୮୩ ବର୍ଷ ପୂର୍ବେ ଦଶହରାରେ ମା’ ଦୁର୍ଗାଙ୍କ ଫଟୋ ପୂଜା ହେଉଥିଲା

ପୁରୁଣା ଭୁବନେଶ୍ୱର: ଦୀର୍ଘ ୮୩ ବର୍ଷ ତଳର କଥା। ସେତେବେଳେ ଜଗତଜନନୀ ମା’ଦୁର୍ଗାଙ୍କ ଫଟୋ ପୂଜା କରି ପୁରୁଣା ଭୁବନେଶ୍ବର‌ରେ ଆରମ୍ଭ ହୋଇଥିଲା ପବିତ୍ର ଦଶହରା ପର୍ବ। ସ୍ଥାନୀୟ ବଣିଆସାହିରୁ ଆରମ୍ଭ ହୋଇଥିଲା ପୁରୁଣା ଭୁବନେଶ୍ବରର ଏହି ଗଣପର୍ବ। ୧୯୩୬ ମସିହାରୁ ଆରମ୍ଭ ହୋଇଥିବା ଏହି ପୂଜାର କଳେବର ସମୟକ୍ରମେ ବହୁ ଉଚ୍ଚସ୍ତରକୁ ଉଠିଛି। ମା’ ଦୁର୍ଗାଙ୍କ ସୁଉଚ୍ଚ ଓ ସୁନ୍ଦର ମୃଣ୍ମୟୀ ପ୍ରତିମା ପୂଜା ମଣ୍ଡପରେ ଶୋଭା ପାଉଛି। ଗତ ୩/୪ ଦଶନ୍ଧି ହେଲା ପୁରୁଣା ଭୁବନେଶ୍ବରର ଦଶହରା ପୂଜା ମହା ଜାକଜମକରେ ଅନୁଷ୍ଠିତ ହୋଇଆସୁଛି। କିଛି ମଣ୍ଡପରେ ଆଜି ମା’ଙ୍କ ସୁଦୃଶ୍ୟ ପ୍ରତିମାରେ ସୁନା ମୁକୁଟ ଝଟକିଲାଣି। ଚାନ୍ଦି ମେଢ଼ ସାଙ୍ଗକୁ ସୁନା ମୁକୁଟରେ ମା’ଙ୍କ ପ୍ରତିମା ମଣ୍ଡପରେ ଜୀବନ୍ତଭା‌ବେ ଉଭା ହେଉଛି।

ମାତ୍ର ଚଳିତ ବର୍ଷ ମହାମାରୀ କରୋନା ସବୁ ଫିକା କରି ଦେଇଛି। ପୁଣି ପୁରୁଣା ଦିନକୁ ଫେରିବାକୁ ବାଧ୍ୟ କରିଛି ଏହି ମହାମାରୀ। ଫଟୋ ପୂଜାକୁ ଫେରିବାକୁ ପଡ଼ୁନଥିଲେ ମଧ୍ୟ ମା’ ଦୁର୍ଗାଙ୍କ ମୂର୍ତ୍ତିକୁ ମାତ୍ର ୪ ଫୁଟ୍‌ ଉଚ୍ଚରେ ସୀମିତ ରହିବ ବୋଲି କଟକଣା ଲାଗୁ କରାଯାଇଛି। ସରକାରୀ କଟକଣା ଭିତରେ ପୂଜା ପାଳିତ ହେବ ଓ ମଣ୍ଡପରେ ସାଜସଜ୍ଜା ରହିବ ନାହିଁ ବୋଲି କଡ଼ା ନିୟମ ରହିଛି। ସେହିଭଳି ମଣ୍ଡପକୁ ଅଧିକ ସଂଖ୍ୟାରେ ଦର୍ଶକମାନେ ଆସିପାରିବେ ନାହିଁ ବୋଲି ମଧ୍ୟ କଟକଣା ରହିଛି। ତେଣୁ ପ୍ରସିଦ୍ଧ ଦଶହରା ପୂଜା ଫିକା ପଡ଼ିଯିବ ବୋଲି ଏକପ୍ରକାର ନିଶ୍ଚିତ ହୋଇଯାଇଛି। ପୁରୁଣା ଭୁବନେଶ୍ବର ବଣିଆସାହି ପୂଜାର ୮୩ ବର୍ଷର ଇତିହାସରେ ଏଭଳି ସ୍ଥିତି କେବେ ଆସିନଥିଲା। ମା’ଙ୍କ ଆଶୀର୍ବାଦରୁ ପୂଜା କଳେବର ବୃଦ୍ଧି ପାଉଥିଲା। ମାତ୍ର ମହାମାରୀ କରୋନା ସବୁ ଓଲଟପାଲଟ କରି ଦେଇଛି। ତେଣୁ ଚଳିତ ବର୍ଷ କେବଳ ବିଧିରେ ମା’ ଦୁର୍ଗାଙ୍କୁ ଆବାହନ କରାଯିବା ସହ ମାନବଜାତିକୁ କ‌ରୋନା କବଳରୁ ସୁରକ୍ଷିତ ରଖିବାକୁ ମା’ଙ୍କୁ ପ୍ରାର୍ଥନା କରାଯିବ ବୋଲି ସାହି କମିଟିର ସଭାପତି ଅଶୋକ ଶତପଥୀ ଓ ସମ୍ପାଦକ ତୋଫାନ ସାମନ୍ତରାୟ କହିଛନ୍ତି।

ସମ୍ବନ୍ଧିତ ଖବର