ଭୁବନେଶ୍ବର: ‘‘ଏଠି ସରକାରୀ ହିସାବରେ ଜମିର ଦାମ୍ ଏକର ପିଛା ଅଢେଇ କୋଟି। ବେସରକାରୀ ମୂଲ୍ୟ ତ ଆକାଶଛୁଆଁ! ତେଣୁ କାଦୁଅରେ ପଶି ଚାଷ କରିବାକୁ ବେଶୀ ଲୋକ ଆଗ୍ରହ ଦେଖାଉ ନାହାନ୍ତି। ଆଗରୁ ଯେଉଁଠି ଧାନ, ମୁଗ, ବିରି ଲହଡ଼ି ମାରୁଥିଲା, ଆଜି ସେଠି ରେଳ ଲାଇନ, ମାର୍କେଟ କଂପ୍ଲେକ୍ସ, ଆପାର୍ଟମେଣ୍ଟ ଆଉ ଭଳିକି ଭଳି ବଡ଼ ପ୍ରକଳ୍ପ। ମୋ’ ଜମି ଚାରିପାଖରେ ବି ରେଳ ଲାଇନ, ଆପାର୍ଟମେଣ୍ଟ, ଏମ୍ସ ଡାକ୍ତରଖାନା ହେଇ ଗଲାଣି, ହେଲେ ଚାଷ ବନ୍ଦ କରିଦେଲେ ଆଉ କ’ଣ କରିବି ଭାବି ହଳ ଛାଡ଼ିପାରି ନାହିଁ। ଚଳିତ ଖରିଫରେ ଭାଗଚାଷ ୩ ଏକର ସହିତ ସମୁଦାୟ ୫ ଏକର ଜମିରେ ଧାନଚାଷ କରିଛି। କିଛି ଦିନ ପୂର୍ବରୁ ଆଇଗିଣିଆ ମଣ୍ଡିରେ ଧାନ ବିକ୍ରି ମଧ୍ୟ କରିଛି। ପାଣି ସୁବିଧା ନଥିବାରୁ ରବି ଚାଷ ହୋଇ ପାରିନାହିଁ।’’- ଏ ହେଉଛି ଏମ୍ସ ପାଚେରୀକୁ ଲାଗି ରହିଥିବା ରାଜଧାନୀ ସ୍ଥିତ ଛୋଟରାୟପୁର ଗାଁର ସୁକାନ୍ତ ଖୁଣ୍ଟିଆ(୬୭)ଙ୍କ ମୁହଁର କଥା।
ଚାଷରେ ଲାଭ ନାହିଁ କି ସମ୍ମାନ ନାହିଁ ବୋଲି ଗୋଟିଏ ଧାରଣା ସାରା ଓଡ଼ିଶାରେ ତିଆରି ହୋଇ ଯାଇଛି। ସେଥିପାଇଁ ନିପଟ ମଫସଲ ଅଞ୍ଚଳରେ ମଧ୍ୟ ଅନେକ ଲୋକ ଚାଷ ଛାଡ଼ିଦେଇ ଅନ୍ୟ ବେଉସାରେ ପଶି ଗଲେଣି। ଅନେକ ଲୋକ ତ କେବଳ ଚାଷ କରିବା ବନ୍ଦ କରି ନାହାନ୍ତି, ନିଜ ଚାଷଜମିକୁ ବିକ୍ରି କରି ସାରିଛନ୍ତି। ତଥାପି ଚାଷରୁ ବର୍ଷକୁ ମାମୁଲି ଲାଭ ହେଉଥିବା ଜମିକୁ ବିକ୍ରି କରିଦେଲେ କୋଟି କୋଟି ମିଳିବାର ପ୍ରଲୋଭନ ଆଡ଼କୁ ମନ ନଦେଇ ସୁକାନ୍ତଙ୍କ ଭଳି ରାଜଧାନୀର କିଛି ଲୋକ ଏବେ ବି ଚାଷ ଜାରି ରଖିଛନ୍ତି। ସେହି ଛୋଟରାୟପୁର ଅଞ୍ଚଳର ଆଉ ଜଣେ ଚାଷୀ ରବୀନ୍ଦ୍ର ଦାସ କହନ୍ତି, ସେ ପ୍ରାୟ ୪୦ ବର୍ଷ ହେଲା ତାଙ୍କର ୫ ଏକର ଜମିରେ ହଳ ବଳଦରେ ଚାଷ କରୁଛନ୍ତି। ତାଙ୍କ ଗାଁ ସହର ହେଲାଣି। ପୂର୍ବରୁ ସାହିର ପ୍ରତ୍ୟେକ ପରିବାର ଚାଷ କରୁଥିଲେ, ଆଜି କିନ୍ତୁ ମାତ୍ର ୪-୫ ଜଣ ଚାଷୀ ରହିଯାଇଛନ୍ତି। କେବଳ ଛୋଟରାୟପୁରର ସୁକାନ୍ତ ବା ରବୀନ୍ଦ୍ର ନୁହନ୍ତି, ରାଜଧାନୀରେ ଜମିର ଆକାଶଛୁଆଁ ଦର ସତ୍ତ୍ବେ ଆଜି ବି ଖରିଫ୍ରେ ଏଠାକାର ପ୍ରାୟ ୮,୬୦୦ ହେକ୍ଟର ଏବଂ ରବିରେ ୨,୫୦୦ ହେକ୍ଟର ଜମିରେ ଚାଷ ହେଉଛି। ଏଥିରୁ ୮,୪୦୦ ହେକ୍ଟରରେ ଧାନଚାଷ ହେଉଥିବାବେଳେ ବାକି ଜମିରେ ମୁଗ, ବିରି ଏବଂ ପରିବା ଚାଷ କରାଯାଉଛି। ଏଠାରେ ହେକ୍ଟର ପ୍ରତି ୨୦ କ୍ବିଣ୍ଟାଲ ଧାନ ଉତ୍ପାଦିତ ହେଉଛି। ଭୁବନେଶ୍ବର କୃଷି ବିଭାଗର ସୂଚନା ଅନୁସାରେ, ବିଏମ୍ସି ଅନ୍ତର୍ଗତ ପାତ୍ରପଡ଼ା, ନୂଆଁଗାଁ ଏବଂ ରାଜଧାନୀ ଉପକଣ୍ଠରେ ସ୍ଥିତ ଇତିପୁର, ଟିକର ପଡ଼ା, ଧଉଳି, ଲିଙ୍ଗିପୁର, ବାଚୁଆଗାଇ, ଶିଶୁପାଳଗଡ଼, ପରିମୁନ୍ଦ, କଲ୍ୟାଣପୁର, ଗାଢା, ରଘୁନାଥପୁର, ନୂଆଁପୁର, ତମାଣ୍ଡୋ, ରଣସିଂହପୁର, ଅନ୍ଧାରୁଆ, ଦାରୁଠେଙ୍ଗ, ଚନ୍ଦକା, କଣ୍ଟାମାଡ଼ ଓ ମେଣ୍ଢାଶାଳ ପଞ୍ଚାୟତରେ ଚାଷ ହେଉଛି।
ତେବେ ଏମିତି ବି କିଛି ଲୋକ ଅଛନ୍ତି, ଯେଉଁମାନେ ଚାଷ କରିବାର ଆଗ୍ରହ ଥିଲେ ହେଁ ନିକଟରେ ଚାଷ ଛାଡ଼ି ଦେଇଛନ୍ତି। ସେମିତି ଜଣେ ହେଉଛନ୍ତି ଗୁଣନିଧି ସାହୁ। ଗୁଣନିଧି ୨ ବର୍ଷ ତଳୁ ଚାଷ ଛାଡ଼ି ଦେଇଛନ୍ତି। ସେ କହନ୍ତି, ଚାଷଜମି ଥିବା ଅଞ୍ଚଳରେ ଯଦି କୌଣସି ପ୍ଲଟ୍ରେ ପକ୍କାଘର ତିଆରି ହୋଇଯାଏ କି ପକ୍କା ସଡ଼କ ହୋଇଯାଏ, ତେବେ ପାଣି ଯିବା ଆସିବାର ପ୍ରାକୃତିକ ବାଟ ପ୍ରଭାବିତ ହୁଏ। ତେଣୁ ସେଠାରେ ଅନ୍ୟମାନଙ୍କ ପାଇଁ ଚାଷ କରିବା ସହଜ ହୁଏନାହିଁ। ପୁଣି ସମସ୍ତେ ଚାଷ କରୁ ନଥିବାରୁ ଗାଈ ବଳଦଙ୍କୁ ଆକଟ କରିବାରେ କେହି ମନ ଦିଅନ୍ତିନି। ତେଣୁ ଯେଉଁ ଜଣେ ଦୁଇଜଣ ଚାଷ କରନ୍ତି, ସେମାନଙ୍କୁ ଦିନରାତି ଗାଈ ବଦଳଙ୍କୁ ଜଗିବାକୁ ହୁଏ। ଏସବୁ କାରଣରୁ ତଥା ପିଲାମାନଙ୍କର ଆଗ୍ରହ ନଥିବାରୁ ତଥା ବୟସ ବଢ଼ିବାରୁ ନିଜଦ୍ବାରା ଅଧିକ ଖଟିବା ସମ୍ଭବ ନଥିବାରୁ ସେ ବାଧ୍ୟରେ ଚାଷ ଛାଡ଼ି ଦେଇଛନ୍ତି। ରାଜଧାନୀ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଏହି ରୀତି ଗତ ୧୫-୨୦ ବର୍ଷ ତଳୁ ଆରମ୍ଭ ହୋଇ ଯାଇଛି। ଜଣେ ପରେ ଜଣେ ଚାଷୀ ଚାଷ ଛାଡ଼ି ଦେଉଛନ୍ତି। ପୂର୍ବଠାରୁ ବର୍ତ୍ତମାନ ଧାନ ବିକ୍ରି ସହଜ ହେଉଥିଲେ ମଧ୍ୟ ଖର୍ଚ୍ଚ ତା’ ତୁଳନାରେ ବହୁତ ଅଧିକ ବଢ଼ିଛି। ସହରାଞ୍ଚଳରେ ବଳଦ ପାଳିବା କଷ୍ଟକର କାମ। ଅନ୍ୟ ଅନେକ କାମର ସୁଯୋଗ ଥିବାରୁ ଚାଷ ପାଇଁ ଲୋକ ମିଳିବା ମଧ୍ୟ ସହଜ ହେଉନାହିଁ। ସମସ୍ତେ ୧୦ ଲକ୍ଷରୁ ଅଧିକ ଦାମ୍ରେ ଟ୍ରାକ୍ଟର କିଣିପାରିବେ ନାହିଁ। ତେଣୁ ଇଚ୍ଛାଥିଲେ ମଧ୍ୟ ଅଧିକାଂଶ ଲୋକ ଚାଷଠାରୁ ଦୂରେଇ ଯାଇଛନ୍ତି। କୃଷି ବିଭାଗ ପକ୍ଷରୁ କୁହାଯାଇଛି, ରାଜଧାନୀରେ ଚାଷଜମି ସଙ୍କୁଚିତ ହେଉଥିବା ଆଶଙ୍କାରେ ପୁନଃ ସର୍ଭେ କରାଯାଉଛି। ତେବେ ଏତେ ପ୍ରତିକୂଳ ପରିସ୍ଥିତିରେ ତଥା ଜମିକୁ ବିଲ୍ଡର ହାତରେ ଟେକିଦେଇ କୋଟି କୋଟି ପାଇବାର ପ୍ରଲୋଭନକୁ ଭୁଲି କିଛି ଲୋକ ଆଜି ମଧ୍ୟ ଚାଷକୁ ଛାଡୁ ନାହାନ୍ତି। ଇଏ କମ୍ କଥା ନୁହେଁ! ସେମାନଙ୍କ ସମ୍ମାନରେ ଥରେ କୁହାଯାଉ- ଜୟ କିଷାନ!