ରଙ୍ଗରୁଟ୍‌ରେ ଯାଇ ୮୦ ବାଇକ୍‌ ଜବତ ହେବା ଘଟଣା: କୋର୍ଟ, ସିଏସ୍ଆଇ ଓ ଥାନା ଚକ୍କର କାଟି ମାଲିକ ନାକେଦମ

ଭୁବନେଶ୍ବର: ସପ୍ତାହକ ତଳେ ଟ୍ରାଫିକ ଡିସିପି ସାଗରିକା ନାଥଙ୍କ ନେତୃତ୍ବରେ ୯ଟି ଟିମ୍‌ ରାଜଧାନୀର ଡମଣା ଛକ, କିଟ୍‌ର କୋଏଲ କ୍ୟାମ୍ପସ, ତନିସ୍କ କଟ୍, ଜାଗମରା, ଏସ୍‌ପ୍ଲାନେଡ୍‌, ରାଜମହଲ ଛକର ଦୁଇପାର୍ଶ୍ବ, ରାଜଭବନ ପେଟ୍ରୋଲ ପମ୍ପ ନିକଟ ଛକ, ରୁପାଲି ଓ ଗଙ୍ଗନଗର ଛକରେ ଏକ ସମୟରେ ଚେକିଂ କରିଥିଲେ। ଚେକିଂ ବେଳେ ରଙ୍ଗରୁଟ୍‌ରେ ଯାଉଥିବା ୮୦ଜଣ ବାଇକ୍‌ ଚାଳକ ଧରା ପଡ଼ିଥିଲେ। ସେମାନଙ୍କଠାରୁ ଜରିମାନା ଆଦାୟ କରିବା ବଦଳରେ ବାଇକ୍‌ ଜବତ କରି ସିଜର୍‌ ତାଲିକାର ନକଲ ଧରାଇ ଦେଇଥିଲା। ମୂଳ ତାଲିକାକୁ ପିଆର୍‌, ଏମ୍‌ଭି ଫର୍ମ ସହ ସଂଯୋଗ କରି ପୁଲିସ କୋର୍ଟକୁ ମଧ୍ୟ ପଠାଇ ଦେଇଥିଲା। ପୁଲିସ ପକ୍ଷରୁ ସେହିଦିନ କୁହାଯାଇଥିଲା, ବାଇକ୍‌ ମାଲିକମାନେ କୋର୍ଟରେ ହାଜର ହୋଇ ଜରିମାନା ଦେବେ କିମ୍ବା ମାନ୍ୟବର ବିଚାରପତି ଚାହିଲେ ଜେଲ୍‌ ପଠାଇବେ। ଯଦି କୋର୍ଟରେ ଜରିମାନା ଦେବେ, ତେବେ ବାଇକ୍‌ ମାଲିକମାନେ କୋର୍ଟ କପି ଟ୍ରାଫିକ୍‌ ଥାନାରେ ଦେଖାଇବା ପରେ ବାଇକ୍‌ ନେଇପାରିବେ। କିନ୍ତୁ ସପ୍ତାହକ ପରେ ଏବେ ସ୍ଥିତି ଭିନ୍ନ। ବାଇକ ମାଲିକମାନେ କୋର୍ଟ, ସିଏସଆଇ ଓ ଦୁଇ ଦୁଇଟି ଟ୍ରାଫିକ୍‌ ଥାନା ଦୌଡ଼ି ଦୌଡ଼ି ହତାଶ ହୋଇଗଲେଣି। କିନ୍ତୁ ବାଇକ୍ ଥାନାରୁ ନେଇ ପାରୁନାହାନ୍ତି। ଥାନା କ୍ୟାମ୍ପସ ଭିତରେ ବାଇକ୍‌ ପଡ଼ି ରହିଛି। ଅଧାରୁ ଅଧିକ ବାଇକର ଯନ୍ତ୍ରାଂଶ ଗାଏବ ହୋଇଗଲାଣି।

Deccan Chronicle

ସୂଚନା ଅନୁଯାୟୀ, ଗତ ସୋମବାର ସିଏସ୍ଆଇ ସମସ୍ତ ମାମଲାର କାଗଜପତ୍ର କୋର୍ଟରେ ଦାଖଲ କରିଥିଲେ। ପୂର୍ବରୁ ସଂଖ୍ୟାଧିକ ମାମଲାର ଶୁଣାଣି ବିଭିନ୍ନ କୋର୍ଟ ଚାଲୁଥିବା ବେଳେ କମିସନ୍‌ରେଟ୍‌ ପୁଲିସ ପ୍ରଦାନ କରିଥିବା ୮୦ଟି ମାମଲାକୁ ନେଇ କୋର୍ଟ ଅସନ୍ତୋଷ ପ୍ରକଟ କରିଛନ୍ତି। ଅନେକ ମାମଲାର ଶୁଣାଣି ହୋଇ ପାରୁ ନ ଥିବା ବେଳେ ଏଭଳି ମାମଲା ଅଯଥାରେ କୋର୍ଟର ସମୟ ନଷ୍ଟ କରିବ। ଏଥିପାଇଁ କମିସନରେଟ ପୁଲିସ ଉପରେ କୋର୍ଟ ମଧ୍ୟ ବିରକ୍ତି ପ୍ରକାଶ କରିଛନ୍ତି। ସେହି ମାମଲାଗୁଡ଼ିକୁ ପୁଣିଥରେ ତର୍ଜମା କରିବାକୁ କୋର୍ଟ ସିଏସ୍‌ଆଇକୁ ଫେରାଇ ଦେଇଥିବା ସୂଚନା ମିଳିଛି। କିନ୍ତୁ ଏ ସମ୍ପର୍କରେ କେହି ମୁହଁ ଖୋଲୁ ନାହାନ୍ତି। ଏ ସମ୍ପର୍କରେ ଆଇନଜୀବୀ ଅଶୋକ ବଡ଼ପଣ୍ଡା କହିଛନ୍ତି, କମିସନରେଟ ପୁଲିସ ବେଙ୍ଗାଲୁରୁ, କୋଲକାତା, ପୁନେ ଓ ମୁମ୍ବାଇ ସହର ଭଳି ଟ୍ରାଫିକ ନିୟମ ପାଳନ କରିବାକୁ ଯାଇ ଫସିଛି। ସେହି ସବୁ ସହରରେ ଏଭଳି ଟ୍ରାଫିକ ମାମଲାର ବିଚାର ପାଇଁ ସ୍ବତନ୍ତ୍ର କୋର୍ଟ ରହିଛି। କିନ୍ତୁ ରାଜ୍ୟରେ ଏଭଳି କୌଣସି ବି ସ୍ଥାନରେ ସ୍ବତନ୍ତ୍ର କୋର୍ଟ ନାହିଁ। ଏବେ କୋର୍ଟରେ ଯେତିକି ମାମଲାର ଶୁଣାଣି ହେବାର ଅଛି, ତାକୁ ସାରିବାକୁ ବର୍ଷ ବର୍ଷ ଲାଗି ଯାଉଛି। ଏହି ମାମଲାର ଶୁଣାଣି ଶେଷ କରୁ କରୁ ଯୁଗ ଲାଗିଯିବ। ତେଣୁ ବାଇକ୍‌ ମାଲିକମାନେ କେବେ ଥାନାରୁ ବାଇକ୍‌ ନେବେ, ତାକୁ ନେଇ ଏବେ ସନ୍ଦେହ ଉପୁଜିଲାଣି ବୋଲି ଶ୍ରୀ ବଡ଼ପଣ୍ଡା କହିଛନ୍ତି। ଏ ସମ୍ପର୍କରେ ଟ୍ରାଫିକ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜବତ ଗାଡ଼ିଗୁଡ଼ିକର ମାମଲା ଆମେ କୋର୍ଟକୁ ପଠାଇ ଦେଇଛୁ। ଏବେ ଆଉ ଆମ ହାତରେ କିଛି ନାହିଁ। କୋର୍ଟରେ ବିଚାର ପରେ ବାଇକ୍‌ ମାଲିକମାନେ ଜରିମାନା ଦେଇ ବାଇକ୍‌ ନେଇ ପାରିବେ।

ସମ୍ବନ୍ଧିତ ଖବର