ଭୁବନେଶ୍ବର: ଲୋକଙ୍କୁ ସଚେତନ କରିବାଲାଗି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିଲେ ହେଁ ସମାନ୍ତରାଳ ଭାବେ ସାଇବର ଠକେଇ ବଢ଼ିଚାଲିଛି। ଚଳିତ ବର୍ଷ ଜୁଲାଇ ପର୍ଯ୍ୟନ୍ତ ଭୁବନେଶ୍ବରରୁ ସାଇବର ଠକମାନେ ୪୫ କୋଟି ଟଙ୍କା ଲୁଟି ନେଇଥିଲେ। ତେଣୁ ଏଇ ଗୋଟିଏ ସହରରୁ ହିଁ ମାସିକ ହାରାହାରି ୬ କୋଟି ଟଙ୍କା ସାଇବର ଲୁଟ୍ ହୋଇଥିଲା। ଠକେଇ ବଢ଼ିବା ଦେଖି କମିସନରେଟ୍ ପୁଲିସଠାରୁ ଆରମ୍ଭ କରି ବିଭିନ୍ନ ମାଧ୍ୟମରେ ସାଇବର ଠକେଇ ଉପରେ ବହୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଲା। ମାତ୍ର ଠକେଇ କମିବା ପରିବର୍ତ୍ତେ ବଢ଼ିଛି। କେବଳ ଅଗଷ୍ଟରେ ରାଜଧାନୀରୁ ସାଇବର ଲୁଟେରାମାନେ ୮ କୋଟି ଟଙ୍କାରୁ ଅଧିକ ଲୁଟି ନେବାରେ ସକ୍ଷମ ହୋଇଛନ୍ତି।
ଗତମାସରେ ସହିଦନଗରରେ ରହୁଥିବା ଜଣେ ପୂର୍ବତନ ବ୍ୟାଙ୍କ ଅଧିକାରୀ ୨ କୋଟି ୧୩ ଲକ୍ଷ ଟଙ୍କା ହରାଇଥିଲେ। ଅଧିକ ରିଟର୍ଣ୍ଣ ପାଇବା ଲୋଭର ବଶବର୍ତ୍ତୀ ହୋଇ ସେ ଏକ ଅଜଣା ଟ୍ରେଡିଂ ଆପ୍ରେ ବିନିଯୋଗ କରି ସର୍ବସ୍ବାନ୍ତ ହୋଇଥିଲେ। ସାଇବର ପୁଲିସରେ ହୋଇଥିବା ଅଭିଯୋଗରୁ ଜଣାପଡ଼ିଛି ଯେ ଅଗଷ୍ଟ ମାସରେ ଏଭଳି ଟ୍ରେଡିଂ ଆପ୍ ଠକେଇର ପରିମାଣ ୪ କୋଟି ଟଙ୍କାରୁ ଅଧିକ। କମ୍ ଦିନରେ ବିନିଯୋଗ ଅର୍ଥ ବହୁଗୁଣିତ ହେବା ଲୋଭ ହିଁ ବିନିଯୋଗକାରୀଙ୍କୁ ଠକାମିର ଶିକାର କରିଛି। ସେମାନଙ୍କୁ ଅଜଣା ଆପ୍ରେ ବିନିଯୋଗ କରିବାର ଫଳ ଭୋଗିବାକୁ ପଡ଼ିଛି। ବିଭିନ୍ନ ପ୍ରକାରର ସାଇବର ଠକେଇ ମଧ୍ୟରୁ କେବଳ ଟ୍ରେଡିଂ ଆପ୍ ଜରିଆରେ ଠକେଇର ପରିମାଣ ୬୦ ପ୍ରତିଶତ। କମ୍ ସମୟରେ ଅଧିକ ଉପାର୍ଜନ କରିବାର ଲୋକଙ୍କ ମାନସିକତା ସାଇବର ଠକଙ୍କ କାମକୁ ସହଜ କରିଦେଉଛି। ସେହିଭଳି ଇଡି, ସିବିଆଇ, ନାର୍କୋଟିକ୍, କ୍ରାଇମ୍ବ୍ରାଞ୍ଚ ଅଧିକାରୀଙ୍କ ପରିଚୟ ଦେଇ ସାଇବର ଠକମାନେ ଲୁଟୁଥିବା ଅଭିଯୋଗର ପରିମାଣ ପାଖାପାଖି ୩୦ ପ୍ରତିଶତ।
ଏସବୁ ସରକାରୀ ଅନୁସନ୍ଧାନ ସଂସ୍ଥା କେବେ ବି ହ୍ବାଟ୍ସଆପ୍ରେ କଲ୍ କରି କାହାକୁ କିଛି ଜଣାନ୍ତି ନାହିଁ ବୋଲି ବିଭାଗୀୟ ସୂତ୍ରରୁ ବାରମ୍ବାର ଜଣାଇ ଦିଆଯାଉଥିଲେ ମଧ୍ୟ ଲୋକମାନେ ସତର୍କ ହେଉନାହାନ୍ତି। ଏହାର ମଉକା ନେଇ ସାଇବର ଠକମାନେ ଡିଜିଟାଲ୍ ଆରେଷ୍ଟ କରିବାକୁ ଧମକ ବା ବ୍ଲାକ୍ମେଲ୍ କରି ଲୁଟୁଛନ୍ତି। ଏହା ସହିତ ଇନ୍ଭେଷ୍ଟମେଣ୍ଟ୍ ଆପ୍, ଫେଡେକ୍ସ, ଓଏଲ୍ଏକ୍ସ, କ୍ରେଡିଟ୍ ଲିମିଟ, କେଵାଇସି, ମାଟ୍ରିମୋନିଆଲ୍ ଓ ଲୋନ୍ ଆପ୍ ଜରିଆରେ ମଧ୍ୟ ସାଇବର ଠକମାନେ ଲୁଟୁଛନ୍ତି। ଗୋଟିଏ ବିଚିତ୍ର କଥା ହେଉଛି, ଠକେଇର ଶିକାର ହୋଇଥିବା ଅଧିକାଂଶ ଲୋକ ଉଚ୍ଚଶିକ୍ଷିତ। ଅଭିଯୋଗ କରିବାରେ ବିଳମ୍ବ କାରଣରୁ ପୁଲିସ ଏ ମାମଲାରେ ବିଶେଷ କିଛି କରି ପାରୁନାହିଁ। ତେବେ ତୁରନ୍ତ ଅଭିଯୋଗ ହେଲେ, ସାଇବର ପୁଲିସ ଆକାଉଣ୍ଟରୁ କଟିଥିବା ଟଙ୍କାକୁ ବ୍ଲକ୍ କରିବାରେ ଅନେକାଂଶରେ ସକ୍ଷମ ହୋଇପାରୁଛି। ଭୁବନେଶ୍ବର ସହରକୁ ଦେଖିଲେ, ଚଳିତ ବର୍ଷ ସାଇବର ପୁଲିସ ମାତ୍ର ୧ କୋଟି ୩୭ ଲକ୍ଷ ଟଙ୍କା ଫେରାଇପାରିଛି। ସେହିଭଳି ୧୦ କୋଟିରୁ ଅଧିକ ଟଙ୍କା ବ୍ଲକ୍ କରିପାରିଛି।
ନିକଟରେ ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଶ୍ବେତପତ୍ର ଅନୁସାରେ, ୨୦୨୩ ମସିହାରେ କ୍ରାଇମ୍ବ୍ରାଞ୍ଚ ସାଇବର ୟୁନିଟ୍ ଓ ରାଜ୍ୟର ୧୪ ସାଇବର ଥାନାରେ ୪୭କୋଟି ୭୫ଲକ୍ଷରୁ ଅଧିକ ଟଙ୍କା ସାଇବର ଠକ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ସେବର୍ଷ କ୍ରାଇମ୍ବ୍ରାଞ୍ଚ ୧କୋଟି ୫୨ ଲକ୍ଷ ଟଙ୍କା ଫେରସ୍ତ ଓ ୨ କୋଟି ୨୭ ଲକ୍ଷ ଟଙ୍କା ବ୍ଲକ୍ କରିପାରିଥିଲା। ସେହିପରି ୫୨୨ ସାଇବର ଠକ ଗିରଫ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/cyber-fraud-2022d4d4d4f7d87df87f8ddf.jpg)