କାର୍ଯ୍ୟାନୁଷ୍ଠାନ ଲାଗି ଚିଠି: ୯ ଦିନ ଟପିଲା ନର୍ସଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର, : ୯ ଦିନ ବିତିଲାଣି। ଆନ୍ଦୋଳନରୁ ଓହରୁନାହାନ୍ତି ଠିକା ନର୍ସ। ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯାଉନଥିବା ବେଳେ ଆଜି କଟକର ଏକ ନର୍ସ ସଂଘ ଲୋୟର୍‌ ପିଏମ୍‌ଜିରେ ଆନ୍ଦୋଳନରତ ନର୍ସମାନଙ୍କୁ ସମର୍ଥନ କରିଛନ୍ତି। ଆନ୍ଦୋଳନ ବ୍ୟାପକ ରୂପ ନେଇଥିବା ବେଳେ ଆଜି ନର୍ସମାନଙ୍କ ଏକ ପ୍ରତିନିଧିଦଳ ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ (ଏନ୍‌ଏଚ୍‌ଏମ୍‌) ନିର୍ଦେଶିକା ଶାଳିନ୍‌ ପଣ୍ଡିତ୍‌ଙ୍କୁ ସାକ୍ଷାତ କରିଛନ୍ତି। ଆଲୋଚନା ସମୟରେ କିଛି ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ମିଳିଥିବା ଜଣାପଡ଼ିଛି। ସମ୍ପୂର୍ଣ୍ଣ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ନର୍ସମାନେ କହିଛନ୍ତି।
ଅନ୍ୟପକ୍ଷରେ ପୂର୍ବ ଚେତାବନୀ ମୁତାବକ ଯେଉଁ ନର୍ସମାନେ ୨୪ ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗଦେଇ ନାହାନ୍ତି ସେମାନଙ୍କ ଦରମା ବନ୍ଦ କରାଯିବ। କାର୍ଯ୍ୟରେ ଯୋଗଦେଇଥିବା ନର୍ସଙ୍କର ଧାରଣା ଦିନଠାରୁ କାର୍ଯ୍ୟରେ ଯୋଗଦେବା ପର୍ଯ୍ୟନ୍ତ ‘ନୋ ଓ୍ଵାର୍କ ନୋ ପେ’ ହିସାବରେ ଗଣାଯିବ। ଧାରଣାରତ କୌଣସି ନର୍ସଙ୍କ ନିଜସ୍ୱ ଛୁଟି ମଞ୍ଜୁର କରାଯିବ ନାହିଁ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ପକ୍ଷରୁ କୁହାଯାଇଛି। ଏନେଇ ଏନ୍‌ଏଚ୍‌ଏମ୍‌ ନିର୍ଦେଶିକା ଶ୍ରୀମତୀ ପଣ୍ଡିତ ସମସ୍ତ ସିଡିଏମ୍‌ଓ, ସିଏଚ୍‌ଏ, ପିଏଚ୍‌ଏକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର