୮ ଲାବୋରେଟାରି ଟେକ୍‌ନିସିଆନ୍ (ଏଲ୍‌ଟି) କ‌ରୋନା ସଂକ୍ରମିତ, ନମୁନା ସଂଗ୍ରହ କ୍ୟାମ୍ପ୍ ପ୍ରଭାବିତ ଆଶଙ୍କା

କ୍ୟାପିଟାଲ ହସ୍ପିଟାଲର କର୍ମଚାରୀ ସଂକ୍ରମିତ

ଭୁବନେଶ୍ୱର : ରାଜଧାନୀରେ କୋଭିଡ୍‌ ନମୁନା ସଂଗ୍ରହ ପାଇଁ ନିୟୋଜିତ ହୋଇଥିବା ଲାବୋରେଟାରି ଟେକ୍‌ନିସିଆନ୍ (ଏଲ୍‌ଟି) କ‌ରୋନା ସଂକ୍ରମିତ ହୋଇଛନ୍ତି। ବିଭିନ୍ନ କ୍ୟାମ୍ପ୍‌ରେ ନମୁନା ସଂଗ୍ରହ କରୁଥିବା ୮ଜଣ ଏଲ୍‌ଟି ସଂକ୍ରମିତ ହେବା ପରେ କ୍ୟାମ୍ପ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲର ଜଣେ କର୍ମଚାରୀ ପଜିଟିଭ୍ ହୋଇଛନ୍ତି। ସୂଚନା ଅନୁସାରେ, କୋଭିଡ୍‌ ନମୁନା ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ସଂଖ୍ୟାରେ ଏଲ୍‌ଟିଙ୍କୁ ନିଯୁକ୍ତି ଦିଆଯାଇଛି। କ୍ୟାପିଟାଲ ହସ୍ପିଟାଲ ଅଧୀନ‌ରେ ସମୁଦାୟ ୩୧ଜଣ ଏଲ୍‌ଟି ନିୟୋଜିତ ହୋଇଛନ୍ତି। ହସ୍ପିଟାଲରେ ୨ଟି ସ୍ଥାନରେ ନମୁନା ସଂଗ୍ରହ(ଆରଟି-ପିସିଆର, ରାପିଡ୍‌ ଆଣ୍ଟିଜେନ୍‌) ଚାଲୁଥିବା ବେଳେ ରାଜଧାନୀର ବିଭିନ୍ନ ସ୍ଥାନରେ ୧୩ଟି କ୍ୟାମ୍ପ୍ କରାଯାଇ ନମୁନା ସଂଗ୍ରହ ହେଉଛି। ତେବେ ହସ୍ପିଟାଲ ଓ କ୍ୟାମ୍ପ୍‌ରେ କାର୍ଯ୍ୟରତ କିଛି ଏଲ୍‌ଟିଙ୍କର କିଛିଦିନ ଧରି ଥଣ୍ଡା, ଜ୍ବର ଲାଗି ରହିଥିଲା। ସେମାନେ ନମୁନା ପରୀକ୍ଷା କରିବା ପରେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଆଉ କିଛି ଏଲ୍‌ଟିଙ୍କ ପରୀକ୍ଷା ପରେ ସେମାନେ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଆଜିସୁଦ୍ଧା ସମୁଦାୟ ୮ଜଣ ଏଲ୍‌ଟି ସଂକ୍ରମିତ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ଆଗକୁ ଅନ୍ୟ ଏଲ୍‌ଟିମାନଙ୍କ ମଧ୍ୟ ନମୁନା ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ତେବେ ଏଲ୍‌ଟିମାନେ ପିପିଇ ପିନ୍ଧି ନମୁନା ସଂଗ୍ରହ କରୁଥିବା ବେ‌ଳେ କିଭଳି ସଂକ୍ରମିତ ହେଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନମୁନା ସଂଗ୍ରହରେ ନିୟୋଜିତ ଏଲ୍‌ଟିମାନଙ୍କୁ ରାଜଧାନୀର ଗୋଟିଏ ବିଲ୍ଡିଂରେ ରଖାଯାଉଛି। ସେଠାରୁ ହୁଏତ ସଂକ୍ରମଣ ବ୍ୟାପିଥାଇ ପାରେ ବୋଲି ଆଶଙ୍କା କରାଯାଉଛି। ରାଜଧାନୀରେ ଏବେ କୋଭିଡ୍‌ ନମୁନା ସଂଗ୍ରହକୁ ଜୋରଦାର କରାଯାଇଛି। ‌ତେବେ ପ୍ରତ୍ୟେକ କ୍ୟାମ୍ପ୍‌କୁ ଦିନକୁ ୧୦୦ ନମୁନା ସଂଗ୍ରହ ପାଇଁ ଟାର୍ଗେଟ୍‌ ଦିଆଯାଇଥିବା ନାମ ଗୋପନ ରଖିବା ସର୍ତରେ ଜଣେ ଏଲ୍‌ଟି କହିଛନ୍ତି। ଏଭଳି ପରିସ୍ଥିତିର ପ୍ରତ୍ୟେକ ଦିନ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ସମସ୍ୟା ହେଉଛି। ନିୟୋଜିତ ଏଲ୍‌ଟିମାନେ ଏ ନେଇ ଅସନ୍ତୁଷ୍ଟ ଥିବା ସେ କହିଛନ୍ତି। ‌

କ୍ୟାପିଟାଲ ହସ୍ପିଟାଲରେ ଆଜି ଜଣେ ପିଅନ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଂପୃକ୍ତ ପିଅନ ଜଣକ ପ୍ରଶାସନିକ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ଫଳରେ ଅନ୍ୟ କର୍ମଚାରୀମାନେ ଆତଙ୍କିତ ହୋଇ ପଡ଼ିଛନ୍ତି। ତେବେ ପ୍ରଶାସନିକ କାର୍ଯ୍ୟାଳୟକୁ ସାନିଟାଇଜ୍ କରିବା ଲାଗି ଆସନ୍ତାକାଲି ଏହାକୁ ବନ୍ଦ ରଖାଯିବ ବୋଲି ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି। ହସ୍ପିଟାଲରେ ଏବେ ସୁଦ୍ଧା ବହୁ ସଂଖ୍ୟାରେ କର୍ମଚାରୀ ଓ ଡାକ୍ତର ସଂକ୍ରମିତ ହୋଇ ସାରିଲେଣି। ଦିନକୁ ଦିନ ଜଣେ ପରେ ଜଣେ କର୍ମଚାରୀ ଆକ୍ରାନ୍ତ ହେଉଛନ୍ତି। ଏହାବାଦ୍ ଚିକିତ୍ସା ପାଇଁ ଆସୁଥିବା ରୋଗୀ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେବେ ୮ଜଣ ଏଲ୍‌ଟି ସଂକ୍ରମିତ ହେବା ପରେ ନମୁନା କ୍ୟାମ୍ପ୍‌ ପ୍ରଭାବିତ ହେବା ନେଇ ବିଏମ୍‌ସିର ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର