ଖଣ୍ଡଗିରି: ନୂଆବର୍ଷ ପାଇଁ ଆଜି ଖଣ୍ଡଗିରି-ଉଦୟଗିରି ଐତିହ୍ୟ ସ୍ଥଳରେ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ସକାଳୁ ସଂଧ୍ୟା ଯାଏ ଉଭୟ ପାହାଡ଼ରେ ୯ହଜାରରୁ ଅଧିକ ଲୋକ ବୁଲି ଦେଖିଥିଲେ। ଜାତୀୟ ରାଜପଥରୁ ପାହାଡ଼ ପର୍ଯ୍ୟନ୍ତ ଲୋକଙ୍କ ଗହଳି ଦେଖିବାକୁ ମିଳିବା ସହ ଶହଶହ କାର ରାସ୍ତାକୁ ଜାମ କରିଦେଇଥିଲେ। ଫଳରେ ଲୋକେ ଗହଳି ଯୋଗୁଁ ଚାଲିଚାଲି ବୁଲିବାରେ ମଧ୍ୟ ସମସ୍ୟା ହୋଇଥିଲା। ଏଏସ୍ଆଇ ଅଧୀକ୍ଷକ ସୁଶାନ୍ତ କରଙ୍କ ସୂଚନା ଅନୁସାରେ ଉଦୟଗିରିକୁ ୭ହଜାର ୮ଶହ ୪୦ ଜଣ ୧୫ ବର୍ଷରୁ ଅଧିକ ପର୍ଯ୍ୟଟକ ବୁଲିବାକୁ ଅସିଥିବା ବେଳେ ମୋଟ ଏକ ଲକ୍ଷ ୯୬ହଜାର ଟଙ୍କା ଆଦାୟ ହୋଇଛି। ୧୫ ବର୍ଷରୁ କମ୍ ପିଲାଙ୍କ ପାଇଁ ଟିକେଟ ମାଗଣା ହୋଇଥିବା ବେଳେ ପ୍ରାୟ ୧୧ଶହରୁ ଅଧିକ ପିଲା ଆଜି ଐତିହ୍ୟସ୍ଥଳ ବୁଲି ଦେଖିଛନ୍ତି।
ରାସ୍ତାରେ ଗାଡ଼ି ରଖି ପ୍ରକୃତିର ମଜା ନେଲେ: ୭୫୫୬ଜଣ ଜୟଦେବ ବାଟିକା ବୁଲିଲେ
ନୂଆବର୍ଷ ପାଇଁ ଜୟଦେବ ବାଟିକାରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ସକାଳ ୮ଟାରୁ ଗହଳି ଆରମ୍ଭ ହୋଇ ଅପରାହ୍ନ ୬ଟା ପର୍ଯ୍ୟନ୍ତ ରହିଥିଲା। ଅପରାହ୍ନ ୪ଟା ପରେ କିନ୍ତୁ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଆମ୍ରି ହସ୍ପିଟାଲଠାରୁ ଗାନ୍ଧୀ ଶାନ୍ତି କେନ୍ଦ୍ର ପର୍ଯ୍ୟନ୍ତ ଗାଡ଼ିର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଜୟଦେବ ବାଟିକାରେ ଜଣକୁ ୩୦ ଟଙ୍କା ଓ ବାଇକ ପ୍ରବେଶକୁ ୩୦ ଟଙ୍କା ଲେଖାଏ ରହିଥିବା ବେଳେ ୩ ଚକିଆ ଯାନ ପାଇଁ ୫୦ ଟଙ୍କା ଓ ୪ ଚକିଆ ଯାନ ପାଇଁ ୧୦୦ ଟଙ୍କା ଦେୟ ରହିଛି। ତେଣୁ ଅଧିକାଂଶ ପର୍ଯ୍ୟଟକ ତିନି ଚକିଆ ଓ ଚାରି ଚକିଆ ଗାଡ଼ିଗୁଡ଼ିକୁ ରାସ୍ତା କଡ଼ରେ ରଖି ବାଟିକା ବୁଲିବାକୁ ଯାଇଥିଲେ। ଫଳରେ ଟ୍ରାଫିକ ସମସ୍ୟା ଉପୁଜିଥିଲା।
ବାଟିକାର ଇନଚାର୍ଜ ଦୟାନିଧି ଦାଶଙ୍କ ସୂଚନା ଅନୁସାରେ ଆଜି ବାଟିକାକୁ ୬୬୧୬ଜଣ ପ୍ରାପ୍ତ ବୟସ୍କ ବ୍ୟକ୍ତି ବୁଲି ଆସିଥିବାବେଳେ ୭୯୬ ଜଣ ପିଲା ଆସିଥିଲେ। ଅନ୍ଲାଇନରେ ୧୫୨ ଜଣ ଟିକେଟ ବୁକ୍ କରି ଆସିଥିଲେ। ସେହିପରି ୨୪ଟି ପିଣ୍ଡି ଗୋଟିଏ କନଫରେନ୍ସ ହଲ୍ ବୁକ୍ ହୋଇଥିଲା। ସମସ୍ତ ଗାଡ଼ି, ପିଣ୍ଡି ଓ ପର୍ଯ୍ୟଟକଙ୍କ ଠାରୁ ଆଜି ୩,୫୩,୦୧୫ ଟଙ୍କା ଆଦାୟ ହୋଇଛି।