ଭୁବନେଶ୍ବର: ଗୁରୁବାର କମିସନରେଟ୍ ପୁଲିସ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୯ଜଣ ନିଶା ମାଫିଆଙ୍କୁ ଗିରଫ କରିଛି। ସେମାନେ ହେଲେ ଗଞ୍ଜାମଜିଲ୍ଲା ବୁଗୁଡ଼ା ଅଞ୍ଚଳର ସରୋଜ କୁମାର ରାଉତ(୨୩), ଜୟଦେବବିହାର ଅଞ୍ଚଳର ମନୋଜ କୁମାର ମଲ୍ଲିକ(୩୫), ମୈତ୍ରୀବିହାର ଅଞ୍ଚଳର ବିଜୟ କୁମାର ମଣ୍ଡଳ(୩୫), ଆଇଗିଣିଆ ଅଞ୍ଚଳର ସୁବାସ ସ୍ବାଇଁ(୨୮), ସାଲିଆସାହି ଅଞ୍ଚଳର ଦିଲୀପ ବରାଳ(୫୫), ଜିତେନ୍ଦ୍ର ପ୍ରଧାନ(୨୪), ପ୍ରକାଶ ଖଟୁଆ(୩୨), ଜଳେଶ୍ବରବସ୍ତିର ରବୀନ୍ଦ୍ର ସାହୁ(୨୪) ଓ ଆଇଆର୍ସି ଭିଲେଜ୍ ଅଞ୍ଚଳର ନିକଲେଶ୍ ପଣ୍ଡା(୩୬)। ସେମାନଙ୍କ ନିକଟରୁ ନଗଦ ୪୨ହଜାର ଟଙ୍କା, ୪୨କେଜି ଗଞ୍ଜେଇ(ବଜାର ମୂଲ୍ୟ ୪ ଲକ୍ଷ ଟଙ୍କା), ୨୬୦ ଗ୍ରାମ୍ ବ୍ରାଉନ୍ସୁଗାର(ବଜାର ମୂଲ୍ୟ ୨୬ ଲକ୍ଷ ଟଙ୍କା), କୋଟିଏ କାର୍ ଓ ୩ଟି ବାଇକ୍ ଜବତ କରାଯାଇଛି।
ଆଜି ପୁଲିସ ସେବାଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ଏସ୍ ଦେବଦତ୍ତ ସିଂ ଓ ଡିସିପି ପିନାକ ମିଶ୍ର ଏନେଇ ସୂଚନା ଦେଇଥିଲେ। ପୁଲିସ ସୂଚନାନୁସାରେ ଗୁରୁବାର ସକାଳ ପାଖାପାଖି ସାଢ଼େ ୮ଟା ସମୟରେ ଦିଲୀପ, ଜିତେନ୍ଦ୍ର, ପ୍ରକାଶ, ରବୀନ୍ଦ୍ର ଓ ନିକଲେଶ୍ ହାତୀଆସୁଣିବସ୍ତିରେ ପହଞ୍ଚିଥିଲେ। ୩ଟି ବାଇକ୍ରେ ଥିବା ୫ ଅଭିଯୁକ୍ତ ଗଞ୍ଜେଇ ଧରି ଖୁଚୁରା ବ୍ୟବସାୟୀଙ୍କୁ ଅପେକ୍ଷା କରିଥିଲେ। ବିଶେଷସୂତ୍ରରୁ ଖବର ପାଇ ମୈତ୍ରୀବିହାର ଥାନା ପୁଲିସ ଚଢ଼ଉ କରି ୫ଜଣଙ୍କୁ କାବୁ କରିଥିଲା। ସେମାନଙ୍କ ପାଖରୁ ନଗଦ ୨୦ହଜାର ଟଙ୍କା, ୪୨ କେଜି ଗଞ୍ଜେଇ ଓ ୩ଟି ବାଇକ୍ ଜବତ କରିଥିଲା। ଏମାନେ କନ୍ଧମାଳରୁ ଗଞ୍ଜେଇ ଆଣି ଭୁବନେଶ୍ବରର କିଛି ଖୁଚୁରା ବେପାରୀଙ୍କୁ ଯୋଗାଉଥିଲେ। ସେହିପରି ଆଜି ଭୋର୍ ସମୟରେ ସରୋଜ, ମନୋଜ, ବିଜୟ ଓ ସୁବାସ ଏକ ସ୍ବିଫ୍ଟ୍ କାର୍ ଯୋଗେ ବାଲେଶ୍ବରରୁ ବ୍ରାଉନ୍ସୁଗାର ନେଇ ରାଜଧାନୀ ଆସୁଥିବା ଖବର ସ୍ପେସାଲ୍ ସ୍କ୍ବାଡ୍ ହାତରେ ଲାଗିଥିଲା। ଖବର ପାଇବା ମାତ୍ରେ ସ୍ପେସାଲ୍ ସ୍କ୍ବାଡ୍ ଟିମ୍ ତୁରନ୍ତ ବାଲିଅନ୍ତା ଥାନାକୁ ଜଣାଇଥିଲା। ହଂସପାଳ ଛକରୁ ସେମାନେ ପୁରୀ କେନାଲ୍ ରୋଡ୍ରେ ଯାଉଥିବା ବେଳେ ବାଲିଅନ୍ତା ଥାନା ପୁଲିସ ଓ ସ୍ପେସାଲ୍ ସ୍କ୍ବାଡ୍ ଗାଡ଼ି ସେମାନଙ୍କୁ ଆଗରୁ ଓ ପଛରୁ ଘେରି ଯାଇଥିଲା। ସେମାନଙ୍କ ନିକଟରୁ ନଗଦ ୨୨ ହଜାର ଟଙ୍କା ଓ ୨୬୦ ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/commissionrate.jpg)