ଭୁବନେଶ୍ବର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ୮ ହଜାର ସ୍ୱୟଂ ସହାୟକ ମହିଳା, ଟ୍ରାନ୍ସଜେଣ୍ଡର ଓ ଅଳିଆ ଉଠାଳିଙ୍କୁ ସାଇକେଲ ବାଣ୍ଟିବ। ବିଭାଗୀୟ ସଚିବ ଜି ମାଥିଭାଥାନନ କହିଛନ୍ତି, ଯେଉଁମାନେ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କାମ କରୁଛନ୍ତି, ସେମାନଙ୍କ ଗମନାଗମନ ସୁବିଧା ପାଇଁ ସାଇକେଲ ଦିଆଯିବ। ସେହିପରି ଡିସେମ୍ବର ୨୦୨୩ ସୁଦ୍ଧା ଜାଗା ମିଶନ ଅଧୀନରେ ଲକ୍ଷେ ଲୋକଙ୍କୁ ଜମି ପଟ୍ଟା ଯୋଗାଇ ଦିଆଯିବ। ୫ଟି ସହର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଭଳି ସହରର ଲୋକଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ।

Advertisment

ଡ୍ରିଙ୍କ ଫର୍ମ ଟ୍ୟାପ ୱାଟରରେ ପୁରୀରେ ଶତ ପ୍ରତିଶତ କାମ କରୁଥିବା ବେଳେ ଭୁବନେଶ୍ୱର, କଟକ, ଗୋପାଳପୁରରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ହରଘର ପାଣି ସ୍କିମ ବି ଦ୍ରୁତ ଗତିରେ କାର୍ଯ୍ୟ କରାଯାଉ ଥିବା କହିଛନ୍ତି ବିଭାଗୀୟ ସଚିବ। ସେହିପରି ବିଜୁ ଆଦର୍ଶ କଲୋନି ଯୋଜନା ଅଧିକ ତ୍ୱରାନ୍ୱିତ କରିବା ସହ ସେଠାରେ ଗୋଷ୍ଠୀ ଶୌଚାଳୟ ବଦଳରେ କ୍ଲଷ୍ଟର ଶୌଚାଳୟ ପାଇଁ ଯୋଜନା କରାଯାଇଛି, ଯାହାର ନାମ ରହିଛି ମୋ ଟଏଲେଟ ଯୋଜନା । ଏଥିପାଇଁ ହିତାଧିକାରୀଙ୍କୁ ୧୬ ହଜାର ଟଙ୍କା ସବ୍‌ସିଡି ଆକାରରେ ଯୋଗାଇ ଦିଆଯିବ ।