ଅଗ୍ନିକାଣ୍ତ: ୯ ବଖରା ପାଉଁଶ

ବାଲିପାଟଣା/ବାରଙ୍ଗ : ବାଲିପାଟଣା ବ୍ଲକ୍‌ ଅନ୍ତର୍ଗତ ପମ୍ପାଲୋ ପଞ୍ଚାୟତ କୁଳନ୍ତିରା ଗ୍ରାମରେ ରବିବାର ରାତିରେ ଭୟାବହ ଅଗ୍ନିକାଣ୍ତ ଘଟି ୪ଟି ପରିବାରର ୭ବଖରା ଘର ଜଳିଯାଇଛି। ଏଥିସହ ଲକ୍ଷଲକ୍ଷ ଟଙ୍କାର ସ˚ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ତର ପ୍ରକୃତ କାରଣ ଜଣାପଡ଼ି ନାହିଁ। ମିଳିଥିବା ସୂଚନା ଅନୁଯାୟୀ ରାତି ପ୍ରାୟ ସାଢେ ଏଗାରଟା ସମୟରେ ଏହି ଗ୍ରାମର ଶ୍ରୀଚରଣ ଦାସ, ପ୍ରାଣକୃଷ୍ଣ ଦାସ, ସ୍ବପ୍ନସରିତ ଦାସ, ଗୁରୁଚରଣ ଦାସଙ୍କ ଘରେ ଅଗ୍ନିକାଣ୍ତ ଘଟିଥିଲା। ଚାହୁଁଚାହୁଁ ୬ବଖରା ଘର ଓ ଗୋଟିଏ ଗୁହାଳ ଘର ପୋଡ଼ି ପାଉଁଶ ହୋଇଯାଇଥିଲା। ଗାଁ ଲୋକେ ଓ ବାଲିପାଟଣା ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ। କିନ୍ତୁ ଅଗ୍ନିକାଣ୍ତରେ ଘର ଓ ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ତରେ ବସ୍ତାବସ୍ତା ଧାନ, ଚାଉଳ, ଖଟ, ଆଲମିରା, ଫ୍ୟାନ, ଟିଭି, ବାଇକ, ହାଣ୍ତି, ଡେକଚି ସହ ଘରର ସମସ୍ତ ଉପକରଣ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ବିଭିନ୍ନ ସରକାରୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ବିଭିନ୍ନ ନେତା, କର୍ମୀ ଓ ସ୍ବଚ୍ଛାସେବୀମାନେ ପହଞ୍ଚି ଅଗ୍ନିବିପନ୍ନଙ୍କୁ ସହାୟତା ଯୋଗାଇଥିବା ଜଣାପଡ଼ିଛି। ସେହିପରି ବାରଙ୍ଗ ଥାନା ଅଧୀନ ମୁଣ୍ତଳୀ ପଞ୍ଚାୟତ ବେରଣା ମୁଣ୍ତା ସାହି ବସ୍ତିରେ ଅଗ୍ନିକାଣ୍ତ ଘଟି ବନ ମୁଣ୍ଡା ଓ ଫକିର ମୋହନ ବରିଙ୍କର ଦୁଇ ବଖରା ଚାଳ ଘର ଓ ଏକ ଗୁହାଳ ପାଉଁଶ ହୋଇଯାଇଛି। ବାରଙ୍ଗ ଦମକଳ କନ୍ଦ୍ରର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଘର ଭିତରେ ଥିବା ସମସ୍ତ ଆସବାବପତ୍ର ଜଳି ଯାଇଛି। କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର