ଭୁବନେଶ୍ବର:ବୟସ ଏଇ କିଛି ସମୟ ହେଲା ୮୦ ଛୁଇଁଛି। ହେଲେ ବଦଳିନି ସେଇ ଯୁବସୁଲଭ ସ୍ବଭାବ। କମଳା ରଙ୍ଗର ପଞ୍ଜାବୀଟେ ପିନ୍ଧି ମଂଚରେ ଯେତେବେଳେ ସେ ବାଦ୍ୟଶିଳ୍ପୀଙ୍କୁ ମାର୍ଗଦର୍ଶନ କରୁଥିଲେ ତାଙ୍କ ଭିତରେ ସେଇ ଯୁବ ସଂଗୀତଜ୍ଞକୁ ଅନୁଭବ କରିବାର ଅବକାଶ ପାଇଥିଲେ ଦର୍ଶକ। ପ୍ରଖ୍ୟାତ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ଜନ୍ମ ଦିବସ ପାଳନ ହେଉଥିବା ବେଳେ ସଂଗୀତ ରାଇଜର ସୁବର୍ଣ୍ଣ ଯୁଗକୁ କିଛି କ୍ଷଣ ଫେରିଯିବାର ଅବସର ଜୁଟିଥିଲା। ପ୍ରଫୁଲ୍ଲ କର ଫାଉଣ୍ଡେସନ୍ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ସଂଗୀତ ସନ୍ଧ୍ୟାରେ ଗୀତରେ ଗୀତରେ କମଳଦେଶ ରାଜକୁମାରଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଭେଟି ଦେଇଥିଲେ କଣ୍ଠଶିଳ୍ପୀବୃନ୍ଦ। ସମସ୍ତଙ୍କ କଣ୍ଠରେ ଭାସି ଆସୁଥିଲା ଓଡ଼ିଆ ସଙ୍ଗୀତ ଜଗତର କାଳଜୟୀ ଗୀତ। ସେହି ଗୀତଗୁଡ଼ିକର ସ୍ରଷ୍ଟା ଥିଲେ ପ୍ରଫୁଲ୍ଲ କର। ଶ୍ରୋତାମାନଙ୍କ କରତାଳିରେ ଫାଟି ପଡ଼ିଥିଲା ପ୍ରେକ୍ଷାଳୟ। ୮୦ ବର୍ଷରେ ପଦାର୍ପଣ କରିଥିବାରୁ ଏହାକୁ ପ୍ରଫୁଲ୍ଲ କରଙ୍କ ‘କୋହିନୂର ଜୟନ୍ତୀ’ ନାମରେ ନାମିତ କରିଥିଲେ ବିଶିଷ୍ଟ ସାହିତ୍ୟିକ ତଥା ପ୍ରପୁଲ୍ଲ କର ଫାଉଣ୍ଡେସନ୍ର ଅଧ୍ୟକ୍ଷ ଦାଶ ବେନହୁର। ସେଇ ସଂଗୀତ ସମ୍ରାଟଙ୍କ ଜନ୍ମ ଦିବସ ଅବସରରେ ଗତକାଲିଠାରୁ ଆରମ୍ଭ ହୋଇଥିବା ସଙ୍ଗୀତ କାର୍ଯ୍ୟକ୍ରମ ‘କମଳ ଦେଶ ରାଜକୁମାର’ର ଆଜି ଥିଲା ଶେଷ ସନ୍ଧ୍ୟା। ଦୁଃଖୀଶ୍ୟାମ ତ୍ରିପାଠୀ, ମହାପ୍ରସାଦ କର, କୁମାର ବିଷ୍ଣୁ, ଅନ୍ତରା ଚକ୍ରବର୍ତ୍ତୀ, ନାଜିଆ ଆଲାମ, ଶର୍ମିଳା ସିଂହ, ସଞ୍ଜୟ ମିଶ୍ର ଓ ଗିରିଜା ଶଙ୍କର ଦାଶ ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ବିଭିନ୍ନ ସମୟରେ ପ୍ରସ୍ତୁତ ହୋଇଥିବା ଲୋକପ୍ରିୟ ଗୀତଗୁଡ଼ିକୁ ପରିବେଷଣ କରିଥିଲେ। ଏହି ଅବସରରେ ‘ଲୋ ଚାନ୍ଦ ମୁହିଁ…’, ‘ଏ ଫୁଲ କହନା…’, ‘ଏମିତି ବି ନଦୀ ଅଛି ଯିଏ…’, ‘ନେଇ ଯା’ରେ ମେଘ ମତେ…’ ‘ରୂପ ହୋଇଥିବ ଲାବଣ୍ୟବତୀ…’ ‘ନା ନା ମୋତେ ପ୍ରେମ କରନା…’ ଭଳି ଗୀତ ଶୁଣିବାକୁ ମିଳିଥିଲା। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମକୁ ସ˚ଯୋଜନା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜିର ସନ୍ଧ୍ୟାକୁ ଉଦ୍ଘାଟନ କରିଥିଲେ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ପ୍ରଫୁଲ୍ଲ କରଙ୍କ ପତ୍ନୀ ମନୋରମା କର ମଞ୍ଚରେ ଉପସ୍ଥିତ ଥିଲେ। ଫାଉଣ୍ତେସନ୍ର ଅଧ୍ୟକ୍ଷ ଦାଶ ବେନହୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସ˚ଯୋଜକ ଡ. ଜେନାମଣି ସଞ୍ଜୀବ କୁମାର, ସମ୍ପାଦକ ଚୌଧୁରୀ ଅମିତାଭ ଦାସ, ଆବାହକ ଗିରିଜା ଦାଶ ଏବଂ ‘ସ˚ସ୍କାର’ର ସାଧାରଣ ସମ୍ପାଦକ ମହାଦୀପ କର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ କରଙ୍କ ସଙ୍ଗୀତ ଜୀବନରେ ଦୀର୍ଘ ଦିନ ଧରି ସହଯୋଗୀ ଥିବା ଜଣାଶୁଣା ତବଲା ବାଦକ ପ୍ରସନ୍ନ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।