ଭୁବନେଶ୍ବର/ ଚନ୍ଦ୍ରଶେଖରପୁର/ ବାଲିଅନ୍ତା: ଦୀପାବଳିରେ ସାରା ସହର ଉତ୍ସବ ମୁଖର ଥିଲା। ଲୋକେ ବାଣଫୁଟା ଓ ଆଲୋକ ସଜ୍ଜାରେ ମଜିଯାଇଥିଲେ। କେତେକ ଛୋଟ ଛୋଟ ଘଟଣାକୁ ଛାଡ଼ି ଦେଲେ ଏଥର ଦୀପାବଳି ପ୍ରାୟ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବାଣ ନିଆଁରେ ପୋଡି ହୋଇ ରାଜଧାନୀ ଓ ଏହାର ଉପକଣ୍ଠରେ ପାଖାପାଖି ୮୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨୦ ଛୋଟପିଲା ଥିବା ବେଳେ ୪୦ ବୟସ୍କ ଅଛନ୍ତି। ସେହିପରି ଏହି ସମୟରେ ଅନ୍ୟାନ୍ୟ ଦୁର୍ଘଟଣାରେ ୨୦ରୁ ଊର୍ଧ୍ବଲୋକ ଆହତ ହୋଇଛନ୍ତି।
ରାଜଧାନୀର ସହିଦନଗର, ଲକ୍ଷ୍ମୀସାଗର, ରସୁଲଗଡ଼, ପୁରୁଣା ଭୁବନେଶ୍ବର, ନୂଆପଲ୍ଲୀ, ଆଚାର୍ଯ୍ୟ ବିହାର, ଚନ୍ଦ୍ରଶେଖରପୁର, ରଙ୍ଗମାଟିଆ, ନୀଳାଦ୍ରିବିହାର, ପଟିଆ, ଖଣ୍ଡଗିରି, ବାଲିଅନ୍ତା, ବାଲିପାଟଣା ସମେତ ଆଖପାଖ ଅଞ୍ଚଳରେ ଘଟିଥିବା ଅଘଟଣ ଦ୍ବାରା ଆହତମାନେ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ନୂଆପଲ୍ଲୀ ଅଞ୍ଚଳରେ ଏକ କ୍ୟାବିନରେ ନିଆଁ ଲାଗି ଯାଇଥିଲା। କିନ୍ତୁ ଏଥିରେ କେହି ଆହତ ହୋଇ ନ ଥିଲେ। ସେହିପରି ରାଜଧାନୀ ଉପକଣ୍ଠ ବାଳକାଟି ନୁଆପାଟଣା ଗ୍ରାମର ୬ ଜଣ ଯୁବକ ଗୁରୁତର ଆହାତ ହୋଇଛନ୍ତି। ଆହତମାନେ ହେଲେ ସୁଶୀଳ ଖଟେଇ (୩୦), ରିଙ୍କୁ ବେହେରା (୨୦), ବିଠଲ (୧୪), ସୂର୍ଯ୍ୟମଣି ବେହେରା (୨୬), ସନ୍ତୋଷ ବେହେରା (୧୬), ସଂଜୟ ବେହେରା (୧୯) ଓ ଅନ୍ୟ ଜଣେ ବୟସ୍କ ମହିଳା ପ୍ରଭାତୀ ବେହେରା (୬୭)। ପରିବାର ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ ସୁଶୀଳଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ। ଏବେ ବି ସେ ଚିକିତ୍ସାଧୀନ ଅଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ ସୁଶୀଳ ଅନ୍ୟ ଦୁଇ ପିଲାଙ୍କ ସହିତ ସ୍କୁଟିରେ ବାଣ ନେଇ ଘରକୁ ଆସୁଥିଲେ। ଗ୍ରାମ ରାସ୍ତା ଗଡ଼ାଣିରେ ପହଞ୍ଚିବା କ୍ଷଣି ଅନ୍ୟ ଯୁବକ ଓ ପିଲାମାନେ ତାଙ୍କୁ ଅଟକାଇ ବ୍ୟାଗରୁ ବାଣ ନେବାକୁ ଛଡ଼ାଇଥିଲେ। ଫଳରେ ବ୍ୟାଗ ଭିତରେ ଥିବା ଶୂନଫଟକା କଂକ୍ରିଟ ରାସ୍ତାରେ ଖସିପଡ଼ି ପୁଟି ଯିବାରୁ ଗାଡ଼ିରେ ଥିବା ଅନ୍ୟବାଣରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା। ଫଳରେ ଉପସ୍ଥିତ ଯୁବକ ଓ ପିଲାମାନେ ଆହତ ହୋଇଥିଲେ। କାହାର ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଛି ତ ଆଉ କାହାର ଗୋଡ଼, ହାତ ଓ ମୁହଁ କ୍ଷତାକ୍ତ ହୋଇଥିଲା। ସେହିପରି ଘରେ ବାଣଫୁଟାଉଥିବା ବେଳେ ପ୍ରଭାତୀ ଆହାତ ହୋଇଥିବା ନେଇ ସୂଚନା ମିଳିଛି।
ଦୀପାବଳିରେ ବାଣ ଫୁଟାଉଥିବା ବେଳେ ଅଘଟଣ ଘଟି ଚନ୍ଦ୍ରଶେଖରପୁର ଅଞ୍ଚଳର ବିଭିନ୍ନ ଘରୋଇ ହସ୍ପିଟାଲରେ ୨୫ରୁ ଊର୍ଦ୍ଧ୍ବ ଆହତଙ୍କଚ ଚିକିତ୍ସିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ଜଣ ବାଣ ଜନିତ ନିଆଁରେ ପୋଡ଼ିହୋଇ ଭର୍ତି ହୋଇଥିଲେ। କିମସ୍ ହସ୍ପିଟାଲ୍ ତଥ୍ୟ ଅନୁଯାୟୀ ଆଖପାଖ ଅଞ୍ଚଳର କିଛି ଶିଶୁ ଓ ଯୁବକ ବାଣ ନିଆଁରେ ପୋଡି ହୋଇ ଚିକିତ୍ସିତ ହୋଇଥିଲେ। ଦୀପାବଳି ପାଇଁ ହସ୍ପିଟାଲରେ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଥିବାରୁ ରୋଗୀମାନଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା। ହାଉସିଂବୋର୍ଡ କଲୋନିରେ ସୁବାସିନୀ ଦେବତା ନାମକ ମହିଳା ବାଣ ଫୁଟାଉଥିବା ବେଳେ ତାଙ୍କ ଲୁଗାରେ ନିଆଁ ଲାଗି ଯାଇଥିଲା। କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଥିବା ଏକ ଛାତ୍ରୀନିବାସର ୩ଜଣ ଯୁବତୀ ବାଣ ଫୁଟାଉ ଥିବା ବେଳେ ଆହତ ହୋଇଛନ୍ତି। ଏହା ବ୍ୟତୀତ ରଙ୍ଗମାଟିଆ, ନୀଳାଦ୍ରିବିହାରରେ ବାଣ ପୁଟାଇବା ନେଇ ଗୋଷ୍ଠୀ ସଂଘର୍ଷ ତଥା ବିବାଦ ସୃଷ୍ଟି ହୋଇଥିଲା। ସ୍ଥାନୀୟ ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଘଟଣାକୁ ଆୟତ୍ତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/sgh5sf6h4sfh7sf89h7f5h1f23x1hsdfsdfsdfsdfsdfsdfsdfsdfsdfsdfffff.jpg)