ପରୀକ୍ଷା କମୁଛି, ଆକ୍ରାନ୍ତ କମୁଛନ୍ତି: ୮୧% ଆକ୍ରାନ୍ତ ଘରେ ଚିକିତ୍ସିତ ହେଉଛନ୍ତି

ଏବେ ୨୭୪୯ ଆକ୍ରାନ୍ତ, ଘରେ ୨୨୨୪ଜଣ

ଭୁବନେଶ୍ବର: ରାଜଧାନୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଏବେ ଦିନକୁ ୨୦୦ରୁ ୨୫୦ଜଣଙ୍କ ମଧ୍ୟରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରାଜଧାନୀବାସୀଙ୍କ ପାଇଁ ଏହା ଆଶ୍ବସ୍ତି ଆଣିଛି। ହେଲେ ଏବେ ପୂର୍ବାପେକ୍ଷା କ‌ରୋନା ପରୀକ୍ଷା କମ୍‌ ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବି କମିଛି ବୋଲି କୁହାଯାଉଛି। ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି ଯେ, ଅଧିକରୁ ଅଧିକ କରୋନା ପରୀକ୍ଷା ପାଇଁ ଆମର ଭିତ୍ତିଭୂମି ପ୍ରସ୍ତୁତ ଅଛି। ଯେଉଁମାନେ କରୋନା ପରୀକ୍ଷା ଆସୁଛନ୍ତି ସେମାନଙ୍କର ପରୀକ୍ଷା କରାଯାଉଛି। କାହାକୁ ଫେରାଯାଉନି। ଏପରିକି ଅଧିକ ଅଧିକ ଲୋକ, ଯେଉଁମାନଙ୍କର କିଛି ଲକ୍ଷଣ ଦେଖାଯାଉଛି ବା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ କରୋନା ପରୀକ୍ଷା କରିବାକୁ କୁହାଯାଉଛି। ରାଜଧାନୀରେ ଏକ ତୃତୀୟାଂଶ ଲୋକଙ୍କର ପରୀକ୍ଷା ଶେଷ ହୋଇଗଲାଣି। ପରୀକ୍ଷା କମୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି ବୋଲି କହିହେବନି। ଅଧିକ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଥିବାରୁ ଏବେ ଆକ୍ରାନ୍ତଙ୍କ ସଂଖ୍ୟା କମିଛି ବୋଲି କୁହାଯାଇପାରିବ।

ବିଏମ୍‌ସିର ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୩,୨୮,୦୧୦ ଜଣଙ୍କର କରୋନା ପରୀକ୍ଷା ହୋଇଥିବାବେଳେ ଏଥିରୁ ସରକାରୀ ବ୍ୟବସ୍ଥାରେ ୨,୧୬,୧୮୭ଜଣଙ୍କର ଏବଂ ୧,୧୧,୮୨୩ଜଣଙ୍କର ବିଭିନ୍ନ ଘରୋଇ ହସ୍ପିଟାଲରେ କରୋନା ପରୀକ୍ଷା ହୋଇଛି। ଏଥିରୁ ଗତ ୧୦ଦିନରେ ୩୧୨୨୩ ଜଣଙ୍କର କରୋନା ପରୀକ୍ଷା ହୋଇଛି। ଅକ୍ଟୋବର ୧୦ରୁ ୧୯ ତାରିଖ ମଧ୍ୟରେ ସରକାରୀ ବ୍ୟବସ୍ଥା ଓ ବିଭିନ୍ନ ଘରୋଇ ହସ୍ପିଟାଲରେ ହୋଇଥିବା କରୋନା ପରୀକ୍ଷା ତଥ୍ୟ ଅନୁଯାୟୀ, ୧୦ତାରିଖରେ ସର୍ବାଧିକ ୩୯୨୭ଜଣଙ୍କର କରୋନା ପରୀକ୍ଷା ହୋଇଥିବାବେଳେ ୧୮ତାରିଖରେ ସବୁଠୁ କମ୍‌ ୨୪୨୮ଜଣଙ୍କର ପରୀକ୍ଷା ହୋଇଛି। ୧୧ତାରିଖରେ ୨୬୧୭ଜଣ, ୧୨ରେ ୩୫୨୫ଜଣ, ୧୩ରେ ୩୦୮୯ଜଣ, ୧୪ରେ ୩୨୬୭ଜଣ, ୧୫ରେ ୩୦୩୬ଜଣ, ୧୬ରେ ୩୪୫୫ଜଣ, ୧୭ରେ ୩୧୧୮ଜଣ, ୧୯ରେ ୨୭୬୧ଜଣଙ୍କର କରୋନା ପରୀକ୍ଷା ହୋଇଛି। ସୂଚନାଯୋଗ୍ୟ ଯେ, ଏବେ ରାଜଧାନୀରେ ୨୭୪୯ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

ଭୁବନେଶ୍ବର: ରାଜଧାନୀରେ କରୋନା ଆକ୍ରାନ୍ତ ଏବେ ହସ୍ପିଟାଲ ଯାଇ ଚିକିତ୍ସିତ ‌ହେବାକୁ ପସନ୍ଦ କରୁନାହାନ୍ତି। ଘରେ ରହି ଚିକିତ୍ସିତ ହେବାକୁ ପସନ୍ଦ କରୁଛନ୍ତି। ଏହା ବିଏମ୍‌ସିର ତଥ୍ୟ କହୁଛି। ରାଜଧାନୀରେ ‌ଏବେ ୨୭୪୯ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୨୨୨୪ଜଣ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ଅର୍ଥାତ୍ ୮୦.୯୦% ଆକ୍ରାନ୍ତ ଘରେ ଚିକିତ୍ସିତ ହେଉଛନ୍ତି। ବିଏମ୍‌ସିର ସୂଚନା ଅନୁଯାୟୀ, ରାଜଧାନୀ‌ରେ ବର୍ତ୍ତମାନ ସୁଦ୍ଧା ୨୭୬୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪୭୫୮ଜଣ ସୁସ୍ଥ ହୋଇସାରିଲେଣି। ଏବେ ୨୭୪୯ଜଣ ଚିକିତ୍ସାଧୀନ ଥିବା ବେଳେ ୧୪୨ଜଣଙ୍କର କରୋନାରେ ମୃତ୍ୟୁ ହୋଇସାରିଲାଣି। ରାଜଧାନୀରେ ମୋଟ୍‌ ୨୭୬୭୦ଜଣ ଆକ୍ରାନ୍ତ ବାହାରିଥିଲେ ହେଁ ୧୭୨୪୦ଜଣ ବର୍ତ୍ତମାନ ସୁଦ୍ଧା ଗୃହ ସଙ୍ଗରୋଧରେ ରହିଛନ୍ତି। ଏଥିରୁ ୧୫୦୧୬ଜଣ ଘରେ ୧୦ଦିନିଆ ସଙ୍ଗରୋଧରେ ରହି ସୁସ୍ଥ ହୋଇଗଲେଣି।

ରାଜଧାନୀରେ ସବୁଠୁ ଅଧିକ ଲୋକ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ଏପଟେ କୋଭିଡ୍‌ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରରେ ପ୍ରା‌ୟ ହଜାରେ ଶଯ୍ୟା ଖାଲି ପଡ଼ିଛି। କିନ୍ତୁ ରାଜଧାନୀର କରୋନା ଆକ୍ରାନ୍ତ ହସ୍ପିଟାଲ ଯାଉନାହାନ୍ତି। କାରଣ କୋଭିଡ୍‌ ହସ୍ପିଟାଲରେ ଏବେ ସୁଦ୍ଧା ବି ଏକାଧିକ ରୋଗରେ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନି। କେବଳ କରୋନା ଚିକିତ୍ସା କରାଯାଉଥିବାରୁ ଆକ୍ରାନ୍ତମାନେ ଘରେ ରହି ଚିକିତ୍ସିତ ହେବାକୁ ପସନ୍ଦ କରୁଛନ୍ତି। ଏହାବାଦ୍‌ ଏବେ ବିଭିନ୍ନ ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସା କରାଯାଉଥିବାରୁ ଆକ୍ରାନ୍ତମାନେ ଘରେ ସଙ୍ଗରୋଧରେ ରହୁଛନ୍ତି ବୋଲି କହି‌ଲେ ବି ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଲେ ବିଏମ୍‌ସିକୁ ସୂଚନା ନଦେଇ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଫଳରେ ବିଏମ୍‌ସି ତା‌ଲିକାରେ ଗୃହ ସଙ୍ଗରୋଧରେ ରହି ଚିକିତ୍ସା ହେଉଥିବା କେତେକ ଲୋକ ହସ୍ପିଟାଲରେ ଚିକିତ୍ସା ହେଉଥିଲେ ବି ସେମାନେ ଗୃହ ସଙ୍ଗରୋଧ ଆକ୍ରାନ୍ତ ଭାବେ ଗଣା ହେଉଛନ୍ତି।

ସମ୍ବନ୍ଧିତ ଖବର