ଭୁବନେଶ୍ବର: ସରିଛି ରାଜଧାନୀର ସର୍ବ ଜନାଦୃତ ମେଳା ‘ଆଦିବାସୀ ମେଳା’। ରାଜଧାନୀର ଚାକଚକ୍ୟ ପରିବେଶ ମଧ୍ୟରେ ଜନଜାତିଙ୍କ ଘର ଓ ଜଙ୍ଗଲଜାତ ଜିନିଷ କିଣିବା ପାଇଁ ଯେ ଲୋକେ ବର୍ଷେ ପର୍ଯ୍ୟନ୍ତ ଉତ୍ସୁକତାର ସହ ଅପେକ୍ଷା କରି ରହିଥାଆନ୍ତି ତାହା ଆଜି ପ୍ରମାଣିତ କରୁଥିଲା ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ‘ଆଦିବାସୀ ମେଳା’ର ଶେଷଦିନ। ୧୫ ଦିନ କାଳ ସହରବାସୀଙ୍କୁ ମାୟା ଲଗାଇଥିବା ଏହି ମେଳାରେ ଆଜି ଏତେ ସମାଗମ ହୋଇଥିଲା ଯେ, ୪ ନମ୍ବର ପାଖରୁ ଓ ସେପଟେ ରାମମନ୍ଦିର ପାଖରୁ ରାସ୍ତାକୁ ପୁଲିସ୍ ସିଲ୍ କରିଥିଲା। ସେଇବାଟ ଦେଇ କୌଣସି ଗାଡ଼ି ମୋଟର ଯିବା ଆସିବା ବାରଣ କରାଯାଇଥିଲା।
ମେଳାରେ ୨୪ଟି ଆଦିମ ଜନଜାତି ଘର ଦେଖିବାକୁ ମିଳିଥିବା ବେଳେ ଏହି ଘର ସାମ୍ନାରେ ଫଟୋ ଉଠାଇବା ପାଇଁ ପ୍ରତିଯୋଗିତା ଚାଲିଥିଲା। ବିଶେଷକରି ଜନଜାତିଙ୍କ ଜୀବନଶୈଳୀକୁ ସହରର ଚାକଚକ୍ୟ ଭିତରେ ବଢ଼ୁଥିବା କୁନିକୁନି ପିଲାମାନେ ବେଶ୍ ଉତ୍ସୁକତାର ସହ ଦେଖୁଥିଲେ। ୨୬୨ଟି ଜନଜାତି ଦ୍ରବ୍ୟ ବିକ୍ରୟ ଷ୍ଟଲ୍ ଖୋଲିଥିବା ବେଳେ କୌଣସି ଷ୍ଟଲ୍ରେ ବ୍ୟବସାୟୀଙ୍କୁ ଫୁରସତ ନଥିଲା। କନ୍ଧମାଳ ହଳଦୀଠୁ ନେଇ ଝୁଣା, ଝାଡ଼ୁ, ବାଉଁଶ କାରିଗରୀ ଓ ବିଭିନ୍ନ ଜଙ୍ଗଲଜାତ ଖାଣ୍ଟି ଦରବ କିଣିବାକୁ ପ୍ରବଳ ଭିଡ଼ ଲାଗିଥିଲା। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳାରେ ମୋଟ୍ ୮ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା। ଆହୁରି ଆକର୍ଷଣ ସାଜିଥିଲା ଆଦିବାସୀ ମେଳାର ‘ଖାଦ୍ୟ ପ୍ରାଙ୍ଗଣ’। ଏଥିରେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସମେତ ବହୁ ବାଉଁଶ ପୋଡ଼ା ମଟନ, ମାଛ, ମୟୂରଭଂଜର ମୁଢ଼ି ମାଂସ ବ୍ୟତୀତ ଆସାମ, ସିକିମ, ଗୁଜୁରାଟରୁ ଆସିଥିବା ଆଞ୍ଚଳିକ ଖାଦ୍ୟ ଖାଇବା ପାଇଁ ଖାଦ୍ୟ ପ୍ରାଙ୍ଗଣ ଭରପୂର ହୋଇଯାଇଥିଲା।
ଜୁଆଙ୍ଗ ଘରକୁ ଶ୍ରେଷ୍ଠ ପୁରସ୍କାର
ଆଦିବାସୀ ମେଳା ମଧ୍ୟରେ ମୋଟ୍ ୨୪ଟି ଜନଜାତି ଘର ପ୍ରଦର୍ଶିତ ହୋଇଥିବା ବେଳେ ସେଥିମଧ୍ୟରୁ କେନ୍ଦୁଝର ଆଇଟିଡିଏ ପକ୍ଷରୁ ପ୍ରସ୍ତୁତ ଜୁଆଙ୍ଗଙ୍କ ମନ୍ଦା ଘର (ପିଭିଟିଜି ହାଉସିଂ ପାଟର୍ନ)ରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏଥିସହ ରାୟଗଡ଼ା ଆଇଡିଡିଏ ଦ୍ବାରା ପ୍ରସ୍ତୁତ ଡୋଙ୍ଗରିଆ କନ୍ଧ ଘର ଦ୍ବିତୀୟ ଓ କନ୍ଧମାଳ ବାଲିଗୁଡ଼ା ଆଇଟିଡିଏ ଦ୍ବାରା ପ୍ରସ୍ତୁତ କୁଟିଆ କନ୍ଧ ଘର ତୃତୀୟ ସ୍ଥାନ ଅଧିକାର କରିଥିଲା। ଜନଜାତି ଘର ଭାବେ କୋରାପୁଟ ଆଇଟିଡିଏ ପ୍ରସ୍ତୁତ ଗଡ଼ମରା ଘର ପ୍ରଥମ, ସମ୍ବଲପୁର କୁଚିଣ୍ଡା ଆଇଟିଡିଏ ପ୍ରସ୍ତୁତ କିସାନ ଘର ଓ ସୁନ୍ଦରଗଡ଼ ବଣାଇ ଆଇଟିଡିଏ ପ୍ରସ୍ତୁତ ଓରାଓଁ ଘରକୁ ମିଳିତ ଦ୍ବିତୀୟ ଏବଂ ମୟୂରଭଂଜ କପ୍ତିପଦା ଆଇଟିଡିଏର ବାଥୁଡ଼ି ଘରକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ସରକାରୀ ଷ୍ଟଲ ଭାବେ ଓଡ଼ିଶା ପର୍ଯ୍ୟଟନ ବିଭାଗକୁ ପ୍ରଥମ, ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଦ୍ବିତୀୟ ଓ ଟ୍ରାଇବ ଇଣ୍ଡିଆକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। କଳା ଓ ସ୍ଥାପତ୍ୟ ପ୍ରଦର୍ଶନରେ ବାଲେଶ୍ବର ନୀଳଗିରି ଆଇଟିଡିଏର ପତ୍ର ହସ୍ତଶିଳ୍ପ, ବରଗଡ଼ର କୁଲିସ୍ ଲୁମ୍ ଓ ମୟୂରଭଂଜ କରଞ୍ଜିଆ ଆଇଟିଡିଏର ପଥର ଖୋଦେଇ କାମକୁ ଯଥାକ୍ରମେ ପ୍ରଥମରୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥଇଲା। ବିଭାଗୀୟ ପ୍ରମୁଖ ଶାସନ ସଚିବ ରଂଜନା ଚୋପ୍ରା, ନିର୍ଦେଶକ ସଚିନ୍ ଆର. ଯାଦବ, ସଦସ୍ୟ ସଚିବ ଡ.ଅଖିଳ ବିହାରୀ ଓତା ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/65dg4jdg65j4g98dj7d98g7jd89gj798dgjgdjdgjdgjdgdgdgdgdgdgdgdgdgdgdgdgdgdgdgdgdg.jpg)