ଭୁବନେଶ୍ବର : ବିଏମ୍ସିର ଅବହେଳିତ ମନୋଭାବ ଯୋଗୁଁ ଚକେଇସିହାଣୀସ୍ଥିତ ଶ୍ରୀରାମ ନଗର ସାଇ ମନ୍ଦିର ପଛ ପାର୍ଶ୍ବରେ ଥିବା ବସ୍ତି ବାସିନ୍ଦାଙ୍କ ଜୀବନ ଏବେ ଦୁର୍ବିଷହ ହୋଇପଡ଼ିଛି। ବସ୍ତିରେ ରହୁଥିବା ପାଖାପାଖି ୮୦ ପରିବାର ଅତି ଅସ୍ବାସ୍ଥ୍ୟକର ତଥା ଅପରିଷ୍କାର ପରିବେଶ ଭିତରେ ଜୀବନଯାପନ କରୁଛନ୍ତି। ବିଏମ୍ସି ଅଳିଆ ସଫା ନକରିବା ହେତୁ କୁଢ଼କୁଢ଼ ଅଳିଆ ଘର ସାମ୍ନାରେ ପଡ଼ିରହୁଛି। ଏହାସହ ଖାଲଖମା କଚ୍ଚା ରାସ୍ତା ହୋଇଥିବାରୁ ଯାତାୟାତରେ ବାଧା ଉପୁଜୁଛି। ଏହି ସମସ୍ୟାର ସମାଧାନ ପାଇଁ ବସ୍ତି ବାସିନ୍ଦା ବିଏମ୍ସି ଅଧିକାରୀ ଏବଂ ସ୍ଥାନୀୟ ଜନ ପ୍ରତିନିଧିଙ୍କ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁନାହାନ୍ତି। ଫଳରେ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି।
ସୂଚନା ଅନୁଯାୟୀ, ଭୁବନେଶ୍ବର ୫ନମ୍ବର ୱାର୍ଡର ଶ୍ରୀରାମ ନଗର ବସ୍ତିର ୮୦ ପରିବାର ଦୀର୍ଘ ୧୫ ବର୍ଷ ହେବ ସେଠାରେ ଘର କରି ରହୁଛନ୍ତି। ହେଲେ କେବଳ ବିଦ୍ୟୁତ୍ ସେବାକୁ ବାଦ୍ ଦେଲେ ବିଏମ୍ସିର ଅନ୍ୟ ସମସ୍ତ ସୁବିଧାରୁ ବଞ୍ଚିତ ଅଛନ୍ତି। ମୋରମ୍ ରାସ୍ତା ହୋଇଥିବା ହେତୁ ବର୍ଷା ଦିନେ ଘରୁ ବାହାରିବା ସମ୍ଭବ ହେଉନାହିଁ। ସେହି ଅଞ୍ଚଳ ବସ୍ତିର ସବୁଠୁ ତଳ ଅଞ୍ଚଳ ହୋଇଥିବା ବେଳେ ବର୍ଷା ପାଣି ସେହି ବାଟେ ଯିବା ଦ୍ବାରା ରାସ୍ତାରେ ଘାଇ ସୃଷ୍ଟି କରୁଛି। ଏହାଦ୍ବାରା ଗାଡ଼ିମଟରରେ ଯିବା ତ ଦୂରର କଥା, ଚାଲିକି ଯିବା ମଧ୍ୟ ସମ୍ଭବ ହେଉ ନାହିଁ। ପିଲାଛୁଆ ଧରି ରହୁଥିବା ଲୋକମାନେ ବର୍ଷା ଦିନ ସମୟରେ କାଦୁଅ ପଚପଚ ରାସ୍ତାରେ ପଡ଼ିଯିବା ଭଳି ପରିସ୍ଥିତି ଉପୁଜୁଛି। ପିଲାମାନେ ସ୍କୁଲକୁ ଯିବା ତ ଦୂରର କଥା କାଦୁଅ ଯୋଗୁଁ ବେଳେ ବର୍ଷା ଦିନେ ହଠାତ୍ ଡ଼ାକ୍ତରଖାନା ଯିବା କଷ୍ଟ ହୋଇପଡ଼େ। ଅନେକ ସମୟରେ ବର୍ଷାଦିନେ ଗୃହବନ୍ଦୀ ଅବସ୍ଥାରେ ରହିବାକୁ ପଡ଼େ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା, ଏଇଠୁ ୧ କିଲୋମିଟର ଦୂରରେ ବସ୍ତିର ଅନ୍ୟ ଜାଗାରେ ଚକାଚକ୍ ରାସ୍ତା। ହେଲ ଏହି ରାସ୍ତା କୌଣସି ରାଜନୈତିକ ଷଡ଼ଯନ୍ତ୍ର କାରଣରୁ ନିର୍ମାଣ କରାଯାଉନାହିଁ। ବିଏମ୍ସି ଅଧିକାରୀମାନେ ପ୍ରାୟ ପ୍ରତି ବର୍ଷ ଆସି ମାପଚୁପ କରି ଯାଆନ୍ତି। ହେଲେ ବାସ୍ତବରେ କେବେ କାମ ହୁଏନି। ପ୍ରତିଦିନ ଅଳିଆ ଉଠେଇବା ପାଇଁ ବିଏମ୍ସି କର୍ମଚାରୀମାନେ ଏହି ନିକଟକୁ ଆସୁଥିଲେ ମଧ୍ୟ ଏଠାକୁ ଆସୁନାହାନ୍ତି। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଲୋକଙ୍କ କହିବାନୁସାରେ, ଆମେ ଦିନ ମଜୁରିଆ ତଥା ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ହୋଇଥିବା ହେତୁ ପାଖରେ ସମ୍ବଳ ନାହିଁ ଜାଗା ଛାଡ଼ି ଅନ୍ୟତ୍ର ଯିବାକୁ। ତେଣୁ ବାଧ୍ୟ ହୋଇ ଅବ୍ୟବସ୍ଥା ଭିତରେ ରହିବାକୁ ପଡ଼ୁଛି। ଶୀଘ୍ର ଏହାର ସ୍ଥାୟୀ ସମାଧାନ କରା ନଗଲେ ରାସ୍ତାକୁ ଓହ୍ଲାଇବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।