ଗ୍ୟାସ୍‌ ସିଲିଣ୍ଡର୍ ଫାଟି ୮ ଗୁରୁତର

ଭୁବନେଶ୍ବର : ପାତ୍ରପଡ଼ା ଗାଁରେ ଶୁକ୍ରବାର ଦିନ ପ୍ରାୟ ୧୨ଟା ବେଳେ ଗ୍ୟାସ୍ ଟାଙ୍କି ଫାଟିବାରୁ ୮ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂକଟାପନ୍ନ ଯୁବକ ପ୍ଲାବନ କୁମାର ରାୟଙ୍କୁ କଟକ ଏସ୍‌ସିବି ମେଡିକାଲ୍ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୭ଜଣଙ୍କୁ ଏମ୍‌ସରେ ଚିକିତ୍ସା କରାଯାଉଛି। ୨ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଆଜି ଦିନରେ ବାସନ୍ତୀ ଜେନା ରୋଷେଇ କରୁଥିବା ବେଳେ ହଠାତ୍ ଗ୍ୟାସ୍ ଲିକ୍‌ ହୋଇ ପାଇପ୍ ଦେଇ ରେଗୁଲେଟର୍‌କୁ ନିଆଁ ଧରିଥିଲା। ଏଥି‌ରେ ଭୟଭୀତ ହୋଇ ସେ ଘରୁ ବାହାରି ଆସିବା ବେଳକୁ ଗ୍ୟାସ୍‌ ସିଲିଣ୍ଡର୍ ଫାଟିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପଡ଼ୋଶୀ ୩ରୁ ୪ଜଣ ପୁରୁଷ ଓ ମହିଳା ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଜରିଆରେ ଏମ୍‌ସରେ ଭର୍ତ୍ତି କରାଇଥିଲେ। ଆହତଙ୍କ ମଧ୍ୟରେ ଗୁରୁତର ବାସନ୍ତୀଙ୍କ ପରିବାରବର୍ଗ ଗୋବିନ୍ଦ ଜେନା, ମଂଜୁଲତା ଜେନା ଏବଂ ପଡ଼ୋଶୀ ପବିତ୍ର ସ୍ବାଇଁ, ପ୍ଲାବନ କୁମାର ରାୟ, କାନନବାଳା ଦାସ, ନଳିନୀ ବାରିକ, ବିଷ୍ଣୁପ୍ରିୟା ମଙ୍ଗରାଜ ରହିଛନ୍ତି। ତେବେ ସମସ୍ତେ ଏମ୍‌ସରେ ଚିକିତ୍ସିତ ହେଉଥିବା ବେଳେ ପ୍ଲାବନଙ୍କ ଦେହର ୬୦ ଭାଗରୁ ଅଧିକ ପୋଡ଼ି ଯାଇଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର