ଭୁବନେଶ୍ବର: କାହାକୁ କର୍ପୋରେଟ୍ ସଂସ୍ଥାର କର୍ମଚାରୀ ତ କାହାକୁ ସରକାରୀ କର୍ମଚାରୀ। ଦରମା ପୁଳା ପୁଳା। ଏମିତି ଜଣେ ଅଧେ ନୁହେଁ, ଶତାଧିକ ଲୋକଙ୍କ ଜାଲ୍ କାଗଜପତ୍ର ପ୍ରସ୍ତୁତ କରୁଥିଲେ। ଜାଲ୍ କାଗଜପତ୍ର ଦେଇ ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କା ଋଣ ଉଠାଉଥିଲେ। ୪ବର୍ଷ ପରେ ଏଭଳି ଏକ ରୢାକେଟ୍ ଉପରୁ ପରଦା ହଟାଇଛି ଇଓଡବ୍ଲ୍ୟୁ। ରୢାକେଟ୍ରେ ସମ୍ପୃକ୍ତ ଥିବା ୪ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ, ଜଗତସିଂହପୁର ଅଞ୍ଚଳର ସ୍ମୃତିରଂଜନ ସେଠୀ, ଏମ୍ ଦିବ୍ୟଶ୍ରୀ ଜ୍ୟୋତି ରଂଜନ, ନୂଆପଲ୍ଲୀ ଅଞ୍ଚଳର ନିରଂଜନ ବେହେରା ଓ ଦେବାଶିଷ ବେହେରା। ପୁଲିସ ସେମାନଙ୍କଠାରୁ ଗୋଟିଏ ଲ୍ୟାପ୍ଟପ୍, ୫ଟି ମୋବାଇଲ୍ ଓ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି।
ଗତ ୨୦୨୧ ମସିହାରେ ସ୍ମୃତି, ଦିବ୍ୟଶ୍ରୀ, ନିରଂଜନ, ଦେବାଶିଷ ଓ ସେମାନଙ୍କ ସହଯୋଗୀ ମିଶି ବ୍ୟାଙ୍କରୁ ଠକେଇ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଯୋଜନା ମୁତାବକ ଲୋକଙ୍କୁ କମ୍ ସୁଧ ହାରରେ ଋଣ କରାଇଦେବାକୁ କହି ସେମାନଙ୍କ କାଗଜପତ୍ର ନେଉଥିଲେ। ସେମାନଙ୍କ ପରିଚୟପତ୍ର, ଆଧାର ଭଳି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନେଇ ଋଣ ପାଇଁ ସବୁ ପ୍ରସ୍ତୁତି ସରିବା ପରେ ପାଲରେ ପକାଉଥିଲେ। ଯେଉଁମାନେ କମିସନ ଦେବେ ସେମାନଙ୍କ ନାଁରେ ଋଣ ହେବ ବୋଲି କହୁଥିଲେ। ଯେହେତୁ ସହଜରେ ଓ କମ୍ ସୁଧରେ ଋଣ ମିଳୁଥିଲା ସେଥିପାଇଁ ଲୋକେ ରାଜି ହୋଇଯାଉଥିଲେ। ଗତ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ଜୟଦେବବିହାର ଏସ୍ବିଆଇ ଶାଖାରୁ ୯୨ଜଣ ଓ ଡମଣା ଏସ୍ବିଆଇ ଶାଖାରୁ ୧୪୨ଜଣ, ଏହିପରି ମୋଟ୍ ୨୩୪ ଜଣଙ୍କ ନାଁରେ ଋଣ ଉଠାଇଥିଲେ। କିଛିଦିନ ପରେ ଋଣ ଆକାଉଣ୍ଟକୁ କିସ୍ତି ଆସିବା ବନ୍ଦ ହେବାରୁ ବ୍ୟାଙ୍କର ଆଞ୍ଚଳିକ ମହାପ୍ରବନ୍ଧକ ଶିବସୁନ୍ଦର ସାହୁ ଖୋଳତାଡ଼ କରିଥିଲେ। ଆହୁରି ୪କୋଟି ୭୭ଲକ୍ଷ ୯୬,୦୦୯ ଟଙ୍କା ବାକି ପଡ଼ିଥିବା ଅଡିଟ୍ ବେଳେ ଜଣାପଡ଼ିଥିଲା।
ଋଣ ପାଇଁ ଯେଉଁ ସବୁ ଆକାଉଣ୍ଟ୍ ଖୋଲାଯାଇଥିଲା, ସେ ସବୁଥିରେ ଜାଲ ଡକୁମେଣ୍ଟ୍ ଦିଆଯାଇଥିବା ଜଣାପଡ଼ିଥିଲା। କିନ୍ତୁ ସେହି ସବୁ ଆକାଉଣ୍ଟ୍ରୁ ସ୍ମୃତି ଆକାଉଣ୍ଟକୁ ୧୯ଲକ୍ଷ୮,୩୮୫ ଟଙ୍କା, ଦିବ୍ୟଶ୍ରୀ ଆକାଉଣ୍ଟକୁ ୨.୪୨ ଲକ୍ଷ ଟଙ୍କା, ନିରଂଜନ ଆକାଉଣ୍ଟକୁ ୯୪ ହଜାର ଟଙ୍କା ଓ ଦେବାଶିଷ ଆକାଉଣ୍ଟକୁ ୫୦ ହଜାର ଟଙ୍କା ଟ୍ରାନ୍ସଫର ହୋଇଛି। ଏନେଇ ଶ୍ରୀ ସାହୁ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଇଓଡବ୍ଲ୍ୟୁ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜଗତସିଂହପୁରରୁ ସ୍ମୃତି ଓ ଦିବ୍ୟଶ୍ରୀ, ନୂଆପଲ୍ଲୀରୁ ନିରଂଜନ ଓ ଦେବାଶିଷକୁ ଗିରଫ କରିଥିଲା। ୪ ଠକଙ୍କୁ ଜେରା ପରେ ଆଜି କଟକ ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା। ଜାମିନ୍ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ତେବେ ଏଥିରେ ସମ୍ପୃକ୍ତି ଥିବା ଅନ୍ୟମାନଙ୍କୁ ଗିରଫ ପାଇଁ ତଦନ୍ତ ଜାରି ରଖିଛି ଇଓଡବ୍ଲ୍ୟୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/22/33hTyLb4YXJvVwd4cVjz.jpg)