୮ ଟ୍ରାଫିକ୍‌ ପୁଲିସ୍‌ କରୋନା ଆକ୍ରାନ୍ତ

କ୍ୟାପିଟାଲ ହସ୍ପିଟାଲ କର୍ମଚାରୀ ଆକ୍ରାନ୍ତ

ଭୁବନେଶ୍ବର : ପୁଣି ୮ ଟ୍ରାଫିକ୍‌ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ସେମାନଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେମାନଙ୍କ ସହଯୋଗୀଙ୍କ ମଧ୍ୟରେ ଭାଳେଣି ପଡ଼ି ଯାଇଛି। ପୂର୍ବରୁ ମଧ୍ୟ ୫ଜଣ ଟ୍ରାଫିକ୍‌ ପୁଲିସ୍‌ ଆକ୍ରାନ୍ତ ହୋଇଥିଲେ। ସୂଚନାଯୋଗ୍ୟ, କ୍ୟାପିଟାଲ ଥାନା ସହ ଅନ୍ୟ ଥାନାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଟ୍ରାଫିକ୍‌ ଭଳି ଏକ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ରାଜଧାନୀରେ ଦିନକୁ ଦିନ ଗହଳି ବଢ଼ୁଛି। ଏଭଳି ସ୍ଥିତିରେ ଟ୍ରାଫିକ୍‌ ପୁଲିସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ବ୍ୟବସ୍ଥା ପାଇଁ ବିପଦ ଆଣିଛି।

ବାସ୍ତବରେ ରିଜର୍ଭରେ ହିଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଆଜି ଆକ୍ରାନ୍ତ ହୋଇଥିବା ୮ଜଣ ମଧ୍ୟ ଏହି ରିଜର୍ଭରେ ରୁହନ୍ତି। କର୍ମଚାରୀମାନେ ଏକାଠି ଏହି ରିଜର୍ଭରେ ରହୁଥିବାରୁ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରିଜର୍ଭ ଭିତରେ ସଙ୍ଗରୋଧ କେନ୍ଦ୍ର କରାଯାଇଛି। ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କର ନମୁନା ପରୀକ୍ଷା କରାଯିବା ସହ ସଙ୍ଗରୋଧରେ ରଖାଯାଇଛି। ସୂଚନାଯୋଗ୍ୟ, କମିସନରେଟ୍‌ ପୁଲିସରେ ଶହେରୁ ଊର୍ଦ୍ଧ୍ବ ପୁଲିସ୍‌ କର୍ମଚାରୀ ଆକ୍ରାନ୍ତ ହୋଇଥିବା ବେଳେ ଏହି ତାଲିକାରେ ଜଣେ ଏସିପିସ୍ତରର ଅଧିକାରୀ ରହିଛନ୍ତି। ୬ଜଣ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ୪୫ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି।

କ୍ୟାପିଟାଲ ହସ୍ପିଟାଲ କର୍ମଚାରୀ ଆକ୍ରାନ୍ତ
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲର ‌ଜଣେ କର୍ମଚାରୀ ଆଜି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ବ୍ୟକ୍ତିଜଣକ ହସ୍ପିଟାଲ ପରିଚାଳକ ବୋଲି ଜଣାପଡ଼ିଛି। ତାଙ୍କର କୌଣସି ଲକ୍ଷଣ ନ ଥିବା ବେଳେ କୋଭିଡ୍‌ ପରୀକ୍ଷାରୁ ସେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ପ୍ରତିଷେଧମୂଳକ ବ୍ୟବସ୍ଥା ପାଇଁ ହସ୍ପିଟାଲ କର୍ତୃପକ୍ଷ ପରିଚାଳକ କାର୍ଯ୍ୟ କରୁଥିବା ରୁମ୍‌କୁ ଆସନ୍ତା ୪୮ଘଣ୍ଟା ପାଇଁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର