ଭୁବନେଶ୍ବର: ପବିତ୍ର ରଥଯାତ୍ରା ଅବସରରେ ଓଟିଡିସି ପକ୍ଷରୁ ଏହାର ହୋଟେଲ ‘ନିମନ୍ତ୍ରଣ’ରେ ୯ଦିନ ଅର୍ଥାତ୍ ବାହୁଡ଼ା ଯାଏ ସମ୍ପୂର୍ଣ୍ଣ ସାତ୍ବିକ ଭୋଜନ ଥାଳି ପରସାଯିବ। ବିନା ପିଆଜ-ରସୁଣରେ ପ୍ରସ୍ତୁତ ୧୫ପ୍ରକାର ବ୍ୟଞ୍ଜନ ସହ ରହିବ ଶ୍ରୀକ୍ଷେତ୍ର ଅବଢ଼ାର ଛାପ। ଖିରୀ, ମାଲପୁଆ ଓ ଗଜା ସହ ମିଷ୍ଟାନ୍ନ, ପୁରୀ, କାନିକା ସହ ଶାଗ, ନଡ଼ିଆ ପାଚେଡ଼ି, ଦହି ବରା ଓ ଦହି ତୋରାଣୀ ଭଳି ପ୍ରତିଦିନ ଭିନ୍ନଭିନ୍ନ ପ୍ରକାର ବ୍ୟଞ୍ଜନ ପରସାଯିବ। ଏହି ଖାଣ୍ଟି ଓଡ଼ିଆ ଓ ସାତ୍ବିକ ଆହାର ଥାଳିର ଦାମ୍ ୫୪୯ ଟଙ୍କା ରହିବ ବୋଲି ଓଟିଡିସି ପକ୍ଷରୁ କୁହାଯାଇଛି। ଏହାସହ ବାହୁଡ଼ା ପର୍ଯ୍ୟନ୍ତ ନିମନ୍ତ୍ରଣ ହୋଟେଲରେ କୌଣସି ପ୍ରକାର ଆମିଷ କିମ୍ବା ପିଆଜ-ରସୁଣରେ ପ୍ରସ୍ତୁତ ଖାଦ୍ୟ ହେବ ନାହିଁ। ଏଥିପାଇଁ ସମ୍ପୂର୍ଣ୍ଣ ଡାଇନିଂ ଓ ରୋଷଶାଳକୁ ସଫା କରାଯାଇଛି। ଉଭୟ ମଧ୍ୟାହ୍ନଭୋଜନ ଓ ରାତ୍ରଭୋଜନରେ ସାତ୍ବିକ ଥାଳି ହିଁ ପରସାଯିବ ବୋଲି ଓଟିଡିସି ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ଓଟିଡିସିର ଅଧ୍ୟକ୍ଷ ଲେନିନ ମହାନ୍ତି କହିଛନ୍ତି, ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଓଡ଼ିଶାର ସଂସ୍କୃତି, ପର୍ବପର୍ବାଣୀ, ଓଡ଼ିଆ ବ୍ୟଞ୍ଜନକୁ ପ୍ରଚାରପ୍ରସାର କରିବାକୁ ବର୍ଷତମାମ୍ ଉଦ୍ୟମ କରାଯାଉଛି। ଏବେ ରଥଯାତ୍ରା ଅବସରରେ ଓଡ଼ିଶାର ସାତ୍ବିକ ବ୍ୟଞ୍ଜନଗୁଡ଼ିକର ପ୍ରଚାର ପ୍ରସାର ତଥା ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ୯ ଦିନ ଯାଏ ନିମନ୍ତ୍ରଣ ହୋଟେଲରେ ଏହିଭଳି ବିନା ପିଆଜ, ରସୁଣ ସାତ୍ବିକ ଥାଳି ଉପଲବ୍ଧ କରାଯିବ। ସାମ୍ବାଦିକ ସମ୍ମଳନୀରେ ପର୍ଯ୍ୟଟନ ଓଏସ୍ଡି ଅଂଶୁମାନ ରଥ, ଓଟିଡିସିର କମ୍ପାନି ସେକ୍ରେଟାରି ପ୍ରଶାନ୍ତ ପଣ୍ଡା, ଓଟିଡିସି ଡିଭିଜନ୍ ମ୍ୟାନେଜର ରଞ୍ଜନ ମିଶ୍ର ଓ ନିମନ୍ତ୍ରଣର ସେଫ୍ ସଞ୍ଜୟ ଶଙ୍କର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଆଜି ଆୟୋଜିତ ‘ଫୁଡ୍ ଟେଷ୍ଟିଂ ସେରେମୋନିରେ ୧୫୦ଜଣ ଫୁଡ୍-ବ୍ଲଗର୍ ଯୋଗ ଦେଇଥିଲେ।