୮ରେ ଦେଶବ୍ୟାପୀ ପରିବହନ ଶ୍ରମିକ ଧର୍ମଘଟ

ଭୁବନେଶ୍ବର: ଆସନ୍ତା ଜାନୁଆରି ୮ ଓ ୯ତାରିଖ ଦୁଇଦିନ ବ୍ୟାପୀ ପରିବହନ ଶ୍ରମିକ ଧର୍ମଘଟ ଅନୁଷ୍ଠିତ ହେବ। କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଆଇନ ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ଏହି ଧର୍ମଘଟ ଡାକରା ଦିଆଯାଇଛି। ରାଜ୍ୟରେ ଅଲ ଓଡ଼ିଶା ଟ୍ରାନ୍‌ସପୋର୍ଟ ୱାର୍କର୍ସ ଫେଡେରେସନ୍ ଏହାକୁ ସମର୍ଥନ କରିଛି। ଧର୍ମଘଟ ଦିନ ବସ୍, ଟ୍ରକ୍, ଟ୍ୟାଙ୍କର, ଟ୍ୟାକ୍ସି ଓ ଅଟୋ ଚଳାଚଳ ବନ୍ଦ ରଖିବାକୁ ସଂଘ ନିବେଦନ କରିଛି। ଆଜି ଶ୍ରମିକ ଭବନରେ ସଂଘର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଜନାର୍ଦ୍ଦନ ପତି କହିଲେ, ମୋଟର ଭେଇକିଲ ଆଇନ-୧୯୮୮ର ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ସଂଶୋଧନ ବିଲ୍‌ ଲୋକସଭାରେ ଗୃହୀତ ହୋଇସାରିଲାଣି। ରାଜ୍ୟସଭାରେ ଗୃହୀତ ହୋଇପାରିନାହିଁ। ଏହି ଆଇନ ପାରିତ ହେଲେ ଡ୍ରାଇଭର୍‌ଙ୍କ ଗାଡ଼ି ଚଳାଇବା ବନ୍ଦ ହେବା ସହିତ ସେମାନେ ଜେଲ୍‌କୁ ଯିବେ। ଦୁର୍ଘଟଣା ଘଟିଲେ ଡ୍ରାଇଭର୍‌ମାନଙ୍କୁ ଅପରାଧରେ ଦଣ୍ଡିତ କରାଯିବ। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟକ୍ରମ ଆଉ ରହିବାର ଆବଶ୍ୟକତା ରହିବ ନାହିଁ। ରାଜ୍ୟ ସରକାର ଆଉ ଗାଡ଼ି ପଞ୍ଜୀକରଣ କରିବ‌େ ନାହିଁ। ଡ୍ରାଇଭିଂ ଲାଇସେନ୍‌ସ ଓ ଗାଡ଼ି ପଞ୍ଜୀକରଣ ଭଳି ବ୍ୟବସ୍ଥା କେନ୍ଦ୍ର ସରକାର କରିବେ। ଗ୍ୟାରେଜ୍, ଖୁଚୁରା ପାର୍ଟ‌ସ ଦୋକାନ ଓ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ଆଦିକୁ ବନ୍ଦ ହୋଇ କେବଳ ଗାଡ଼ି କମ୍ପାନିଙ୍କ ଏସବୁ ବ୍ୟବସ୍ଥା ରହିବ। ଗାଡ଼ି ମାଲିକମାନେ ଭୟଙ୍କର ଆର୍ଥିକ ବୋଝର ଶିକାର ହେବେ। କେନ୍ଦ୍ର ସରକାର ଗାଡ଼ି କମ୍ପାନିଙ୍କ ସ୍ବାର୍ଥକୁ ନଜରରେ ରଖି ଏହି ଆଇନ କରୁଛନ୍ତି। ତେଣୁ ଏହାର ପ୍ରତିବାଦରେ ଦୁଇ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। କେନ୍ଦ୍ର ସରକାର ଏହି କଳା ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି ଶ୍ରୀ ପତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ନବ ମହାନ୍ତି, ସାଧାରଣ ସଂପାଦକ ରାଧାରମଣ ଷଡ଼ଙ୍ଗୀ ଓ ସୁରେନ୍ଦ୍ର ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର