ଚାକିରି ଦେବା ନାଁରେ ୮ଲକ୍ଷ ଠକେଇ, ଠକ ଗିରଫ

ଭୁବନେଶ୍ବର: ଚାକିରି ଦେବା ନାଁରେ ୮ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସହିଦନଗର ଥାନା ପୁଲିସ ସେବା ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷଙ୍କୁ ଗିରଫ କରିଛି। ସେ ହେଲେ ଭଦ୍ରକ ଜିଲ୍ଲା ଧାମନଗର ଅଙ୍ଗୋରପାଲ ଅଞ୍ଚଳର ପୀତବାସ ପଣ୍ଡା(୪୪)। ଏଠାରେ ନଖରାସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ୍‌ ନିକଟରେ ରହୁଥିଲେ।

ସୂଚନା ମୁତାବକ, କିଛି ବର୍ଷ ତଳେ ପୀତବାସ ସହିଦନଗର ଅଞ୍ଚଳରେ ସେବା ଫାଉଣ୍ଡେସନ ଟ୍ରଷ୍ଟ ନାମକ ଏକ ସଂସ୍ଥା ଆରମ୍ଭ କରିଥିଲେ। ୨୦୨୧ ଜୁଲାଇ ମାସରେ ୩୦ଜଣ ଯୁବକ ଯୁବତୀଙ୍କୁ ସଂସ୍ଥାରେ ଚାକିରି ଦେବାକୁ କହିଥିଲେ। ମାସିକ ୩୦ ହଜାର ଟଙ୍କା ଦେବାର ଲୋଭ ଦେଖାଇ ଟ୍ରେନିଂ ବାବଦକୁ ପ୍ରତି ପିଲାଙ୍କ ଠାରୁ ଅଗ୍ରୀମ ଦୁଇ ମାସର ଟଙ୍କା ନେଇଥିଲେ। ୩୦ଜଣ ପିଲାଙ୍କ ଠାରୁ ପାଖାପାଖି ୮ଲକ୍ଷ ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇନଥିଲେ। ଚାକିରି ନମିଳିବାରୁ ଆଶାୟୀମାନେ ଅଫିସ୍‌ ଯାଇ ଟଙ୍କା ଫେରାଇବାକୁ କହିଥିଲେ। ହେଲେ ସେ ଟଙ୍କା ଦେବା ତ ଦୂରର କଥା ପାଲଟା ଧମକ ଦେଇଥିଲେ।

ଏନଇେ ସଞ୍ଜୟ କୁମାର ସାହୁ ନାମକ ଜଣେ ଯୁବକ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଅଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଥାଉ କି, ପୂର୍ବରୁ ମଧ୍ୟ ପୀତବାସ ରେଲୱେ ଓ ଏଏସ୍‌ଓ ଭଳି ସରକାରୀ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ରହିଛି।

ସମ୍ବନ୍ଧିତ ଖବର