ଦୁର୍ଘଟଣାଗ୍ରସ୍ତ ୨ ଅଟୋରେ ପିଟିହେଲା କାର୍‌, ୮ ଆହତ

ବାଲିପାଟଣା : ବୁଧବାର ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ସରଦେଇପୁର-ନିମାପଡ଼ା ରାସ୍ତାରେ ବାଲିପାଟଣା ଓ ଅଠାନ୍ତର ମଧ୍ୟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ୮ ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ୨ ଟି ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ପଡ଼ିଥିବା ବେଳେ ଏକ କାର୍‌ ଆସି ପିଟି ହେବାରୁ ଏହି ଦୁର୍ଘଟଣା ଘଟିଥିଲା। ଆହତମାନଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇ ଦିଆଯାଇଛି।

ସୂଚନାନୁସାରେ, ଆଇତଳଙ୍ଗ ଗ୍ରାମର ରାମଚନ୍ଦ୍ର ବେହେରା ଓ ତାଙ୍କ ଶାଳକ ବିଜୟ କୁମାର ବେହେରା ଏକ ଅଟୋ (ଓଡ଼ି ୩୩ ଇ ୫୬୪୮) ଯୋଗେ ପ୍ରାୟ ଏକ କ୍ବିଣ୍ଟାଲ ଛେନା ନେଇ ଭୁବନେଶ୍ୱର ଯାଉଥିଲେ। ବିପରୀତ ଦିଗରୁ ଆସୁଥିବା ଏକ ଅଟୋ (ଓଡ଼ି ୩୩ ଟି ୧୯୬୩) ସହ ରାମଚନ୍ଦ୍ରଙ୍କ ଅଟୋ ମୁହାଁମୁହିଁ ହୋଇଥିଲା। ଫଳରେ ରାସ୍ତା ଉପରେ ରାମଚନ୍ଦ୍ରଙ୍କ ଅଟୋଟି ଓଲଟି ପଡ଼ିଥିଲା। ସେହି ସମୟରେ ପଛରୁ ଆସୁଥିବା ଏକ ଅଲ୍‌ଟୋ କାର୍‌ (ସିଜି ୦୪ ଏଚ୍‌ଡି ୫୭୮୩) ରାସ୍ତା‌ରେ ଓଲଟି ପଡ଼ିଥିବା ରାମଚନ୍ଦ୍ରଙ୍କ ଅଟୋକୁ ପୁଣି ଧକ୍କା ଦେଇଥିଲା। ଫଳରେ କାର୍‌ରେ ଥିବା ଗୁଆପୁର ଗ୍ରାମର ଚଗଲା ଭୋଇ , ଜୟରାମ ପରିଡ଼ା, କିଆଯୋଡ଼ି ଗ୍ରାମର ପୂର୍ଣଚନ୍ଦ୍ର ଭୋଇ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର