ଚିନ୍ତାରେ ବୁଡ଼ିଛି ସିନେ ଓ ଧାରାବାହିକ ଶିଳ୍ପ: ୮ ଫିଲ୍ମ ସରିଛି, ରିଲିଜ୍‌ ବାଟ ଓଗାଳିଛି କରୋନା, ଦୁର୍ଦ୍ଦଶାରେ ବହୁ କଳାକାର, ଟେକ୍ନିସିଆନ

ଭୁବନେଶ୍ବର: ମଣିଷର ସ୍ବାଭାବିକ ଜୀବନ ଯାତ୍ରାକୁ ଦଳି ମକଚି ଦେଇଛି ‘କରୋନା’। ଉଜୁଡ଼ି ଯାଇଛି ମଣିଷର ସୁଖ। ମନୋରଂଜନ ଶିଳ୍ପକୁ ଲାଗିଛି ଶକ୍ତ ଧକ୍କା। ରଜ ପାଇଁ ସଜ ହେଉଥିବା ଓଡ଼ିଆ ସିନେମା ଆଗରେ ବି କଣ୍ଟା ସାଜିଛି ଏହି ମହାମାରୀ। ଯେଉଁ କଳାକାରମାନେ ବଡ଼ ଓ ଛୋଟ ପରଦାକୁ ଆଶ୍ରା କରି ଜୀବନ ବଞ୍ଚୁଛନ୍ତି ସେମାନଙ୍କ ମଧ୍ୟରୁ ଅନେକଙ୍କ ଜୀବନ ଅନିଶ୍ଚିତତା ଆଡ଼କୁ ଠେଲି ହେଇଯାଇଛି। ଦୋଳ ପୂର୍ଣ୍ଣିମାରୁ ନେଇ ରଜ ଓ ରଥରେ ମୁକ୍ତିଲାଭ କରିବା ପାଇଁ ୮ରୁ ଅଧିକ ଚଳଚ୍ଚିତ୍ର ପ୍ରସ୍ତୁତି ସରିଥିଲା। ଆଉ କିଛି ଚଳଚ୍ଚିତ୍ର ରଜ ପାଇଁ ନିର୍ମାଣ ହେବାକୁ ଯାଉଥିଲା। ମାତ୍ର ସବୁ ଅଟକିଯାଇଛି। ପ୍ର‌ଯୋଜକଙ୍କଠୁ ନେଇ ନିର୍ଦେଶକ, କଳାକାର ସମସ୍ତେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବର୍ତମାନ ସୁଦ୍ଧା କ୍ରେଜି ଫୋର, ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୁର, ସହିଦ ରଘୁ ସର୍ଦାର, ତୁ ମୋର ନିହାତି ଦରକାର, ଲଭ ଫିଭର, ହୀରାଲାଲ ମୋତିଲାଲ, ଯେତେ ଗୋରି ସେତେ ଷ୍ଟୋରି, ଟିକେ ଲଭ ଟିକେ ଟ୍ବିଷ୍ଟ ଭଳି ସିନେମା ନିର୍ମାଣ ସରି ମଧ୍ୟ ମୁକ୍ତିଲାଭ କରିପାରୁନାହିଁ। ପୁଣି ରଜକୁ ଦୃଷ୍ଟିରେ ରଖି ସୁଟିଂ ହେବାକୁ ଥିବା ବାବୁସାନଙ୍କ ଅଭିନୀତ ‘ବିଦ୍ୟାରାଣ’ ଏବଂ ଅଶୋକ ପତିଙ୍କ ନିର୍ଦେଶିତ ଓ ଅନୁଭବଙ୍କ ଅଭିନୀତ ସିନେମା ଏପ୍ରିଲ୍‌ ୧ରୁ ସୁଟିଂ ‌ହେବାର ଥିଲେ ହେଁ ତାହା ବି ଅଟକିଯାଇଛି।

ଓଡ଼ିଶା ସିନେ ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ତଥା ଅଭିନେତା ଶ୍ରୀତମ ଦାସଙ୍କ ସୂଚନା ମୁତାବକ କଳାକାର ତ ଅନେକ ଅଛନ୍ତି କିନ୍ତୁ ‌ବଡ଼ ପରଦା ଓ ଛୋଟ ପରଦାରେ ନିୟମିତ ଅଭିନୟ କରୁଥିବା କଳାକାରଙ୍କ ସଂଖ୍ୟା ୫ଶହରୁ ଅଧିକ। ଓଡ଼ିଶାରେ ବର୍ଷକୁ ୩୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ହେଉଥିବା ବ‌େଳେ ୧୫ଟି ଧାରାବାହିକ ନିର୍ମିତ ହେଉଛି। ଏହା ବ୍ୟତୀତ କିଛି ରିଅଲିଟି ସୋ’ ମଧ୍ୟ ଚା‌ଲେ। ମାତ୍ର ୪୦ରୁ ୫୦ ଜଣ ଅଗଧାଡ଼ିର କଳାକାର ଓ ଟେକ୍ନିସିଆନଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ କଳାକାର ଏକ ନିର୍ଦିଷ୍ଟ ଦେୟ ନେଇ କାମ କରନ୍ତି। ଧାରାବାହିକରେ କଳାକାରମାନେ ମାସେ କିମ୍ବା ଦୁଇମାସରେ ନିଜର ପାଉଣା ନିଅନ୍ତି। ମେଗା ଧାରାବାହିକରେ ଅଭିନୟ କରୁଥିବାରୁ ସେମାନଙ୍କ ପାଇଁ ସେଇ ଧାରାବାହିକରେ ଅଭିନୟରୁ ଆସୁଥିବା ଅର୍ଥ ହିଁ ରୋଜଗାରର ଏକ ମାତ୍ର ବିକଳ୍ପ। ତେବେ ଏହା ବ୍ୟତୀତ ମଧ୍ୟ ଆଉ ଆଉ ଏକ ବୃହତ୍ତର ଗୋଷ୍ଠୀ ଏହି କ୍ଷେତ୍ରରେ ଦୈନିକ ମଜୁରି ନେଇ କାମ କରନ୍ତି। ଓଡ଼ିଶା ମୋସନ ପିକ୍ଚର ଟେକ୍ନିକାଲ ୱାର୍କର ଆସୋସିଏସନର ତଥ୍ୟ ମୁତାବକ, ଲାଇଟ୍‌ବୟ, ସ୍ପଟବୟ, କଷ୍ଟ୍ୟୁମ୍‌ମ୍ୟାନ, ମେକଅପ୍‌ମ୍ୟାନ, ହେୟାର ଷ୍ଟ୍ରେଟରଙ୍କଠୁ ନେଇ ସମ୍ପାଦନା ଓ ଅନ୍ୟ ଟେକ୍ନିକାଲ୍‌ କ୍ଷେତ୍ରରେ ପ୍ରାୟ ୧ ହଜାର ଲୋକ କାମ କରନ୍ତି। ଏହା ବ୍ୟତୀତ ହଜାର ହଜାର ସଂଖ୍ୟାରେ ଷ୍ଟଣ୍ଟମ୍ୟାନ, ନୃତ୍ୟଶିଳ୍ପୀ, ସଂଗୀତଜ୍ଞ, କଣ୍ଠଶିଳ୍ପୀ, ବାଦ୍ୟଶିଳ୍ପୀ, ଷ୍ଟୁଡିଓ କର୍ମଚାରୀମାନେ ମଧ୍ୟ ଏଇ ସିନେମା ଓ ଧାରାବାହିକ ଶିଳ୍ପକୁ ନେଇ ଜୀବିକା ନିର୍ବାହ କରନ୍ତି। ଯଦି କରୋନା ପାଇଁ ସ୍ଥିତି ଏପରି ବଳବତ୍ତର ରୁହେ ତେବେ ସିନେ ଓ ଧାରାବାହିକ ଶିଳ୍ପ ଆହୁରି ଋଗଣ ଅବସ୍ଥାକୁ ଚାଲିଯିବ। ପୁଣି ଏହି ଶିଳ୍ପକୁ ସୁଧାରିବାକୁ ଅନ୍ୟୁନ ୬ରୁ ୮ମାସ ଲାଗିଯିବ।

ଚଳଚ୍ଚିତ୍ର ନିର୍ଦେଶକ ଅଶୋକ ପତି କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ୮୦ ଭାଗ ବ୍ୟକ୍ତି ଏକ ସଙ୍କଟମୟ ସମୟ ଦେଇ ଗତି କରୁଛନ୍ତି। ସମସ୍ତେ ଭାବନ୍ତି ଉପରକୁ ଚକ ଚକ ଦେଖାଯାଉଥିବା ତଥା ଜାହାଜର କ୍ୟାପଟେନ ବୋଲାଉଥିବା ନିର୍ଦେଶକଟି ବୋଧେ ଭଲରେ ଥିବ। ହେଲେ ତାହା ଭାବିବା ଭୁଲ। ଆମକୁ ବର୍ଷକୁ କାଁ ଭାଁ ଗୋଟେ ଦୁଇଟି ଚଳଚ୍ଚିତ୍ର ମିଳୁଥିବା ବେଳେ ତାହା ବି ବନ୍ଦ ହୋଇଯାଇଛି। ମାତ୍ର କିଛି ହାତଗଣତି କଳାକାର ଅଛନ୍ତି ଯେଉଁମାନେ ଗୋଟେ ବର୍ଷ ସିନେ ଇଣ୍ଡଷ୍ଟ୍ରି ବନ୍ଦ ହେଇଗଲେ ମଧ୍ୟ ତାଙ୍କୁ କିଛି ଫରକ ପଡ଼ିବ ନାହିଁ। ହେଲେ ଏମିତି ବି କଳାକାର ଅଛନ୍ତି ଯେଉଁମାନେ ଡିପ୍‌ ‌ଡ‌ିପ୍ରେସନକୁ ଚାଲିଯିବେ। କଳାକାରମାନେ କ୍ୟାମେରା ଆଗରେ ସଂଭ୍ରାନ୍ତ ଲାଗୁଥିଲେ ହେଁ ବାସ୍ତବତା ଠିକ୍‌ ସେୟା ନୁହେଁ। ଏମିତି ବି କଳାକାର ଅଛନ୍ତି ଯେଉଁମାନେ କେବଳ ଏଇଥିରୁ ଉପାର୍ଜିତ ଅର୍ଥରେ ନିଜର ମାସକର ଗୁଜୁରାଣ ମେଣ୍ଟାନ୍ତି। ତେଣୁ ଯଦି ଅନ୍ୟୁନ ୨ ମାସ ଏହି ଶିଳ୍ପରେ ରୋକ ଲାଗେ ତେବେ ଏହା ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ପାଲଟିବ। ଅନେକଙ୍କ ଧାରଣା ହୁଏତ ସିନେମା ମଧ୍ୟରେ କାମ କରୁଥିବା ବ୍ୟକ୍ତି ହିଁ କେବଳ ସିନେମା ଯୋଗୁଁ ଜୀବିକା ନିର୍ବାହ କରନ୍ତି। ମାତ୍ର ଏକଥା ମଧ୍ୟ ଜାଣି ରଖିବା ଉଚିତ୍‌, ସିନେମା ହଲ୍‌ କର୍ମଚାରୀ, ସାଇକେଲ୍‌ ଷ୍ଟାଣ୍ଡ୍‌ କରିଥିବା ବ୍ୟକ୍ତି, ସିନେମା ହଲ୍‌ ଚାରି ପାଖେ ଦୋକାନ କରିଥିବା ବ୍ୟକ୍ତି, ପୋଷ୍ଟର, ହୋର୍ଡିଂ ତିଆରି କରୁଥିବା ବ୍ୟକ୍ତି, ଟିକେଟ୍‌ ଛାପୁଥିବା ବ୍ୟକ୍ତି, ରିଲ୍‌ ଡିଷ୍ଟ୍ରିବୁଟର ଭଳି ଏକ ବୃହତ୍ତର ଗୋଷ୍ଠୀର ପରିବାର ଏହି ଶିଳ୍ପ ଉପରେ ନିର୍ଭର କରେ। ତେଣୁ ଏଇ ଘଡ଼ିସନ୍ଧି ମୁହୂର୍ତରେ ଏହି ଶିଳ୍ପ ସହ ଜଡ଼ିତ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଦୁର୍ଦିନରେ ଥିବା ଅନ୍ୟ ବ୍ୟକ୍ତିବିଶେଷଙ୍କୁ କିପରି ସହଯୋଗର ହାତ ବଢ଼ାଇ ପାରିବେ ସେଦିଗରେ ଧ୍ୟାନ ଦେବାକୁ ସେ ନିବେଦନ କରିଛନ୍ତି। ଏଥିସହ ସରକାର ବି ସିନେମା ଓ ଧାରାବାହିକ ଶିଳ୍ପ ମଧ୍ୟରେ ଥିବା ବ୍ୟକ୍ତିଙ୍କ ଦୁର୍ଦ୍ଦଶା ଦୂର କରିବା ପାଇଁ ଆଗେଇ ଆସିବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର