ଭୁବନେଶ୍ୱର : ଦିନରେ ତାଲାବନ୍ଦ କଟକଣା, ରାତିରେ ୧୨ ଘଣ୍ଟିଆ କର୍ଫ୍ୟୁ। ଶୂନ୍‌ଶାନ୍‌ ରାଜଧାନୀରେ ପୁଲିସର କଡ଼ା ପହରା। ନିୟମ ଉଲ୍ଲଙ୍ଘନ କଲେ ମହାମାରୀ ଆଇନରେ ଗିରଫ ହେବେ। କିନ୍ତୁ ଏସବୁ ପ୍ରତି ଜୁଆଡ଼ିଙ୍କର ଭ୍ରୂକ୍ଷେପ ନାହିଁ। ସବୁ କଟକଣାକୁ ମୋଡ଼ି ମକଚି ଜୁଆ ଖେଳରେ ମାତିଥି‌ବା ୯ ଜୁଆଡ଼ିଙ୍କୁ ଆଜି ନୂଆପଲ୍ଲୀ ଥାନା ପୁଲିସ୍‌ ଗିରଫ କରିଛି। ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ନୂଆପଲ୍ଲୀ ଭିଆଇପି ଅଞ୍ଚଳ‌‌ରେ ଥିବା ‘ଓୟୋ ପ୍ରାଇଡ୍‌’ ହୋଟେଲ‌ରେ ଜୁଆ ଖେଳ ଚାଲିଥିବା ବେଳେ ପୁଲିସ ଅତର୍କିତ ଚଢ଼ଉ କରି ପୁଲିସ ସେମାନଙ୍କୁ ଗିରଫ କରିଥିଲା।

Advertisment

publive-image

ଅଭିଯୁକ୍ତମାନେ ହେଲେ, ଚନ୍ଦ୍ରଶେଖରପୁର ସିକ୍ସିଥ୍‌ ଆଭେନ୍ୟୁ ଆପାର୍ଟମେଣ୍ଟରେ ରହୁଥିବା ରାଜେନ୍ଦ୍ର ମିଶ୍ର, ପୁରୁଣା ଭୁବନେଶ୍ବର ଦେଉଳ ଘରର ସନ୍ତୋଷ ପଣ୍ଡା ଓ ଗନ୍ଧର୍ବ ପୃଷ୍ଟି, ଖୋର୍ଦ୍ଧା ମୁକୁନ୍ଦ ପ୍ରସାଦର ସୁରେଶ ଦାସ, ମଧୁସୂଦନ ନଗର ପ୍ଲଟ୍ ନଂ ୬୮୬ରେ ରହୁଥିବା ରମେଶ ଚନ୍ଦ୍ର ଶତପଥୀ, ନୟାଗଡ଼ ଶରଣକୁଳର ରାଜୀବ ପ୍ରଧାନ, କଳିଙ୍ଗବିହାରର ମୋହନ ଦଲାଇ, ଜିଜିପି କଲୋନିରେ ରହୁଥିବା ଶଙ୍କର୍ଷଣ ମିଶ୍ର ଓ ଲକ୍ଷ୍ମୀସାଗର ମ୍ୟୁନିସିପାଲ ହାଇସ୍କୁଲ ପାଖରେ ରହୁଥିବା ଅଜୟ ସ୍ବାଇଁ। ଏମାନଙ୍କ ମଧ୍ୟରେ ୩ଜଣ ବିଲ୍ଡର୍‌, ୫ଜଣ ଠିକାଦାର ଓ ଜଣେ ଛାତ୍ର ଥିବା ଜଣାଯାଇଛି। ତେବେ ଛାତ୍ରଜଣଙ୍କ କିପରି ଏହି ଖେଳରେ ସାମିଲ ହେଲେ, ସେ ନେଇ ପୁଲିସ ଖୋଳତାଡ଼ ଚଳାଇଛି। ସେମାନଙ୍କଠାରୁ ୩ଟି ଦାମୀ କାର୍‌, ୧ ଲକ୍ଷ ୫୩ ହଜାର ୪ଶହ ଟଙ୍କା, ୭ଟି ଦାମୀ ମୋବାଇଲ ଓ ତାସ୍‌ ଜବତ ହୋଇଛି। ରୁମ୍‌ରେ ପଡ଼ିଥିବା କେତେକ ଦା‌ମୀ ମଦ ବୋତଲ ଜୁଆ ସହ ମଦର ଆସର ଜମୁଥିବା ପ୍ରମାଣ ଦେଉଛି।

publive-image image source- times of india

ଲିଜ୍‌ଧାରୀଙ୍କୁ ଖୋଜୁଛି ପୁଲିସ
ରୁମ୍‌ର ମାଲିକ ବଲାଙ୍ଗୀରର ବାଲଗୋପାଲ ମିଶ୍ରଙ୍କର ବୋଲି ଜଣାପଡ଼ିଛି। କିଛି ଦିନ ହେବ ଏହାକୁ ଲିଜ୍‌ ସୂତ୍ରରେ ଆଣି ପ୍ରସନ୍ନ ଦାସ ଚଳାଉଥିଲେ। ରୁମ୍‌ଗୁଡ଼ିକ‌ ଓୟୋ ଜରିଆରେ ବୁକିଂ ହେଉଥିଲା। ଦ୍ବିତୀୟ ମହଲାର ଏକ ରୁମ୍‌ରେ ଏହି ଆଡ଼ା ଚାଲିଥିଲା। ତେବେ ଏହି ରୁମ୍‌ଟି ଭଡ଼ା ନିଆ ଯାଇନଥିବା ପୁଲିସ କହିଛି। ଏଣୁ ଜୁଆଡିଙ୍କ ପାଖକୁ ଚାବି କେମିତି ଗଲା? ବୁକିଂ ନ ହେଲେ ମାଲିକ କିଭଳି ପଇସା ପାଉଥିଲେ? ଏଭଳି ଅନେକ ପ୍ରଶ୍ନ ଏବେ ଲିଜ୍‌ଧାରୀଙ୍କୁ ବିବାଦକୁ ଟାଣିଛି। ଜୁଆ ଆଡ଼ା ସହ ଲିଜ୍‌ଧାରୀଙ୍କ ସିଧାସଳଖ ସମ୍ପର୍କ ଥିବା ପୁଲିସ ସନ୍ଦେହ କରୁଛି। ମାଲିକଙ୍କୁ ଖୋଜା ଚାଲିଛି। ମିଳିବା ପରେ ବାସ୍ତବ କଥା ଜଣାପଡ଼ିବ ଓ ତାଙ୍କ ଉପରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୂଆପଲ୍ଲୀ ଥାନା ଆଇଆଇସି ଅରୁଣ ସ୍ବାଇଁ କହିଛନ୍ତି।

ପୂର୍ବରୁ ଫେରିଥିଲା ପୁଲିସ
ଏହି ଘରେ ଦୀର୍ଘ ଦିନ ଧରି ଜୁଆ ଖେଳ ଚାଲିଥିବା ପୁଲିସ ପାଖରେ କିଛି ଦିନ ତଳେ ଖବର ପହଞ୍ଚିଥିଲା। ତେବେ ପୁଲିସ ପହଞ୍ଚିବା ବେଳକୁ ରୁମ୍‌ ଖାଲି ହୋଇଯାଇଥିବା ଜଣାପଡ଼ିବାରୁ ପୁଲିସ ଚଢ଼ଉ କରିନଥିଲା। ଏଣୁ ଏହି ହୋଟେଲ ଉପରେ ନଜର ରଖିଥିଲା। ଆଜି ଚଢ଼ଉ କରିଥିଲା। ଚଢ଼ଉ ବେଳେ ସେଠାରେ କେତେକ ଯୁବକ ଦେଖିବାକୁ ମିଳିଥିଲେ। ସେମାନେ ମଧ୍ୟ ଅଭିଯୁକ୍ତ ଓ ଜବତ ଜିନିଷର ଫଟୋ ଉଠାଇବାକୁ ଘୋ‌ର ବିରୋଧ କରିଥିଲେ। ‘ଥାନାରୁ ବେଲ୍‌ ହେବ, କାଇଁ ଏମିତି ହଉଚ’ ବୋଲି କହିଥିଲେ। ତେବେ ପୂର୍ବରୁ ମଧ୍ୟ ଏଭଳି ଚଢ଼ଉ ହୋଇଛି। ହାଇପ୍ରୋଫାଇଲ ଜୁଆଡ଼ି ଧରାପଡ଼ିଛନ୍ତି। ହେଲେ ଜୁଆ ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ଆଖିଦୃଶିଆ ହେଉନଥିବାରୁ ଏହାକୁ ରୋକି ହେଉନାହିଁ। ଏଭଳି କାରବାରକୁ ସୁରକ୍ଷା ଦେଇ କେତେକ ପୁଲିସ ଅଧିକାରୀ ମଧ୍ୟ ମାଲାମାଲ ହେଉଥିବା ଅଭିଯୋଗ ରହିଛି।