ମଲ୍‌ରୁ ଧରାପଡ଼ିଲେ ୯ ବଙ୍ଗୀୟ ମହିଳା: ଅନ୍ତର୍ବସ୍ତ୍ରରେ ଲୁଚାଇ ଲୁଟୁଥିଲେ

ଭୁବନେଶ୍ବର: ମଲ୍‌ରେ ସପିଂ କରିବା ବାହାନାରେ ଲୁଟ୍‌ପାଟ କରୁଥିବା ଏକ ମହିଳା ଲୁଟେରା ଗ୍ୟାଙ୍ଗ୍‌ ଶେଷରେ ଧରାପଡ଼ିଯାଇଛି। ପଶ୍ଚିମବଙ୍ଗରୁ ଆସି ରାଜଧାନୀରେ ଡେରା ପକାଇଥିବା ଏହି ଗ୍ୟାଙ୍ଗ୍‌ର ୯ ଜଣଙ୍କୁ କମିସନରେଟ୍‌ ପୁଲିସ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣାର ଲାବୁନି ସମନ୍ଦର(୩୪), ଶୁକ୍ଳା ବଣିକ((୩୦), ମଞ୍ଜରୀ ଚକ୍ରବର୍ତ୍ତୀ((୩୨), ଅମ୍ରିତା ରାୟ(୪୦), ବୈଶାଖୀ ମିର୍ଦ୍ଧା(୨୩), ପୁତୁଲ୍‌ ଦେବୀ ମହାନ୍ତି(୩୪), ମାଳତି ଦାସ(୩୪), ରୂପା ମିର୍ଦ୍ଧା(୩୨) ଏବଂ ମୌସୁମୀ ଦତ୍ତା(୩୧)। ଏହି ଗ୍ୟାଙ୍ଗ୍‌ର ୪ ଜଣ ଫେରାର୍ ହୋଇଯିବାରେ ସଫଳ ହୋଇଛନ୍ତି। ଶାଢ଼ି, ଅନ୍ତବସ୍ତ୍ର ତଳେ ଲୁଚାଇ ଲୁଟ୍‌ କରୁଥିବା ଏହି ମହିଳାମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ଦାମୀ ସାମଗ୍ରୀ ଜବତ କରାଯାଇଛି।

ଏହି ଗ୍ୟାଙ୍ଗ୍‌ ଧରାପଡ଼ିବା ପରେ କମିସନରେଟ୍‌ ପୁଲିସ ସେମାନଙ୍କ ବାବଦରେ ଅଧିକ ଖୋଳତାଡ୍‌ ଆରମ୍ଭ କରିଛି। ଦରକାର ପଡ଼ିଲେ ସେମାନଙ୍କୁ ରିମାଣ୍ଡରେ ଆଣାଯିବ ଏବଂ ସେମାନଙ୍କ ବାବଦରେ ଅଧିକ ସୂଚନା ପାଇଁ ପୁଲିସ ଟିମ୍‌ କୋଲକାତା ଯିବ। ଏହି ଗ୍ୟାଙ୍ଗ୍‌ ରାଜଧାନୀରେ କେବେଠୁ ସକ୍ରିୟ ଥିଲା, କେଉଁ କେଉଁ ମଲ୍‌, ଗହଣା ଦୋକାନ କିମ୍ବା ଅନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନରୁ ଲୁଟ୍‌ କରିଛନ୍ତି, ସେସବୁ ଯାଞ୍ଚ କରାଯିବ। ତେଣୁ ରାଜଧାନୀରେ ଥିବା ବିଭିନ୍ନ ମଲ୍‌, ଗହଣା ଦୋକାନ ଆଦିର ସିସିଟିଭି ଫୁଟେଜ୍‌ ଯାଞ୍ଚ ପାଇଁ ପୁଲିସ ଯୋଗାଯୋଗ ଆରମ୍ଭ କରିଛି। ସେହିଭଳି ପୂର୍ବରୁ ସେମାନଙ୍କ ନାମରେ କେଉଁଠ କେଉଁଠି ଅଭିଯୋଗ ରହିଛି, ଅନ୍ୟ କେଉଁ କେଉଁ ରାଜ୍ୟରେ ଏମାନେ ସକ୍ରିୟ ଥିଲେ କି ନାହିଁ, ଜାଣିବାକୁ ଏହି ମହିଳା ଗ୍ୟାଙ୍ଗ୍‌ର ସବୁ ସଦସ୍ୟମାନଙ୍କ ଫଟୋକୁ ବିଭିନ୍ନ ଥାନାକୁ ପଠାଯିବ ବୋଲି ଏସିପି ସଞ୍ଜୀବ ଶତପଥୀ କହିଛନ୍ତି।

କେମିତି ଲୁଟୁଥିଲେ

ଏହି ଗ୍ୟାଙ୍ଗ୍‌ର ସଦସ୍ୟାମାନେ ଦାମୀ ଶାଢ଼ି ପିନ୍ଧି ଭଦ୍ର ମହିଳା ବେଶରେ ମଲ୍‌ରେ ପଶୁଥିଲେ। ଶାଢ଼ି ତଳେ କିଏ ପ୍ୟାଣ୍ଟ ପିନ୍ଧୁଥିଲା ତ କିଏ ସ୍ବାଭାବିକ ଅନ୍ତର୍ବସ୍ତ୍ର ପିନ୍ଧୁଥିଲା। ତେବେ ସେସବୁରେ ବଡ଼ବଡ଼ ପକେଟ୍‌ ବ୍ୟବସ୍ଥା ଥିଲା। ଏମିତିକି ହର୍ଲିକ୍ସ ପ୍ୟାକେଟ୍‌, ଖାଇବା ତେଲ ପ୍ୟାକେଟ୍‌, ବାସମତି ଚାଉଳ ପ୍ୟାକେଟ୍‌, ବିଭିନ୍ନ ଡ୍ରାଏଫୁଡ୍‌, ବଡ଼ ସାମ୍ପ ଡବା, ବିଭିନ୍ନ କ୍ରିମ୍‌, ସାବୁନ, ଚା’, ଜିରା ପ୍ୟାକେଟ୍‌, କାଜୁ, ଗୁଜୁରାତି ଆଦିର ପ୍ୟାକେଟ୍‌ ରହିବା ଭଳି ବ୍ୟବସ୍ଥା ଥିଲା। ଶାଢ଼ି ତଳେ ସେମାନେ ବଡ଼ କାଇଦାରେ କିଲିକିଆ ଓଜନର ପ୍ୟାକେଟ୍‌ ବି ଲୁଚାଇ ପାରୁଥିଲେ। ଜିନିଷପତ୍ର କିଣିବା ବେଳେ ମଉକା ଦେଖି ସେମାନେ ଏମିତି ସବୁ ଦାମୀ ଜିନିଷ ଦେଖି ଲୁଚାଇ ଦେଉଥିଲେ। ବଡ଼ କଥା ହେଉଛି, ସିସିଟିଭି ନଜରରୁ ବର୍ତ୍ତିବା କୌଶଳ ସେମା‌ନଙ୍କୁ ଭଲ ଭାବେ ଜଣାଥିଲା। ଯିଏ ସାମଗ୍ରୀ ଲୁଚା‌ଉଥିଲା, ତାକୁ ଅନ୍ୟ ୪/୫ ଜଣ ଘେରି ରହୁଥିଲେ। ଏମିତିରେ ଜଣକ ପରେ ଜଣେ ଜିନିଷପତ୍ର ଲୁଚାଉଥିଲେ। ପରେ କାଉଣ୍ଟରରେ ଅଳ୍ପ କିଛି ଜିନିଷର ପଇସା ଦେଇ ଖସିଯାଉଥିଲେ।

ଧରାଇଦେଲା ସିକ୍ୟୁରିଟି ବ୍ୟବସ୍ଥା

ଗୁରୁବାର ସନ୍ଧ୍ୟାରେ ଏହି ଗ୍ୟାଙ୍ଗ୍‌ର ୭ଜଣ ନୂଆପଲ୍ଲୀସ୍ଥିତ ରିଲାଏନ୍ସ ସ୍ମାର୍ଟ ବଜାରକୁ ଯାଇଥିଲେ। ସବୁଥର ଭଳି ଅଳ୍ପ କିଛି ଜିନିଷ କିଣାକିଣି କରିଥିଲେ। କିନ୍ତୁ ଶାଢ଼ି ତଳେ ଲୁଚାଇ ଆଣିଥିଲେ ବହୁ ଦାମୀ ଜିନିଷ। ମୁଖ୍ୟ ଫାଟକରେ ସିକ୍ୟୁରିଟି ଗାର୍ଡ ବିଲ୍‌ ‌ଯାଞ୍ଚ କରିଥିଲେ। କିନ୍ତୁ ଏତିକିବେଳେ ସାଇରନ୍‌ ବାଜିଥିଲା। ଉକ୍ତ ମଲ୍‌ରେ ସେମିତି ଅତ୍ୟାଧୁନିକ ବିଲ୍‌ ଯାଞ୍ଚ ବ୍ୟବସ୍ଥା ଅଛି ବୋଲି ଏହି ଲୁଟେରା ଗ୍ୟାଙ୍ଗ୍‌କୁ ଜଣାନଥିଲା। ଗ୍ରାହକ କୌଣସି ଜିନିଷର ବିଲ୍‌ କରିନଥିଲେ, ସାଇରନ୍‌ ବାଜିବା ବ୍ୟବସ୍ଥା ଥିଲା। ତେଣୁ ସନ୍ଦେହ କରି ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ଅଟକାଇଥିଲେ। ପରେ ମଲ୍‌ର ମହିଳା କର୍ମଚାରୀମାନେ ସେମାନଙ୍କୁ ଚେକିଂ ରୁମ୍‌କୁ ନେଇ ଯାଞ୍ଚ କରିଥିଲେ। ଏହାପରେ ସେମାନଙ୍କ ମୁଖା ଖୋଲିଯାଇଥିଲା। ଶାଢ଼ି ତଳୁ ମଳିଥିଲା ବହୁ ଦାମୀ ଜିନିଷ। ତୁରନ୍ତ ମଲ୍‌ ପକ୍ଷରୁ ନୂଆପଲ୍ଲୀ ଥାନାକୁ ପୁଲିସକୁ ଫୋନ୍‌କରି ଘଟଣା ସମ୍ପର୍କରେ ଜଣାଇଦିଆଯାଇଥିଲା। ପୁଲିସ ମହିଳାମାନଙ୍କୁ ଥାନାକୁ ନେଇ ପଚରାଉଚରା କଲାବେଳେ ସେମାନେ ସତ ମାନିଥିଲେ।

ଲଜ୍‌ରେ ଡେରା

ଧରାପଡ଼ିଥିବା ୭ ମହିଳାଙ୍କଠାରୁ ସୂଚନା ନେଇ ନୂଆପଲ୍ଲୀ ଥାନା ପୁଲିସ ଟିମ୍‌ ଖଣ୍ଡଗିରି ଜଗ‌ମୋହନନଗର ଅଞ୍ଚଳର ଜନପଥ ଇନ୍‌ ଲଜ୍‌ରେ ଚଢ଼ଉ କରିଥିଲା। ସେଠାରୁ ଆଉ ୨ ମହିଳା ଧରାପଡ଼ିଥିଲେ ଏବଂ ବିପୁଳ ଜିନିଷପତ୍ର ଜବତ କରାଯାଇଥିଲା। ତେବେ ଚଢ଼ଉ ବେଳେ ୪ ଜଣ ସେଠାରେ ନଥିବାରୁ ସେମାନେ ଖସି ଯାଇଥିଲେ। ତେବେ ଜଣାପଡ଼ିଛି ଯେ ଏହି ମହିଳା ଗ୍ୟାଙ୍ଗ୍‌ କୌଣସି ବସ୍ତି କି ଭଡ଼ା ଘରେ ରହୁନଥିଲେ। ଏମାନେ ଲଜ୍‌ ଓ ଗେଷ୍ଟ୍‌ହାଉସ୍‌ରେ ଡେରା ପକାଉଥିଲେ। ଗୋଟିଏ ମଲ୍‌ରୁ ଚୋରି କରିବା ପରେ ରହୁଥିବା ଲଜ୍‌ ଛାଡ଼ି ଦେଉଥିଲେ। ଅନ୍ୟ ଏକ ଲଜ୍‌ରେ ରହୁଥିଲେ ଏବଂ ସେଠାରେ ଛୋଟ ଛୋଟ ଦୋକାନୀଙ୍କୁ ଶସ୍ତାରେ ଜିନିଷପତ୍ର ବିକି ଦେଉଥିଲେ। ତେବେ ଅଧିକାଂଶ ସାମଗ୍ରୀ ସେମାନେ କୋଲକାତା ପଠାଇ ଦେଉଥିଲେ।

ଅଡ଼ୁଆରେ ଲଜ୍‌ ମାଲିକ

ଏହି ଗ୍ୟାଙ୍ଗ୍‌ ରହୁଥିବା ଲଜ୍‌ ଜନପଥ ଇନ୍‌ ବାବଦରେ ଯାଞ୍ଚ ହେବ ବୋଲି ପୁଲିସ ସୂଚନା ଦେଇଛି। ମାଲିକଙ୍କୁ ଜେରା କରାଯିବ। ନିୟମାନୁସାରେ ଲଜ୍‌ ମାଲିକ ଏହି ମହିଳାମାନଙ୍କ ସମ୍ପର୍କରେ ସରାଇ ଆପ୍‌ରେ ନିକଟସ୍ଥ ଥାନାକୁ ସୂଚନା ଦେଇଥିଲେ କି ନାହିଁ, ସେନେଇ ଯାଞ୍ଚ କରାଯିବ। ସେମାନେ କେବେଠୁ ରହୁଥିଲେ, ପୂର୍ବରୁ କେତେ ଥର ଆସିଥିଲେ, ଏସବୁର ଯାଞ୍ଚ ହେବ। ଯଦି ଲଜ୍‌ ମାଲିକ ସରାଇ ଆପ୍‌ରେ ସୂଚନା ଦେଇନଥିବା ଜଣାପଡ଼ିବ, ତାଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର