ବାଲିପାଟଣା : ପ୍ରସୂତିଙ୍କ ସମେତ ୨ ମହିଳା କରୋନା ପଜିଟିଭ୍‌

ବାଲିପାଟଣାରେ ମୋଟ ୮ ଆକ୍ରାନ୍ତ, ସଙ୍ଗରୋଧ କେନ୍ଦ୍ରରୁ କରୋନା ଆକ୍ରାନ୍ତ ଚିହ୍ନଟ

ବାଲିପାଟଣା : ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣେ ପ୍ରସୂତି ଓ ସ୍ବାମୀଙ୍କୁ ହସ୍ପିଟାଲରେ ଦେଖାଶୁଣା କରୁଥିବା ଅନ୍ୟ ଜଣେ ମହିଳା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ମହିଳାଙ୍କ ପାଇଁ ବାଲିପାଟଣାରେ କରୋନା ଆତଙ୍କ ଖେଳି ଯାଇଛି। ପୂର୍ବରୁ ଏହି ବ୍ଲକରେ ମୋଟ୍ ୬ ଜଣ କରୋନା ପଜିଟିଭି ଚିହ୍ନଟ ହୋଇଥିଲେ। ତେଣୁ ଏହି ଦୁଇ ମହିଳାଙ୍କୁ ମିଶାଇଲେ ବ୍ଲକରେ କରୋନା ପଜିଟିଭ୍‌ ସଂଖା ୮ରେ ପହଞ୍ଚିଛି। ଆଜି ଉକ୍ତ ଦୁଇ ଗାଁକୁ ସାନିଟାଇଜ୍ କରାଯାଇଛି। ତେବେ ମହିଳାଦ୍ବୟଙ୍କ ସମ୍ପର୍କୀୟମାନଙ୍କୁ ହୋମ୍‌ କ୍ବାରାଣ୍ଟିନ୍‌ରେ ରହିବାକୁ କୁହାଯାଇଛି ଓ ଆସନ୍ତାକାଲି ସେମାନଙ୍କର ସ୍ବାବ୍ ନମୁନା ସଂଗ୍ରହ କରାଯିବ ବୋଲି ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଗତ ମଙ୍ଗଳବାର ଜଣେ ମହିଳା ପ୍ରସବକାଳୀନ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ରାଜଧାନୀର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ସେହି ଦିନଠାରୁ ସେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ସେ କରୋନା ପଜିଟିଭ୍‌ ବୋଲି ଗତକାଲି ତାଙ୍କ ସ୍ବାବ୍‌ ଟେଷ୍ଟ ରିପୋର୍ଟରୁ ଜଣାପଡିଥିଲା। ତେଣୁ ତୁରନ୍ତ ସେ ଅଂଚଳର ଆଶାକର୍ମୀଙ୍କ ଦ୍ବାରା ଉକ୍ତ ଗ୍ରାମକୁ ସଚେତନ କରି ଦିଆଯାଇଥିଲା। ମେଡିକାଲରେ କେଉଁ କେଉଁ ସମ୍ପର୍କୀୟମାନେ ତାଙ୍କ ପାଖକୁ ଯିବା ଆସିବା କରୁଥିଲେ, ଆଶାକର୍ମୀ ତାହାର ତାଲିକା କରିଛନ୍ତି ଓ ସେମାନଙ୍କୁ ଗୃହ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ସେହିପରି ଅନ୍ୟ ମହିଳା ଜଣକ କଟକର ସରକାରୀ ମେଡିକାଲରେ ଚିକିତ୍ସାଧୀନ ସ୍ବାମୀଙ୍କ ପାଖରେ ରହୁଥିଲେ। ଗତ ଗୁରୁବାର ରାତିରେ ସେ କରୋନା ପଜିଟିଭ୍‌ ବୋଲି ଜଣାପଡିଥିଲା। ତାଙ୍କ ପରିବାର ଲୋକ ଓ ଅନ୍ୟ ଜଣେ ଯୁବକ ଗତ ୮/୧୦ ଦିନ ହେଲା ତାଙ୍କ ପାଖକୁ ଯାଉଥିବା ଜଣାପଡ଼ିଛି। ପ୍ରଶାସନ ତରଫରୁ ତାଙ୍କ ପରିବାର ଲୋକଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ କୁହାଯାଇଛି।

ସଙ୍ଗରୋଧ କେନ୍ଦ୍ରରୁ କରୋନା ଆକ୍ରାନ୍ତ ଚିହ୍ନଟ
ବାଲିଅନ୍ତା : ବାଳକାଟି ପ୍ରତାପଶାସନ ପଞ୍ଚାୟତ ସଂଗରୋଧ କେନ୍ଦ୍ରରୁ ଆଜି ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ୨୩ ବର୍ଷୀୟ ଏହି ଆକ୍ରାନ୍ତ ଯୁବତୀଙ୍କ ଘର ଭିଙ୍ଗାରପୁର ଅଞ୍ଚଳରେ। ସେ ବେଙ୍ଗାଲୁର୍‌‌ରେ ‌ଏକ ବ୍ୟବସାୟିକ ସଂସ୍ଥାରେ ସେଲ୍‌ସମ୍ୟାନ୍‌ଭାବେ କାମ କରୁଥିଲେ। କରୋନା କଟକଣା ତାଲାବନ୍ଦ କୋହଳ ହେବା ପରେ ସେ ଗତ ୩୦ ତାରିଖରେ ବାଲିଅନ୍ତା ଭିଙ୍ଗାରପୁର ଅଞ୍ଚଳରେ ଥିବା ତାଙ୍କ ଘରକୁ ଫେରିଥିଲେ। ତେଣୁ ନିୟମାନୁସାରେ ତାଙ୍କୁ ସେହିଦିନଠାରୁ ପ୍ରତାପଶାସନ ସଂଗରୋଧ କେନ୍ଦ୍ରରେ ରଖାଯାଇଥିଲା। ତାଙ୍କଠାରୁ ସଂଗ୍ରହ କରାଯାଇଥିବା ସ୍ବାବ୍‌ ନମୁନାର ଟେଷ୍ଟ ରିପୋର୍ଟରୁ ସେ ସଂକ୍ରମିତ ବୋଲି ଆଜି ଜଣାପଡ଼ିଛି। ତେଣୁ ତାଙ୍କୁ ଆସନ୍ତା କାଲି କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ଲାଗି ପ୍ରଶାସନ ଓ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର