ଭୁବନେଶ୍ୱରରେ ଯୁକ୍ତ୨ ବିଜ୍ଞାନ ପଢ଼ିବାକୁ ଆଗ୍ରହ ନାହିଁ : ୯ କଲେଜରେ ନାମଲେଖା ‘ଶୂନ’

ବିଜ୍ଞାନ ବିଭାଗରେ ୫୦% ସିଟ୍‌ ଖାଲି, ୫ଟି କଲେଜରେ ଏକ ଅଙ୍କ ଟପିଲା ନାହିଁ

ଭୁବନେଶ୍ୱର : ବାପା, ମା’ଙ୍କ ସ୍ବପ୍ନ ଥାଏ ପିଲା ଭୁବନେଶ୍ବରରେ ରହି ଉଚ୍ଚ ଶିକ୍ଷାନୁଷ୍ଠାନରେ ପଢ଼ିବ। ବିଜ୍ଞାନରେ କ୍ୟାରିଅର କରିବ। ବିଜେବି, ରମାଦେବୀ ପରି ଭଲ କଲେଜରେ ନାମ ‌ଲେଖାଇବା ସହ କୋଚିଂ ବି ନେବ। ଫଳରେ ଇଞ୍ଜିନିୟରିଂ, ମେଡିକାଲ ପାଠ୍ୟକ୍ରମରେ ଭବିଷ୍ୟତ ଗଢ଼ିବ। ତେବେ ଗତ କିଛି ବର୍ଷ ହେଲା ଯୁକ୍ତ୨ ପରୀକ୍ଷାରେ ଭୁବନେଶ୍ବରରେ ଥିବା ବିଭିନ୍ନ କଲେଜର ଫଳାଫଳ ନୈରାଶ୍ୟଜନକ ହେଉଛି। ସରକାରୀ କଲେଜରେ ପଢ଼ୁଥିବା କାଁ ଭାଁ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖୁଛନ୍ତି। ହାତଗଣତି କିଛି ଘରୋଇ କଲେଜକୁ ଛାଡ଼ି ଦେଲେ ବାକିଗୁଡ଼ିକ ସେତେଟା ଉନ୍ନତ ପ୍ରଦର୍ଶନ କରିପାରୁ ନାହାନ୍ତି। ବରଂ ରାଜ୍ୟର ଅନ୍ୟାନ୍ୟ ସହରରେ ଥିବା ଯୁକ୍ତ୨ କଲେଜ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ପଢ଼ୁଥିବା ଛାତ୍ରଛାତ୍ରୀ ଲଗାତାର ଭାବେ ଉନ୍ନତ ପ୍ରଦର୍ଶନ କରୁଛନ୍ତି। ଯେଉଁଥିପାଇଁ ଏଥର ଯୁକ୍ତ୨ ନାମଲେଖାରେ ତାହାର ପ୍ରଭାବ ଦେଖିବାକୁ ମିଳିଛି। ରାଜଧାନୀରେ ଥିବା ଯୁକ୍ତ୨ କଲେଜର ବିଜ୍ଞାନ ବିଭାଗରେ ୫୦ ପ୍ରତିଶତ ସିଟ୍‌ ଖାଲି ପଡ଼ିଛି। ୯ଟି କଲେଜରେ ଜଣେ ବି ହେଲେ ଛାତ୍ରଛାତ୍ରୀ ନାମ ଲେଖାଇ ନାହାନ୍ତି। ୫ଟି କଲେଜରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏକ ଅଙ୍କ ଟପି ନ ଥିବା ଜଣାପଡ଼ିଛି।

‘ସମ୍ବାଦ’କୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜଧାନୀରେ ମୋଟ ୬୭ଟି ଯୁକ୍ତ୨ କଲେଜ ରହିଛି। ସେଥିମଧ୍ୟରୁ ପ୍ରାୟ ୨୦ଟି ସରକାରୀ ତଥା ଅନୁଦାନପ୍ରାପ୍ତ କଲେଜ ହୋଇଥିବା ବେଳେ ବାକିଗୁଡ଼ିକ ସେଲ୍ଫ ଫାଇନାନ୍ସିଂ। ୨୦୨୦-୨୧ ଶିକ୍ଷାବର୍ଷରେ ଏହି କଲେଜଗୁଡ଼ିକର ୧୭ ହଜାର ୭୨୮ ସିଟ୍‌ରେ ନାମଲେଖା ହେଉଥିଲା। ବିଜ୍ଞ‌ାନ ବିଭାଗରେ ସର୍ବାଧିକ ୧୦ ହଜାର ୫୭୬ ସିଟ୍‌ ଥିବା ବେଳେ କଳାରେ ୪୬୦୮, ବାଣିଜ୍ୟରେ ୨୩୦୪, ଧନ୍ଦାମୂଳକରେ ୩୬୪ ଓ ସଂସ୍କୃତରେ ୯୬ଟି ସିଟ୍‌ ରହିଛି। କୌଣସି ବିଭାଗରେ ସିଟ୍‌ ପୂରଣ ହୋଇନାହିଁ। କଳା ବିଭାଗରେ ୪୨୮୨ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ଏବଂ ୩୨୬ ସିଟ୍‌ ଖାଲି ପଡ଼ିଛି। ବିଜ୍ଞାନ ବିଭାଗରେ ସର୍ବାଧିକ ୫୪୬୯ଜଣ ଛାତ୍ରଛାତ୍ରୀ ନାମ‌ ଲେଖାଇଥିଲେ ମଧ୍ୟ ନୈରାଶ୍ୟଜନକ ହୋଇଛି। କାରଣ ଆହୁରି ୫୧୦୭ ସିଟ୍‌ ଅର୍ଥାତ୍‌ ପ୍ରାୟ ୫୦ ପ୍ରତିଶତ ଖାଲି ରହିଛି। ବାଣିଜ୍ୟ ବିଭାଗରେ ୧୭୨୨ ସିଟ୍‌ ପୂରଣ ହୋଇଥିବା ବେଳେ ୫୮୨ ସିଟ୍‌ରେ ନାମଲେଖା ହୋଇପାରିନାହିଁ। ଧନ୍ଦାମୂଳକ ବିଭାଗ‌ରେ ୨୬୭ ସିଟ୍‌ ପୂରଣ ହୋଇଛି। ଆହୁରି ୯୭ଟି ସିଟ୍‌ ଖାଲି ପଡ଼ିଛି। ସଂସ୍କୃତ ବିଭାଗରେ ୩୩ଜଣ ଛାତ୍ରଛାତ୍ରୀ ନାମ‌ ଲେଖାଇଛନ୍ତି। ଆହୁରି ୬୩ସିଟ୍‌ ଖାଲି ରହିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ସହରର ବିଜ୍ଞାନ କଲେଜଗୁଡ଼ିକ ଭଲ ରେଜଲ୍ଟ କରୁ ନ ଥିବାରୁ ପିଲାମାନେ ଏଠାରେ ବିଜ୍ଞାନ ପଢ଼ିବାକୁ ଆଗ୍ରହ ଦେଖାଉ ନାହାନ୍ତି। ଯେଉଁଥିପାଇଁ ବିଜ୍ଞାନ ବିଭାଗରେ ଅଧିକ ସିଟ୍‌ ଖାଲି ପଡ଼ିଛି। ରାଜଧାନୀର ନାମକରା ତଥା ପ୍ରମୁଖ କଲେଜଗୁଡ଼ିକ ଭଲ ରେଜଲ୍ଟ କରୁଥିବାରୁ ଆଗୁଆ ସିଟ୍‌ ପୂରଣ ହେଉଛି। ବିଜେବି, ବେସିକ୍‌ ସାଇନ୍ସ, ରମାଦେବୀ, ରାଜଧାନୀ, ମହର୍ଷି କଲେଜ ସମେତ ୨୦ରୁ ଅଧିକ ଘରୋଇ କଲେଜର ସମସ୍ତ ସିଟ୍‌ ପୂରଣ ହୋଇଛି। ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବାରୁ ଉକ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଗୋଟିଏ ପର୍ଯ୍ୟାୟ ନାମଲେଖା ହୋଇପାରେ। ଏଥିରେ ଖାଲି ପଡ଼ିଥିବା ଆଉ କିଛି ସିଟ୍‌ ପୂରଣ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର