ନୂଆପଲ୍ଲୀ ଥାନା ଅଧୀନ ସିଆରପି ଛକ ମୁଣ୍ଡାସାହିରେ ଗ୍ୟାସ ଲିକ୍‌, ୯ ଗୁରୁତର

ଭୁବନେଶ୍ବର : ଆଜି ସଂଧ୍ୟାରେ ନୂଆପଲ୍ଲୀ ଥାନା ଅଧୀନ ସିଆରପି ଛକ ମୁଣ୍ଡସାହିରେ ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ୯ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଗୁରୁତରମାନେ ହେଲେ, ମଙ୍ଗୁଳି ସିଂହ, ପୀତାମ୍ବର ସିଂହ, ନୀତୀଶ ହେମ୍ବ୍ରମ, କିଉନ ତରିଆ, ବନବାସୀ ଗାଗରାଇ, ବନମାଳି ହେମ୍ବ୍ରମ, ଗାଙ୍ଗାରାମ ରାଗାରାଇ, ବଟକଳା ତିରିଆ, ରାଉଲା ହେମ୍ବ୍ରମ ପ୍ରମୁଖ। କାହାର ଗୋଡ଼ ପୋଡି ଯାଇଛି ତ ଆଉ କାହାର ହାତ। ଖବର ପାଇ ପୁଲିସ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା।

ସୂଚନାନୁସାରେ, ଆଜି ସାହିର ଜଣେ ବ୍ୟକ୍ତିଙ୍କ ଗ୍ୟାସ ଲିକ୍ ହୋଇଥିଲା। ଏ ନେଇ ସେ ଗ୍ୟାସ୍‌ ବିତରଣ କମ୍ପାନି ସହ ଯୋଗାଯୋଗ କରିଥିଲେ। ସଂଧ୍ୟାରେ ଗ୍ୟାସ୍ ବିତରଣ କମ୍ପାନିର ଜଣେ କର୍ମଚାରୀ ପହଞ୍ଚି ଚୁଲା ସଜାଡ଼ୁଥି‌ଲେ। ତେବେ ଏହି ସମୟରେ ଗ୍ୟାସ୍‌ ପଡ଼ୋଶୀଙ୍କ ରୋଷ ନିଆଁ ସଂପର୍କରେ ଆସିବାରୁ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁ ଚାହୁଁ ପୂରା ସାହିକୁ ନିଆଁ ବ୍ୟାପି ଯାଇଥିଲା। ଫଳରେ ସାହିରେ ଅନେକ ପୋଡ଼ି ହୋଇଯାଇଥିଲେ। ସାହିରେ ଏହାକୁ ନେଇ ଆତଙ୍କ ଖେଳି ଯାଇଥିଲା। ଲୋକେ ଭୟରେ ଏଣେ ତେଣେ ଦୌଡ଼ି ଥିଲେ। ସାହିର ଜଣେ ଯୁବକଙ୍କଠାରୁ ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଗ୍ୟାସ୍‌କୁ ବନ୍ଦ କରିଥିଲେ। ସାହି ଲୋକଙ୍କ ଅଭିଯୋଗ ଯେ ଗ୍ୟାସ ବିତରଣ କମ୍ପାନି କର୍ମଚାରୀଜଣକ ସଜାଡୁଥିବା ବେଳେ ଯଦି ଏଭଳି ଅଘଟଣ ଘଟେ, ତେବେ କିଏ ଦାୟୀ ରହିବ। ଏ ନେଇ ସାହିବାସିନ୍ଦାମାନେ ନୂଆପଲ୍ଲୀ ଥାନା‌ରେ ଏକ ମାମଲା ରୁଜୁ କରିଛନ୍ତି। ପୁଲିସ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର