେ ଥିବା ଅନ୍ୟ ଗାଡ଼ିଗୁଡ଼ିକୁ ଲୋକେ ବାହାରକୁ ବାହାର କରିଦେଇଥିଲେ। କିନ୍ତୁ ପାଖରେ ଥିବା କେତେକ ଗାଡ଼ିର କିଛି ଅଂଶ ଜଳିଯିବା ସହ ବିଦ୍ୟୁତ ୱେୟାରିଂ ମଧ୍ୟ ଜଳି ଯାଇଥିଲା। ଆପାର୍ଟମେଣ୍ଟ ଛାତ ପ୍ରବଳ ତାତି ଯାଇଥିବାରୁ କେତେକ ବାସିନ୍ଦା ସାରା ରାତି ବାହାରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍ ଓ ପ୍ରାଥମିକ ତଦନ୍ତରୁ କିଏ ନିଆଁ ଲଗାଇଛି ତାହା ସ୍ପଷ୍ଟ ହୋଇଛି। ଖୁବ୍ଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି। ଅପରପକ୍ଷରେ ଗତକାଲି ଡ୍ୟୁଟିରେ ଥିବା ସୁରକ୍ଷା କର୍ମୀ ଫେରାର ରହିଛି। ସେ ହିଁ ନିଆଁ ଲଗାଇଥିବା ନେଇ ସିସିଟିଭି ଫୁଟେଜ୍ରୁ ସ୍ପଷ୍ଟ ହୋଇଛି। ତାକୁ ଖୋଜା ଚାଲିଛି। ସେ ଧରାପଡ଼ିବା ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି।
ପୁଲିସ ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଏହି ଆପାର୍ଟମେଣ୍ଟରେ ରହୁଥିବା ଚିତ୍ତରଞ୍ଜନ ଦାସ ଆପାର୍ଟମେଣ୍ଟକୁ ଫେରିଥିଲେ। ସେ କାର୍ ଧରି ବାହାରେ ହର୍ଣ୍ଣ ମାରି ଚାଲିଥିଲେ ମଧ୍ୟ ସିକ୍ୟୁରିଟି ଗାର୍ଡ ଗେଟ୍ ଖୋଲିନଥିଲା। ଶେଷରେ ତାଙ୍କ ପୁଅ ପାଚେରି ଡେଇଁ ସୁରକ୍ଷାକର୍ମୀଙ୍କ ପାଖରେ ପହଞ୍ଚି ଗେଟ୍ ଖୋଲିବାକୁ କହିଥିଲେ। ହେଲେ ବିଳମ୍ବରେ ଆସିଥିବାରୁ ସେ ଗେଟ୍ ଖୋଲିବ ନାହିଁ ବୋଲି ରୋକ୍ଠୋକ୍ ଶୁଣାଇ ଦେଇଥିଲା। ଫଳରେ ଚିତ୍ତରଞ୍ଜନଙ୍କ ପୁଅଙ୍କ ସହ ସୁରକ୍ଷାକର୍ମୀଙ୍କ ଯୁକ୍ତିତର୍କ ହୋଇଥିଲା। ଫଳରେ ସେଠାରେ ତୁମ୍ବି ତୋଫାନ ହୋଇଥିଲା। ସୁରକ୍ଷାକର୍ମୀ ମଦ୍ୟ ପାନ କରିଥିଲା ବୋଲି ଚିତ୍ତରଞ୍ଜନ ଜାଣି ପାରିଥିଲେ। ‘ଗେଟ୍ ନ ଖୋଲିବୁ ଯଦି ଚାକିରି ଛାଡ଼ିଦେ’ ବୋଲି ଚିତ୍ତରଞ୍ଜନ କହିଥିଲେ। ପ୍ରାୟ ୧୫ରୁ ୨୦ ମିନିଟ ପରେ ସେ ଗେଟ୍ ଖୋଲିଥିଲା। କାର୍ ରଖି ସେ ତାଙ୍କ ପ୍ଲାଟକୁ ଯାଇଥିଲେ। ୨୫ ମିନିଟ୍ ପରେ ଚିତ୍ତରଞ୍ଜନଙ୍କ କାର୍ ଜଳିବା ଆରମ୍ଭ କରିଥିଲା। ଗ୍ୟାସ୍ ସିଲିଣ୍ଡରକୁ ନିଆଁ ଲଗାଇ ଚିତ୍ତରଞ୍ଜନଙ୍କ ଗାଡ଼ି ତଳେ ଛାଡ଼ି ଦିଆଯାଇଥିଲା।