ଭୁବନେଶ୍ବର: ରାତାରାତି କୋଟିପତି ହେବାର ସ୍ବପ୍ନ, ଭିନ୍ନ ଭିନ୍ନ ଘ‌ରୋଇ ସଂସ୍ଥାର ୨ଜଣ କର୍ମଚାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିପୁଳ ଫାଇଦା ଲୋଭରେ ଟ୍ରେଡିଂ ଆପ୍‌ରେ ବିନିଯୋଗ କରି ଏହି ୨ବ୍ୟକ୍ତି ୯୦ ଲକ୍ଷ ଟଙ୍କା ହରାଇଛନ୍ତି। ଜଣେ ୬୦ ଲକ୍ଷ ଓ ଅନ୍ୟଜଣକ ୩୦ ଲକ୍ଷ ଟଙ୍କା ହରାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ହେବା ପରେ ସାଇବର ଥାନା ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଚୂନ ଲଗାଇଥିବା ସାଇବର ଠକ ମ୍ୟୁଲ୍‌ ଆକାଉଣ୍ଟ ମାଧ୍ୟମରେ ଟଙ୍କାତକ ଚଳୁ କରିସାରିଛନ୍ତି। ତେଣୁ ଏହି ୨ ମାମଲାର ସମାଧାନ ସାଇବର ଥାନା ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। 

Advertisment

ସୂଚନାଯୋଗ୍ୟ ଯେ ସୋସିଆଲ୍‌ ମିଡିଆରେ ଲୋଭନୀୟ ବିଜ୍ଞାପନ ଦେଖି ଏହି ଦୁଇଜଣ ଟ୍ରେଡିଂ ଆପ୍‌ରେ ପୁଞ୍ଜି ବିନିଯୋଗ କରିବାକୁ ମନ ବଳାଇଥିଲେ। ମାତ୍ର ଉକ୍ତ ବିଜ୍ଞାପନ ସାଇବର ଠକଙ୍କର ଥିଲା ବୋଲି ସେମାନେ ବୁଝିପାରି ନଥିଲେ। ତେଣୁ ଟ୍ରେଡିଂ ଆପ୍ଲିକେସନ୍‌ ଡାଉନ୍‌ଲୋଡ୍‌ କରିବା ପରେ ସେମାନେ ସାଇବର ଠକଙ୍କ ମାୟାଜାଲରେ ଫସିଯାଇଥିଲେ। ପ୍ରଥମଜଣକ ପର୍ଯ୍ୟାୟକ୍ରମେ ବିନିଯୋଗ କରି ତାଙ୍କ ୱାଲେଟ୍‌ରେ ୮୦ ଲକ୍ଷ ଟଙ୍କା ଜମା ହୋଇଥିବା ଦେଖିଥିଲେ। ସେତେବେଳକୁ ସେ ସାଇବର ଠକଙ୍କ ଚାଲ୍‌ ବୁଝି ନପାରି ୬୦ ଲକ୍ଷ ଟଙ୍କା ବିନିଯୋଗ କରିସାରିଥିଲେ। ସେହିଭଳି ଦ୍ବିତୀୟ ବ୍ୟକ୍ତି ଜଣକ ୩୦ ଲକ୍ଷ ବିନିଯୋଗ କରିବା ପରେ ତାଙ୍କ ୱାଲେଟ୍‌ରେ ୬୦ ଲକ୍ଷ ଟଙ୍କା ଜମା ଥିବା ଦେଖିଥିଲେ। କିନ୍ତୁ ଟଙ୍କା ଉଠାଇବାକୁ ଚେଷ୍ଟା କରି ଉଭୟେ ବିଫଳ ହେବା ପରେ ସେମାନେ ଠକାମିର ଶିକାର ହୋଇଥିବା ନିଶ୍ଚିତ ହୋଇଥିଲେ।