ଜାଗମରାରେ ଗୋଷ୍ଠୀ ସଂଘର୍ଷ: ୮ ଆହତ, ସରକାରୀ ଜମି ଜବରଦଖଲରୁ ତୁମୁଳକାଣ୍ଡ

ଖଣ୍ଡଗିରି: ସରକାରୀ ଜମି ଜବରଦଖଲକୁ ନେଇ ରବିବାର ରାତି ପ୍ରାୟ ୧୧ଟାବେଳେ ଜାଗମରାରେ ତୁମୁଳକାଣ୍ଡ ଘଟିଛି। ଛକାପଞ୍ଝା ହୋଇ ରହିଥିବା ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷରୁ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ସୂଚନା ମିଳିଛି। ଠେଙ୍ଗା, ଲୁହା ରଡ୍‌ ଓ ଶାବଳ ଆଦିରେ ଉଭୟ ପକ୍ଷ ପରସ୍ପରକୁ ଆକ୍ରମଣ କରିଛନ୍ତି। ଅଧିକ ଗଣ୍ଡଗୋଳ ଆଶଙ୍କାରେ ଗାଁରେ ପୁଲିସ ମୂତୟନ କରାଯାଇଛି ଓ ଖଣ୍ଡଗିରି ଥାନାରେ ଉଭୟ ପକ୍ଷରୁ ୨ଟି ମାମଲା ରୁଜୁ ହୋଇଛି। ସୂଚନାନୁସାରେ ଜାଗମରା ଦଳିତ ସାହିରେ ଏକ ସରକାରୀ ଜମି ଜବରଦଖଲକୁ ନେଇ ବହୁ ଦିନ ହେଲା ବିବାଦ ଲାଗି ରହିଛି। ଉକ୍ତ ସାହିର ଅଙ୍ଗନବାଡ଼ି କର୍ମୀ ସାହିର କ୍ଲବକୁ ଲାଗି ରହିଥିବା ସରକାରୀ ଜମିକୁ ଜବରଦଖଲ କରିଥିବାରୁ ଏହି ବିବାଦ ସୃଷ୍ଟି ହୋଇଛି। ସାହି ଲୋକେ କ୍ଲବ ପାଇଁ ଉକ୍ତ ଜମିକୁ ନେବାକୁ ଦାବି କରୁଥିବାବେଳେ ଅଙ୍ଗନବାଡ଼ି କର୍ମୀ ଉକ୍ତ ପ୍ଲଟକୁ କିଛି ଦିନ ହେଲା ନିଜ ଅକ୍ତିଆରକୁ ନେଇ ଯାଇଛନ୍ତି। ଉକ୍ତ ପ୍ଲଟ ଚାରିପଟେ ପାଚେରି କରି ସେ ଏକ ଗେଟ୍‌ ମଧ୍ୟ ଲଗାଇଛନ୍ତି। ଫଳରେ କ୍ଲବ ପାଇଁ ସାଂସଦ ପାଣ୍ଠିରୁ ମିଳିଥିବା ଅର୍ଥ ଜମି ଅଭାବରୁ ବିନିଯୋଗ ହୋଇପାରୁନାହିଁ। ତେଣୁ ଗତ ମାସରେ ସାହିର କିଛି ଲୋକେ ଉକ୍ତ ପାଚେରି ଭାଙ୍ଗି ଦେଇଥିଲେ। ମାତ୍ର ପରେ ଅଙ୍ଗନବାଡ଼ି କର୍ମୀ ପୁଣି ପାଚେରି କରି ଗେଟ୍‌ ଲଗାଇଦେଲେ। ଏହା ପରେ ସାହିରେ ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ ବହୁ ଲୋକ ମେଳି ବାନ୍ଧିଥିଲେ। ସେହିଭଳି ଅଙ୍ଗନବାଡ଼ି କର୍ମୀଙ୍କ ସମର୍ଥନରେ ମଧ୍ୟ କିଛି ଲୋକ ଅଣ୍ଟା ଭିଡ଼ିଥିଲେ। ତେଣୁ ଗତ କିଛି ଦିନ ହେଲା ଉଭୟ ପକ୍ଷ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଆଜି ରାତି ପ୍ରାୟ ୧୧ଟାବେଳେ ଅଙ୍ଗନବାଡ଼ି କର୍ମୀଙ୍କ ବିପକ୍ଷ ଦଳ ଅତର୍କିତଭାବେ ଆକ୍ରମଣ କରିଥିଲେ। ସେମାନେ ଅଙ୍ଗନବାଡ଼ି କର୍ମୀଙ୍କ ଘରେ ପଶି ଆକ୍ରମଣ କରିଥିଲେ। ଫଳରେ ତାଙ୍କ ସମର୍ଥକମାନେ ପାଲଟା ଆକ୍ରମଣ କରିଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ସେଠାରେ ପହଞ୍ଚିବାବେଳକୁ ୧୦ ଜଣ ଆହତ ହୋଇ ସାରିଥିଲେ।

ସମ୍ବନ୍ଧିତ ଖବର