ଭୁବନେଶ୍ବର: ସାଇବର ଠକଙ୍କ ଦ୍ବାରା ‘ଡିଜିଟାଲ୍ ଆରେଷ୍ଟ୍’ ଜରିଆରେ ହେଉଥିବା ଠକେଇ ହାରର ଚିନ୍ତାଜନକ ଭାବେ ବଢ଼ିଚାଲିଛି। ଭୁବନେଶ୍ବର ସମେତ ସାରା ଭାରତରେ ଏ ଧରଣର ଲୁଟତରାଜ ଏତେ ଆତଙ୍କ ସୃଷ୍ଟିକଲାଣି ଯେ ସ୍ବୟଂ ପ୍ରଧାନ ମନ୍ତ୍ରୀ ମଧ୍ୟ ‘ମନ କି ବାତ୍’ରେ ଏ ବିଷୟରେ ଲୋକଙ୍କୁ ସଚେତନ କରିଛନ୍ତି। କିନ୍ତିୁ ଡିଜିଟାଲ୍ ଆରେଷ୍ଟ୍ ମାମଲା ଆରେଷ୍ଟ୍ ହେବା ବଦଳରେ ବେଲଗାମ୍ ବଢ଼ିଚାଲିଛି। ବଡ଼କଥା ହେଉଛି, ମୁଖ୍ୟତଃ ଉଚ୍ଚବର୍ଗର ଓ ଶିକ୍ଷିତ ଲୋକେ ଏହାର ଶିକାର ହେଉଛନ୍ତି। ଏ ଠକଙ୍କର ସଦ୍ୟ ଶିକାର ସାଜିଛନ୍ତି ଭୁବନେଶ୍ବର ଉପକଣ୍ଠ ସୁନ୍ଦରପଦାର ଏକ ଆପାର୍ଟମେଣ୍ଟରେ ରହୁଥିବା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର। ଡିଜିଟାଲ୍ ଆରେଷ୍ଟ୍ ଜରିଆରେ ତାଙ୍କଠାରୁ ସାଇବର ଠକମାନେ ତାଙ୍କର ସମସ୍ତ ବ୍ୟାଙ୍କ ଜମାପୁଞ୍ଜି ୮୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।
ଏ ଘଟଣା ଆମ ସମାଜ ଓ ସହରର ଆଉ ଗୋଟିଏ ବିଲକ୍ଷଣ ଓ ଅବ୍ୟବସ୍ଥା ପ୍ରତି ମଧ୍ୟ ଆଙ୍ଗୁଳି ନିର୍ଦ୍ଦେଶ କରିଛି। ଅବସରପ୍ରାପ୍ତ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ୪ ତାରିଖଠାରୁ ୧୨ ତାରିଖ ପର୍ଯ୍ୟନ୍ତ ସାଇବର ଠକମାନେ ହାଉସ୍ ଆରେଷ୍ଟ କରି ରଖିଥିଲେ। ଜଣେ ବରିଷ୍ଠ ନାଗରିକ ୯ଦିନଧରି ଘରୁ ବାହାରିନଥିଲେ କି କାହା ସହିତ କଥା ହୋଇନଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ଏ ବିଷୟରେ ଦୂରରେ ରହୁଥିବା ତାଙ୍କ ପରିବାର ବା ପଡୋଶୀ ଜାଣି ପାରିନଥିଲେ। କେହି ବ୍ୟସ୍ତ ମଧ୍ୟ ହୋଇନଥିଲେ। ଏହା ଆମ ସାମାଜିକ ଓ ପାରିବାରିକ ସଂପର୍କ କେତେ ହୁଗୁଳି ଗଲାଣି, ତାହା ପ୍ରମାଣିତ କରୁଛି।
ଘଟଣାଟି ଏମିତି: ଗତ ୪ ତାରିଖର ମୁମ୍ବାଇ କ୍ରାଇମ୍ବ୍ରାଞ୍ଚର ଅଧିକାରୀ ପରିଚୟରେ ଜଣେ ଠକ ଏହି ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ କଲ୍ କରିଥିଲା। ମୁମ୍ବାଇରେ ତାଙ୍କ ବିରୋଧରେ ଗିରଫ ଵାରେଣ୍ଟ୍ ଜାରି କରାଯାଇଥିବା କହି ବିଭିନ୍ନ ବାଗରେ ଭୟଭୀତ କରାଇଥିଲା। ତାଙ୍କର ଏକ ଆକାଉଣ୍ଟକୁ ବ୍ୟବହାରକରି ମୁମ୍ବାଇରେ ୨୫ ଲକ୍ଷ ଟଙ୍କା କାରବାର ହୋଇଥିବା ଠକ କହିଥିଲା। ସେ ଟଙ୍କା ବେଆଇନ ଡ୍ରଗ୍ସ କାରବାରରେ ଲାଗିଥିବା ଜଣାପଡ଼ିବାପରେ ତାଙ୍କ ବିରୋଧରେ ସଙ୍ଗିନ ମାମଲା ରୁଜୁ ହୋଇଛି ଏବଂ ଗିରଫ ୱାରେଣ୍ଡ ଜାରିହୋଇଛି। କେବଳ ସେତିକି ନୁହେଁ, ହ୍ବାଟ୍ସଆପ୍ କଲ୍ ଜରିଆରେ ଠକ ଏକ ନକଲି ଗିରଫ ଵାରେଣ୍ଟ ମଧ୍ୟ ଦେଖାଇଥିଲା। ବିଭିନ୍ନ କୌଶଳ କରି ସେ ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଭୀଷଣ ଭୟଭୀତ କରିବାରେ ସଫଳ ହୋଇଥିଲା। କୌଶଳକ୍ରମେ ଠକ ପଚାରି ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ପେସା ଓ ସେ ଏକୁଟିଆ ରହୁଥିବା ବୁଝି ନେଇଥିଲା। ତା’ପରେ ସେ ମନିଲଣ୍ଡରିଂ ମାମଲାରେ ତଦନ୍ତ ଶେଷ ନହେବାଯାଏ ‘ହାଉସ୍ ଆରେଷ୍ଟ୍’ କରି ରଖାଗଲା ବୋଲି କହିଥିଲା। ତାଙ୍କୁ ଆହୁରି ଡରାଇବାକୁ ଏବଂ ତାଙ୍କ ବିଶ୍ବାସ ଜିତିବାକୁ ଠକର ଜଣେ ସହଯୋଗୀ ସ୍ଥାନୀୟ କ୍ରାଇମ୍ବ୍ରାଞ୍ଚ ଅଧିକାରୀ ହୋଇ କଲ୍ କରି ତାଙ୍କୁ ଆହୁରି ଭୟଭୀତ କରିଥିଲା। ମାମଲାରୁ ରକ୍ଷା ପାଇବାଲାଗି ଏକଥା କାହାରିକୁ ନକହ, କାହା ସହିତ ଯୋଗାଯୋଗ ନରଖି ତଦନ୍ତରେ ସହଯୋଗ କରିବାକୁ ଠକ ତାଙ୍କୁ କହିଥିଲା। କଥା ପ୍ରଚାରକଲେ ମାମଲା ବିଗିଡ଼ିବ ବୋଲି ସତର୍କ କରାଇଥିଲା। ସେ କଥାକୁ ବିଶ୍ବାସ କରି, ମାମଲାରୁ ବର୍ତ୍ତିବା ପାଇଁ ୬୫ ବର୍ଷ ବୟସ୍କ ଉକ୍ତ ଅବସରପ୍ରାପ୍ତ ମ୍ୟାନେଜର ୪ ତାରିଖଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଖାଇବାକୁ ହୋଟେଲ୍ ଯିବା ବ୍ୟତୀତ ଘରୁ ବାହାରି ନଥିଲେ କି କାହାରିକୁ କିଛି କହିନଥିଲେ।
ପରେ ବିଭିନ୍ନ ବାହାନାରେ ଠକମାନେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ ମାଗିଥିଲେ। ନିକଟରେ ସେ ଅବସର ନେଇଥିବାରୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ମୋଟାଅଙ୍କର ଟଙ୍କା ଥିବା ଠକ ଜାଣିପାରିଥିଲେ। ତାଙ୍କର ୫ଟି ଆକାଉଣ୍ଟରେ ଥିବା ଟଙ୍କାକୁ ଯାଞ୍ଚ କରାଯିବା ବୋଲି କହି ଏକ ଆକାଉଣ୍ଟ ନମ୍ବର ଦେଇଥିଲେ। ସବୁ ଟଙ୍କା ଉକ୍ତ ଆକାଉଣ୍ଟକୁ ଟ୍ରାନସ୍ଫର୍ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। କହିଥିଲେ, ଯାଞ୍ଚ ପରେ ସବୁ ଟଙ୍କା ମୂଳ ଆକାଉଣ୍ଟ୍ସବୁକୁ ଫେରିଯିବ। ଭୟରେ ଆତଙ୍କିତ ଅବସରପ୍ରାପ୍ତ ଅଧିକାରୀ ଜଣକ ତାଙ୍କ କଥା ମାନିଥିଲେ। ଗତ ୪ ତାରିଖରୁ ୧୨ ତାରିଖ ଭିତରେ ୫୦, ୦୦୦ , ୧୨ ଲକ୍ଷ, ୮ଲକ୍ଷ, ୩୦.୨୦ ଲକ୍ଷ ଓ ୪୦ ଲକ୍ଷ- ଏହିଭଳି ନିଜର ୫ଟି ଆକାଉଣ୍ଟର ସବୁ ଜମା ଠକଙ୍କ ଆକାଉଣ୍ଟକୁ ଟ୍ରାନସଫର୍ କରିଥିଲେ। କିନ୍ତୁ ତା’ପରେ ଠକମାନଙ୍କ ସହିତ ସବୁ ଯୋଗାଯୋଗ କଟି ଯାଇଥିଲା। ଯେଉଁ ନମ୍ବରରେ ଠକମାନେ କଲ୍ କରୁଥିଲେ, ତାହା କାମ କରିବା ବନ୍ଦ ହୋଇଗଲା। ତା’ପରେ ସେ ସାଇବର ପୁଲିସ ପାଖକୁ ଯାଇ ଅଭିଯୋଗ କରିଛନ୍ତି।
ସାଇବର ଥାନା ସୁତ୍ରରୁ ମିଳୀଥିବା ସୂଚନା ଅନୁସାରେ, ଭୁବନେଶ୍ବର ଓ କଟକରେ ଅକ୍ଟୋବର ମାସରେ ହିଁ ପ୍ରାୟ ୧୦ କୋଟିର ସାଇବର ଠକେଇ ହୋଇଛି। ଏହାର ୬୦ ପ୍ରତିଶତ ଟ୍ରେଡିଂ ଠକେଇ ହୋଇଥିବାବେଳେ ୩୦ ପ୍ରତିଶତ ଡିଜିଟାଲ୍ ଆରେଷ୍ଟଜନିତ ଠକେଇ। ନଭେମ୍ବର ମାସର ପ୍ରଥମ ୧୫ ଦିନ ଭିତରେ ଡିଜିଟାଲ୍ ଆରେଷ୍ଟ ଜରିଆରେ ସାଇବର ଠକମାନେ ୮ଜଣ ଲୋକଙ୍କଠାରୁ ୧ କୋଟିରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2021/02/cyber-fraud.jpg)