ନୂଆଗାଁ-ଶିଶୁପାଳଗଡ଼ ମଧ୍ୟରେ ଗୋଷ୍ଠୀ ସଂଘର୍ଷ

ଖଣ୍ଡା ଓ ଭୁଜାଲି ଆକ୍ରମଣରେ ୮ ଆହତ

୧୫ ଦୋକାନ, କାର ଓ ବାଇକ୍‌ ଭଙ୍ଗାରୁଜା
ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ , ୭ ଅଟକ

ଧଉଳି : ଧଉଳି ଥାନା ଅନ୍ତର୍ଗତ ନୂଆଗାଁ-ଶିଶୁପାଳଗଡ଼ର ଦୁଇଗୋଷ୍ଠୀ ମଧ୍ୟରେ ମାସେ ହେଲା ଲାଗି ରହିଥିବା ବିବାଦ ଆଜି ସଂଧ୍ୟାରେ ପୁଣି ଉଗ୍ରରୂପ ନେଇଛି। ନୂଆଗାଁ ଭିତରେ ଦୁଇଗୋଷ୍ଠୀ ମଧ୍ୟରେ ତୃତୀୟ ବାର ଖଣ୍ଡଯୁଦ୍ଧ ଘଟିଛି। ଏନେଇ ସମଗ୍ର ବଜାର ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି। ଖଣ୍ଡା, ଭୁଜାଲି, ରଡ୍‌, ଠେଙ୍ଗା ଓ ଅନ୍ୟ ମାରଣାସ୍ତ୍ର ଧରି ପରସ୍ପରକୁ ଆକ୍ରମଣ କରିବା ଫଳରେ ୮ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। କାହାର ମୁଣ୍ଡରେ ଧାରୁଆ ଅସ୍ତ୍ରର ଚୋଟ ବାଜି ଗଭୀର କ୍ଷତ ହୋଇଛି ତ ଆଉ କାହାର ମୁହଁ ଓ ହାତ କଟି ଯାଇଛି। ଚିକିତ୍ସା ଲାଗି ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ଓ ଅନ୍ୟ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଛି।

ସେହିପରି ଆକ୍ରମଣକାରୀମାନେ ବଜାର ମଧ୍ୟରେ ଥିବା ୧୫ରୁ ଊର୍ଧ୍ୱ ଦୋକାନ ଏବଂ କାର୍‌, ବାଇକ୍‌କୁ ଭଙ୍ଗାରୁଜା କରିବାରୁ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି। ଦୋକାନ ଛାଡ଼ି କିମ୍ବା ସର୍ଟର ପକାଇ ସେଠାରୁ ପଳାଇଥିବା ଦୋକାନୀମାନେ ଏହି ଆକ୍ରମଣରୁ ବର୍ତି ଯାଇଛନ୍ତି। ଦୀର୍ଘ ୧ ଘଣ୍ଟା ଧରି ନୂଆଗାଁ ବଜାର ସହ ଏଥିସଂଲଗ୍ନ ଜାତୀୟ ରଜପଥ ଏକପ୍ରକାର ରଣକ୍ଷେତ୍ର ପାଲଟି ଯାଇଥିଲା। କମିସନ୍‌ରେଟ୍‌ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କ ଉପରେ ଲାଠିଚାର୍ଜ କରିବାରୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏହି ଘଟଣାରେ ପୁଲିସ ୭ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ସମଗ୍ର ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହେବା ସହ ଏକାଧିକ ଭ୍ୟାନ୍‌ ପଇଁତରା ମାରୁଛି।

ବଡ଼କଥା ହେଲା ନୂଆଗାଁ ବଜାରରେ ଦୋକାନ ଦେଇଥିବା ବାହାର ଥାନା ଅଞ୍ଚଳର ନିରୀହ ଲୋକମାନେ ମଧ୍ୟ ଉତ୍ତ୍ୟକ୍ତ ଯୁବକଙ୍କ ଆକ୍ରମଣରୁ ରକ୍ଷା ପାଇନଥିଲେ।

ପ୍ରାପ୍ତ ସୂଚନାନୁଯାୟୀ, ଆଜି ସଂଧ୍ୟାରେ ଶିଶୁପାଳଗଡ଼ର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅ ନୂଆଗାଁକୁ ଯାଇଥିଲେ। ନୂଆଗାଁର କିଛି ଯୁବକ ତାଙ୍କୁ ମାଡ଼ ମାରିବାରୁ ସେ ଆହତ ହୋଇଥିଲେ। ଏହି ଖବର ପ୍ରଚାରିତ ହୋଇଯିବା ପରେ ଶିଶୁପାଳଗଡ଼ର ଅନେକ ଯୁବକ ଏକାଠି ହୋଇ ହାତରେ ମାରଣାସ୍ତ୍ର ଧରି ନୂଆଗାଁ ବଜାର ଭିତରକୁ ପଶି ଆତଙ୍କରାଜ ଚଳାଇଥିଲେ। ସେମାନେ ପ୍ରଥମେ ଶାସ୍ତ୍ରୀଜୀ ଯୁବକ ସଂଘ ଘରେ ପଶି ଏଲ୍‌ସିଡି ଓ ଅନ୍ୟ ଜିନିଷପତ୍ର ଭାଙ୍ଗାରୁଜା କରିବା ସହ ସେଠାରେ ଥିବା ୫ଜଣ ପିଲାଙ୍କୁ ମାରଧର କରିଥିଲେ। ଏହାପରେ ନିରଞ୍ଜନ ପରିଡ଼ାଙ୍କ ଚପଲ ଦୋକାନ, ବାବୁଲି ପ୍ରଧାନଙ୍କ ତେଜରାତି ଦୋକାନ, ଅକ୍ଷୟ ଗୋଚ୍ଛାୟତଙ୍କ ଫାଷ୍ଟଫୁଡ୍‌, ଭୀମସେନ୍‌ ନାୟକଙ୍କ ପରିବା ଦୋକାନ, ବଣ୍ଟି ସାଇବର କାଫେ, ବାପି ପାନ ଦୋକାନ, ଅବ ମନୋହରୀ ଦୋକାନ, ସଂଯୁକ୍ତ ଗିଫ୍ଟ ସେଣ୍ଟର, ପ୍ରତିମା ବସ୍ତ୍ରାଳୟରେ ବ୍ୟାପକ ଭଙ୍ଗାରୁଜା ଓ ହଣାକଟା କରିବା ସହ ଏହାର ମାଲିକ ଓ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏଥିସହ ସେଠାରେ ଥିବା କେଦାର ମହାପାତ୍ର ଓ କାହ୍ନ ବେହେରାଙ୍କ ବାଇକ୍‌ ଏବଂ ଅନ୍ୟ ଏକ ଇଣ୍ଡିକା କାର (ନଂ-ଓଡ଼ି-୦୨ଏଇ୭୫୫୫)କୁ ଭାଙ୍ଗି ସଂପୂର୍ଣ୍ଣ ଚୂରମାର୍‌ କରିବା ସହ ଦୁଇଟି କ୍ୟାବିନକୁ ଓଲଟାଇ ଦେଇଥିଲେ। ସାମନ୍ତରାପୁର ଛକରେ ଜଣେ ମିଠା ଦୋକାନୀ ଓ ଅନ୍ୟ ଜଣେ ଫଳଦୋକାନ କରିଥିବା ଶିଶୁପାଳଗଡ଼ର ଅନ୍ତର୍ଯ୍ୟାମୀ ମହାପାତ୍ର ଓ ଗଙ୍ଗୁଆ ବ୍ରିଜ ନିକଟରେ ଉକ୍ତ ଗ୍ରାମର ଆଉ ଜଣେ ଫଳ ଦୋକାନୀଙ୍କୁ ମଧ୍ୟ ନୂଆଗାଁ ଗୋଷ୍ଠୀ ମାଡ଼ ମାରି ଆହତ କରିଥିବା ଖବର ମିଳିଛି।

କମିସନରେଟ ପୁଲିସର ବରିଷ୍ଠ ଅଧିକାରୀଙ୍କ ସହ ଧଉଳି ଥାନା ଓ ଶ୍ରୀଲିଙ୍ଗରାଜଥାନ ପୁଲିସ ତଥା ଅନ୍ୟାନ୍ୟ ଥାନାର ପୁଲିସ ଅଧିକାରୀମାନେ ଖବର ପାଇ ସେଠାରେ ପହଞ୍ଚିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ସେମାନଙ୍କ ଉପରକୁ ଲାଠିଚାର୍ଜ କରିଥିଲା। ଆଜିର ଏହି ଗଣ୍ଡଗୋଳ ମାମଲାରେ ନୂଆଗାଁର ଜଣେ ଓ ଶିଶୁପାଳଗଡ଼ର ୬ ଜଣଙ୍କୁ ପୁଲିସ ଅଟକ ରଖିଥିବା ଧଉଳି ଥାନା ସୂତ୍ରରୁ ଜଣାପଡ଼ିଛି। ଏନେଇ ଏଠାରେ ତୀବ୍ର ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧିତ ଖବର