୯ ବର୍ଷ ପରେ କମିସନରେଟ ପୁଲିସର ନିଦ ଭାଙ୍ଗିଲା, ମୃତ ମହିଳାଙ୍କ ପରିଚୟ ଜାଣିବାକୁ ପ୍ରୟାସ

୨୦୧୨ରେ ହତ୍ୟା କରି ଫିଙ୍ଗି ଦିଆଯାଇଥିଲା, ବିଭିନ୍ନ ଗାଡ଼ିରେ ଲାଗିଲା ପୋଷ୍ଟର

ଭୁବନେଶ୍ବର/ବାରଙ୍ଗ: କମିସନରେଟ ପୁଲିସ ଆରମ୍ଭ ହେବା ଦିନଠାରୁ ରାଜଧାନୀରେ ମିଳିଥିବା ଅଚିହ୍ନା ମୃତଦେହକୁ ଚିହ୍ନଟ କରିବା ସହ ମାମଲାର ପର୍ଦ୍ଦାଫାସ୍ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ୯ ବର୍ଷ ତଳେ ଚନ୍ଦକା ଗୋଠପାଟଣା ଅଞ୍ଚଳର ଜଣେ ଅଚିହ୍ନା ମହିଳାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯିବା ଘଟଣାର ଖୋଳାତାଡ଼ ଆରମ୍ଭ କରିଛି ସେଲ୍। ଆଜି ସ୍ଥାନୀୟ ଅଞ୍ଚଳ ସମେତ ଢେଙ୍କାନାଳ, କମାକ୍ଷାନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ମହିଳାଙ୍କ ଫଟୋ ଥିବା ପୋଷ୍ଟର ମରାଯାଇଛି। ଏହା ସହ ଚନ୍ଦକା ଥାନାଧିକାରୀଙ୍କୁ ନେଇ ତିଆରି ହୋଇଥିବା ସ୍ବତନ୍ତ୍ର ଟିମ୍ ଆସନ୍ତାକାଲି ଢେଙ୍କାନାଳ ଯିବ ବୋଲି ଜଣାପଡ଼ିଛି। ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାତାୟତ କରୁଥିବା ଗାଡ଼ିରେ ମଧ୍ୟ ପୋଷ୍ଟର ଲଗାଯାଇଛି। ନିକଟରେ ଚନ୍ଦକା ଅନ୍ଧାରୁଆ-ଦାସପୁର ରାସ୍ତାରେ ମିଳିଥିବା ମହିଳାଙ୍କ କଟାମୁଣ୍ଡ ମାମଲାରେ ପୁଲିସକୁ ସଫଳତା ମିଳିବା ପରେ ସେହି ଫର୍ମୁଲା ପ୍ରୟୋଗ କରାଯାଇଛି।

ଜୋନ୍ ୬ ଏସିପି ପି.ସି ପାଲଙ୍କ ସୂଚନା ଅନୁସାରେ, ୨୦୧୨ ମେ ୨୭ ତାରିଖରେ ଗୋଠପାଟଣାର ଏକ ଜଙ୍ଗଲିଆ ଅଞ୍ଚଳରୁ ମହିଳାଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଥିଲା। କିନ୍ତୁ ସେତେବେଳେ କୌଣସି ପରିଚୟ ମିଳି ନ ଥିଲା। ମହିଳାଙ୍କ ନିକଟରୁ ମିଳିଥିବା ଏକ ଲୁଗା ଜରିରେ ଢେଙ୍କାନାଳ କାମାକ୍ଷାନଗରର ଠିକଣା ରହିଥିଲା। ତେଣୁ ମହିଳାଙ୍କ ଘର କାମାକ୍ଷାନଗର କିମ୍ବା ଆଖପାଖ ଅଞ୍ଚଳରେ ହୋଇଥିବା ସନ୍ଦେହ କରାଯାଉଛି। କାମାକ୍ଷାନଗରକୁ ଏକ ଟିମ୍ ଆସନ୍ତାକାଲି ଯିବ। ଏହି ଟିମ୍ ସେଠାରେ ସ୍ଥାନୀୟ ଥାନାରେ ନିଖୋଜ ରିପୋର୍ଟ ଅଛି କି ନାହିଁ ଖୋଲତାଡ଼ କରିବ।

ଉଲ୍ଲେଖୋଯଗ୍ୟ, ଚଳିତ ବର୍ଷ ଫେବ୍ରୁଆରି ମାସରେ ଚନ୍ଦକା ଥାନା ଅନ୍ଧାରୁଆ-ଦାସପୁର ରାସ୍ତା ଏକ ନିକାଞ୍ଚନ ସ୍ଥାନରେ ମହିଳାଙ୍କୁ ହତ୍ୟା କରି ମୁଣ୍ଡ କାଟି ଫିଙ୍ଗି ଦେବା ଘଟଣାରେ ପୁଲିସକୁ ଖୁବ୍ କମ ଦିନରେ ସଫଳତା ମିଳିଥିଲା। ଏହା ପରେ ମାମଲାର ପର୍ଦ୍ଦାଫାସ୍ ହୋଇ ପାରିଥିଲା। ରାଜଧାନୀରେ ଏମିତି ଅନେକ ସମ୍ବେଦନଶୀଳ ଅଚିହ୍ନା ମୃତଦେହର ଚିହ୍ନଟ ହୋଇପାରି ନାହିଁ। ଫେବ୍ରୁଆରିରେ ବହୁ ଚର୍ଚ୍ଚିତ ଯାଁଳା ଫାଣ୍ଡି ପରିସରରରୁ ଜବତ ଗାଡ଼ିରୁ କଙ୍କାଳ ମିଳିବା ଘଟଣାକୁ ୪ ମାସ ବିତି ଯାଇଥିଲେ ମଧ୍ୟ ଏଯାଏ ଚିହ୍ନଟ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର