ଉତ୍କଳ ବିଶ୍ବବିଦ୍ୟାଳୟ ସହ ରାଜିନାମା କରିବ ଏମ୍‌ସ, ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗବେଷଣା ବ୍ୟାପକ ହେବ

ଉତ୍କଳ ବିଶ୍ବବିଦ୍ୟାଳୟର ୮୦ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ଶିକ୍ଷାର ମନ୍ଦିର ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟ। ଏଠାକାର ସେଣ୍ଟର୍ ଅଫ୍ ଇନୋଭେସନ୍ ଆଣ୍ଡ ଇନକ୍ୟୁବେସନ୍, ଇ-ପାଠାଗାର, ଇ-ପରୀକ୍ଷାଗାର ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ବଢ଼ାଇବା ସହ ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ କରାଉଛି। ଉତ୍କଳର ସ୍ୱତନ୍ତ୍ରତା ହେଉଛି ଏହାର ଇତିହାସ, ଭୂଗୋଳ, ସଂସ୍କୃତି ଓ ପରିବେଶ। ଏହା ବିଶ୍ୱବିଦ୍ୟାଳୟକୁ ବିଶ୍ବର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ କରାଇବାରେ ସହାୟକ ହୋଇପାରିଛି। ବିଶ୍ବର ଯେଉଁଠିକୁ ଯାଆନ୍ତୁ, ସବୁଠି ଉତ୍କଳର ଛାତ୍ରଛାତ୍ରୀଙ୍କୁ ପାଇବେ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସ୍ବପ୍ନ ଓ ଅଭିଳାଷକୁ ସାକାର କରିବାରେ ଉତ୍କଳ ଠିକ୍‌ ଦାୟିତ୍ବ ନିର୍ବାହ କରି ଆସୁଛି। ବିଶ୍ବବିଦ୍ୟାଳୟ ସହ ​‌‌ଭୁବନେଶ୍ବର ଏମ୍‌ସ ରାଜିନାମା ସ୍ବାକ୍ଷର କରିବ। ଏହା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗବେଷଣାକୁ ବ୍ୟାପକ କରିବାରେ ସହାୟକ ହୋଇପାରିବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ୮୦ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର୍‌ ଆଶୁତୋଷ ବିଶ୍ବାସ କହିଛନ୍ତି।

ସ୍ବାସ୍ଥ୍ୟ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିବେ ଉଭୟ ଶିକ୍ଷାନୁଷ୍ଠାନ

ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମା ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଜୀବନରେ ଜ୍ଞାନ ସହ ପ୍ରତିଭା ଓ ଚରିତ୍ର ଉତ୍ତମ ହେବା ଦରକାର। ନିଜର ସୃଜନଶୀଳତା ପ୍ରଦର୍ଶନ ଓ କର୍ତ୍ତବ୍ୟ ସମ୍ପାଦନ ଠିକ୍ ଭାବେ ନିର୍ବାହ କରିବା ପାଇଁ ଦୃଢ଼ ମନୋବଳ ଜରୁରି। ଛାତ୍ରଛାତ୍ରୀ ଜୀବନରେ ଯାହା ବି ହାସଲ କରିବାକୁ ଚାହୁଛନ୍ତି, ସେଥିପାଇଁ ସଂଘର୍ଷ ଓ ପରିଶ୍ରମ କରିବା ଉଚିତ। ଅସଫଳତା ଆମ ଜୀବନର ବଡ଼ ଶିକ୍ଷକ ଅଟେ, ଯେଉଁଠାରୁ ଶିକ୍ଷାଗ୍ରହଣ କରି ତାହାକୁ ସୁଧାରି ନେଇ ପୁଣି ଆଗକୁ ବଢ଼ିଲେ ଆମେ ସଫଳତା ନିଶ୍ଚୟ ପାଇପାରିବା।

କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସ୍ବାଗତ ଅଭିଭାଷଣରେ କହିଲେ, ଉତ୍କଳ ବିଶ୍ବବିଦ୍ୟାଳୟ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭ କରୁଛି। ଏଠାରେ ଇ-ରିସୋର୍ସକୁ ବ୍ୟବହାର ପାଇଁ ଇ-ଲାଇବ୍ରେରିର ସୁବିଧା କାର୍ଯ୍ୟକରୀ ସହ ଇ-ରିସୋର୍ସ ନିମନ୍ତେ ଏକ ଉଚ୍ଚକ୍ଷମତା ସମ୍ପନ୍ନ ଭର୍ଚୁଆଲ ଟ୍ୟୁଟୋରିଆଲ୍‍ ଲ୍ୟାବର ସୁବିଧା କରାଯାଇଛି। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନ ଉତ୍କର୍ଷ ଓ ସମାନତା ପରିଯୋଜନା, କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନରୁ ସରକାରୀ ଆର୍ଥିକ ସହାୟତା ଲାଭ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସହାୟତାରେ ଅର୍ଥନୀତି ବିଭାଗରେ ‘ଆରବିଆଇ ଚେୟାର’ର ପୁନରୁଦ୍ଧାର, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସହାୟତାରେ ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ସ୍ମୃତିରେ ‘ପାଇକ ଚେୟାର’ର ସ୍ଥାପନ ହୋଇଛି। ଡିଜିଟାଲ ପରିକଳ୍ପନା ସାକାର ସହ ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ର ସଫଳ କ୍ରିୟାନ୍ବୟନ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଆଗାମୀ ଦିନରେ ବିଶ୍ବବିଦ୍ୟାଳୟକୁ ନାକ୍ ‘ଏ++’ ମାନ୍ୟତା ପ୍ରଦାନ ପାଇଁ ମାର୍ଗ ପ୍ରଶସ୍ତ କରିବ।

କାର୍ଯ୍ୟକ୍ରମରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର୍‌ ଦୁର୍ଗାଶଙ୍କର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୁଳସଚିବ ଡ. ଅଭୟ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଛାତ୍ର କଲ୍ୟାଣ ନିର୍ଦ୍ଦେଶିକା ପ୍ରଫେସର୍‌ ମିତାଲି ଚିନ୍ନାରା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର, ସିଲ୍ଡ ଓ ଅର୍ଥ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର