ଆଳୁଗଦିରୁ ପୁଣି ୧୭ ଜଣଙ୍କ ସମେତ ଭୁବନେଶ୍ୱରରୁ ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଆଜି ସ୍ଥାନୀୟ ସଂକ୍ରମଣ ୨୪ ଜଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଅତିକ୍ରମ କରିଛି। ସ୍ଥାନୀୟ ଆଳୁଗଦିରୁ ୧୭ ଜଣଙ୍କ ସମେତ ଆଜି ଭୁବନେଶ୍ୱରରୁ ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୬୫ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୪ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏପର୍ଯ୍ୟନ୍ତ ୩୦୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୭୯୮ ଜଣ ସୁସ୍ଥ ହୋଇଥିବା ବେଳେ ୧୨୫୦ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। କିନ୍ତୁ ୧୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। 

ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଇଗଣିଆସ୍ଥିତ ଆଳୁଗଦିରୁ ପୁଣି ଥରେ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ଜଣେ ୩୫ ବର୍ଷୀୟା ମହିଳା ଥିବା ବେଳେ ଅନ୍ୟମାନେ ପୁରୁଷ। ଏମାନେ ସମସ୍ତେ ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ପୂର୍ବରୁ ଏଠାରୁ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଥିଲେ। ରିଜର୍ଭ ପୁଲିସ କଲୋନିରୁ ୭ ଜଣ ପୁରୁଷ ଓ ଗୌତମ ନଗର ବସ୍ତିରୁ ୨ ଜଣ ମହିଳାଙ୍କ ସମେତ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବଡ଼ଗଡ଼ ନୂଆସାହିରୁ ୪ ଜଣ, ଜିଜିପି କଲୋନି, ଚନ୍ଦ୍ରଶେଖରପୁର ଶ୍ରମିକ କଲୋନିରୁ ୩-୩ ଜଣ, ସିବିଆଇ କଲୋନି, ୟୁନିଟ-୬ରୁ ୨ ଜଣ, ପୋଖରିପୁଟ କ୍ରିଷ୍ଣାନଗର, ପୋଖରିପୁଟ ଆନନ୍ଦ ବିହାର, ଭୀମଟାଙ୍ଗୀ, ଆଚାର୍ଯ୍ୟବିହାର, ଚକେଇସିଆଣି, ଡେଲଟା କଲୋନି, ଜାଗମରା, ଟଙ୍କପାଣି, କଳ୍ପନା ଛକ, ପୁରୁଣା ଭୁବନେଶ୍ୱର ଶ୍ରୀରାମ ନଗର, ପୁରୁଣା ଭୁବନେଶ୍ୱର ରାମେଶ୍ୱର ପାଟଣା, ବଡ଼ଗନ ବ୍ରିଟ କଲୋନି, କପିଳ ପ୍ରସାଦ, ସତ୍ୟନଗର ପଂଜାବୀ କଲୋନିରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜଣେ ସିଆରିପିଏଫ କର୍ମଚାରୀ ଓ ୨ଟି ଭିନ୍ନ ଭିନ୍ନ ଘରୋଇ ହସ୍‌ପିଟାଲରୁ ୨ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର