ଚନ୍ଦ୍ରଶେଖରପୁର: ନିଜକୁ ଜାତୀୟ ମାନବାଧିକାର ଆୟୋଗର(ଏନ୍‌ଏଚ୍‌ଆର୍‌ସି) ଜଣେ ଅଧିକାରୀ କହି ଦିଲ୍ଲୀ ଏମ୍‌ସରେ ଚିକିତ୍ସା ସହଯୋଗ କରିବା ନାଁରେ ଜଣେ ବ୍ୟବସାୟୀଙ୍କଠାରୁ ୮୦ ହଜାର ଟଙ୍କା ଠକିବା ଅଭିଯୋଗରେ ଆଜି ମୈତ୍ରୀବିହାର ଥାନା ପୁଲିସ ଜଣେ ଧୂର୍ତ୍ତକୁ ଗିରଫ କରିଛି। ଅଭିଯୁକ୍ତଜଣକ ସ୍ଥାନୀୟ ଏମ୍‌ଆଇଜି କଲୋନିର ସରୋଜ କୁମାର ବେହେରା(୪୧)। ପୁଲିସ ସୂଚନାନୁସାରେ ଅଭିଯୋଗକାରୀ ପବିତ୍ର ମୋହନ ସାହୁଙ୍କ ପୁଅ ଅସ୍ଥିରୋଗରେ ପୀଡ଼ିତ। ସେ ଦିଲ୍ଲୀ ଏମ୍‌ସରେ ପୁଅର ଚିକିତ୍ସା କରାଇବାକୁ ଚାହୁଥିଲେ। ପାଖରେ ଅର୍ଥବଳ ଥିଲେ ହେଁ ଦିଲ୍ଲୀରେ ତାଙ୍କୁ କେହି ସହଯୋଗ କଲା ଭଳି ଲୋକ ନଥିଲେ। ଏଭଳି ସ୍ଥିତିରେ ତାଙ୍କ ବ୍ୟାବସାୟିକ ସଂସ୍ଥାକୁ ଆସିଥିବା ଧୂର୍ତ୍ତ ସରୋଜ ଦିଲ୍ଲୀ ଏମ୍‌ସ କଥା ଶୁଣିବା ପରେ ତାଙ୍କୁ ଚୂନ ଲଗାଇବାକୁ ଯୋଜନା କଲା।

Advertisment

ନିଜକୁ ଜାତୀୟ ମାନବାଧିକାର ଆୟୋଗର ଜଣେ ଅଧିକାରୀ ବୋଲି ପରିଚୟ ଦେଲା ଏବଂ ଦିଲ୍ଲୀରେ ସବୁ ସୁବିଧା ଯୋଗାଇବ ବୋଲି କହିଲା। ପୁଅର ଚିକିତ୍ସା ପାଇଁ ବ୍ୟାକୁଳ ହେଉଥିବା ପବିତ୍ର ଠକ ସରୋଜ କଥାକୁ ବିଶ୍ବାସ କଲେ। ପବିତ୍ର ବିଶ୍ବାସ କରିବା ପରେ ଦିଲ୍ଲୀ ଯିବାଆସିବା ଆଦି ଖର୍ଚ୍ଚ ପାଇଁ ସରୋଜ ଆଗୁଆ ୮୦ ହଜାର ଟଙ୍କା ନେଇଗଲା। ଟଙ୍କା ପାଇଯିବା ପରେ ସରୋଜ ଉଭାନ ହୋଇଗଲା। ଠକାମିର ଶିକାର ‌ହେବା ଜାଣିବା ପରେ ପବିତ୍ର ପୁଲିସର ଦ୍ବାରସ୍ଥ ହେଲେ। ତେଣୁ ସରୋଜ ପବିତ୍ରଙ୍କୁ ଏକ ଚେକ୍‌ ଧରାଇ ମାମଲାର ରଫାଦଫା କରାଇନେଲା। କିନ୍ତୁ ପରେ ଚେକ୍‌ଟି ବାଉନ୍‌ସ ହୋଇଗଲା। ତେଣୁ ପବିତ୍ର ପୁଣି ଥାନାରେ ଅଭିଯୋଗ କରିଥିଲେ।