କବି ନାୟକ ହତ୍ୟାକାଣ୍ଡକୁ ୯ବର୍ଷ. ବଦଳିଲେଣି ୩ ଡିସିପି, ଧରାପଡ଼ୁନି ହତ୍ୟାକାରୀ

ଭୁବନେଶ୍ବର: ଜଣଙ୍କ ପରେ ଜଣେ, ୩ଜଣ ଡିସିପିଙ୍କ ବଦଳି ହୋଇସାରିଲାଣି। ଏହା ଭିତରେ କମିସନରେଟ୍‌ ପୁଲିସ୍‌ ବହୁ ପୁରୁଣା ମାମଲାର ପର୍ଦ୍ଦାଫାସ୍‌ କରି ଅନେକ ଅପରାଧୀଙ୍କୁ ଗିରଫ କରିସାରିଲାଣି। କିନ୍ତୁ ୯ ବର୍ଷ ତଳେ ଘଟିଥିବା ଲୋମଟାଙ୍କୁରା କବି ନାୟକ ହତ୍ୟାକାଣ୍ଡ ଏବେ ବି ଅସମାହିତ ହୋଇ ରହିଛି। ଅପରାଧୀ ପୁଲିସ୍‌ ପାଇଁ ଅପହଞ୍ଚ ହୋଇ ରହିଥିବା ବେଳେ ଅପରାଧର କାରଣ ଉପରୁ ବି ପରଦା ହଟିପାରିନାହିଁ।

୨୦୧୪ ଜୁନ୍ ୨୬ ତାରିଖ ରାତି ପ୍ରାୟ ସାଢ଼େ ୧୨ଟା। ଖାରବେଳନଗର ଥାନା ଅଧୀନ ସତ୍ୟନଗର ଓଭରବ୍ରିଜ୍ ତଳୁ ଗଞ୍ଜାମ ଜିଲ୍ଲା ବାଡ଼ୁଅ ଅଞ୍ଚଳର କବି ନାୟକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଥିଲା। ଦୁର୍ବୃତ୍ତମାନେ ମୃତଦେହକୁ ଖଣ୍ଡଖଣ୍ଡ କରି ଏକ ସିମେଣ୍ଟ ଜରି ବସ୍ତାରେ ବାନ୍ଧି ଓଭରବ୍ରିଜ୍ ଉପରୁ ଫିଙ୍ଗି ଦେଇଥିଲେ। ପୁଲିସ ଶବକୁ ବ୍ୟବଚ୍ଛେଦ ଲାଗି ରାତାରାତି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। କବି ବୁଦ୍ଧନଗର କଦଳୀ ଗୋଦାମରେ ରହୁଥିବା ତାଙ୍କ ପିଉସା ପିଉସୀଙ୍କ ଘରକୁ ବୁଲିବାକୁ ଆସିଥିବା ବେଳେ ହତ୍ୟାକାଣ୍ଡର ଶିକାର ହୋଇଥିଲେ। ପୁଲିସ ୧୮୧/୧୪ ଦଫା ୩୦୨, ୨୦୧‌ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାର ପରଦିନ ପୁଲିସକୁ ଏକ ବଡ଼ ସୁରାକ୍‌ ମିଳି ଯାଇଥିଲା।

ଶବକୁ ଖଣ୍ଡଖଣ୍ଡ କରି ସିମେଣ୍ଟ ବସ୍ତାରେ ବାନ୍ଧିଥିଲେ
ସତ୍ୟନଗର ଓଭରବ୍ରିଜ୍‌ ତଳୁ ଉଦ୍ଧାର ହୋଇଥିଲା

ଲକ୍ଷ୍ମୀସାଗର କେନାଲରୋଡ୍‌ ଅଞ୍ଚଳରୁ କବିଙ୍କ ୩ଟି ପାସପୋର୍ଟ ସାଇଜ୍‌ ଫଟୋ, ଆଧାରକାର୍ଡ, ପୋଷାକ, ଦୁଇଟି ଧାରୁଆ ଅସ୍ତ୍ର ଜବତ ହୋଇଥିଲା। ସେତେବେଳେ ତଦନ୍ତରୁ ଜଣାପଡ଼ିଥିଲା ଯେ ଜବତ ଧାରୁଆ ଅସ୍ତ୍ର ଦୁଇଟି କଦଳୀ ଗୋଦାମରେ କଦଳୀ ଫେଣା କାଟିବାରେ ବ୍ୟବହାର ହେଉଥିଲା ଓ ସେହିଥରେ ହିଁ କବିଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର ମିଳିଥିଲେ ହେଁ ପୁଲିସ୍‌ ଆଉ ସେଠାରୁ ଆଗକୁ ବଢ଼ି ପାରି ନଥିଲା। କିଏ ଓ କାହିଁକି ତାଙ୍କୁ ମାରିଲା, ତାହା ପୁଲିସ୍‌ ପାଇଁ ଏବେ ବି ଅଭେଦ୍ୟ ହୋଇ ରହିଛି।

କବି ମୋବାଇଲ ବ୍ୟବହାର କରୁ ନ ଥିବାରୁ ପୁଲିସ୍‌ର ତଦନ୍ତ ବାଉଳା ହୋଇଥିଲା। ତେଣୁ ପୁଲିସ୍‌ ଅନ୍ଧାରରେ ବାଡ଼ି ବୁଲାଇବା ଭଳି ପିଉସା ଓ ପିଉସୀଙ୍କ ଉପରେ ସନ୍ଦେହ କରି ଜେରା କରିଥିଲା। ଏପରିକି, ରସୁଲଗଡ଼ସ୍ଥିତ ଫୋରେନସିକ୍ ଲାବ୍ରୋଟାରିରେ ଦୁଇଜଣଙ୍କ ମିଛଧରା (ଲାଏ-ଡି‌ଟେକ୍ସନ୍‌ ଟେଷ୍ଟ) କରାଇଥିଲା। କିନ୍ତୁ ପୁଲିସକୁ ସେଥିରେ କୌଣସି ସଫଳତା ମିଳି ନଥିଲା। ସେପରି କୌଣସି ପ୍ରମାଣ ନ ମିଳିବାରୁ ୭ଦିନ ପରେ ପୁଲିସ ଦୁହିଁଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲା। ଏହା ପରେ ପୁଲିସ ଲକ୍ଷ୍ମୀସାଗରଠାରୁ ଆରମ୍ଭ କରି ଜଗତ୍‌ସିଂହପୁର, ଗଞ୍ଜାମ ଆଦି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। କିନ୍ତୁ କୌଣସି ସୁରାକ୍‌ ପାଇ ନଥିଲା।

ଅନ୍ୟପକ୍ଷରେ କବିଙ୍କର ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିଲା ବୋଲି ସେତେବେ‌‌ଳେ ଚର୍ଚ୍ଚା ହୋଇଥିଲା। ଏହାବାଦ୍ କବି ଜଣେ ପେସାଦାର ଅପରାଧୀ ମଧ୍ୟ ଥିଲେ। ତାଙ୍କ ନାମରେ ଗଞ୍ଜାମରୁ ଭୁବନେଶ୍ବର ପର୍ଯ୍ୟନ୍ତ ବିଭିନ୍ନ ଥାନାରେ ଲୁଟପାଟ୍‌, ଛିନତାଇ ଭଳି ମାମଲା ମଧ୍ୟ ଥିଲା। ପୁଲିସ୍‌ ସବୁ ଦିଗରୁ ତଦନ୍ତ କରିଥିଲେ ବି କିଛି ବାଟ ଯିବା ପରେ ଆଉ ଆଗକୁ ବଢ଼ି ପାରିନଥିଲା।

ଏହି ହତ୍ୟାକାଣ୍ଡ ଘଟିବାର କିଛି ଦିନ ପୂର୍ବରୁ ଭୁବନେଶ୍ବର ଡିସିପି ଭାବେ ସତ୍ୟବ୍ରତ ଭୋଇ ଯୋଗ ଦେଇଥିଲେ। ତାଙ୍କ ସହ ଆଉ ୨ଜଣଙ୍କର ବଦଳି ହୋଇସାରିଲାଣି। ତଦନ୍ତକାରୀ ଅଫିସରଙ୍କଠାରୁ ଆରମ୍ଭ କରି ଏସିପି ରୢାଙ୍କର ଅଧିକାରୀ ବି ବଦଳି ହୋଇ ଅନ୍ୟ ସ୍ଥାନକୁ ଗଲେଣି। କିନ୍ତୁ ଏଯାଏ ଏ ଘଟଣା ଉପରୁ କେହି ପରଦା ଉଠାଇ ପାରିନାହିଁ।
ପୁରୁଣା ମାମଲାର ଫାଇଲକୁ ଖୋଜିଖୋଜି ପୁଣିଥରେ କେସ୍‌ ରି-ଓପନ୍‌ କରି କମିସନରେଟ ପୁଲିସ ଏକାଧିକ ଅପରାଧୀଙ୍କୁ ଗିରଫ କରୁଛି। କିନ୍ତୁ କାହିଁକି କେଜାଣି ଏହି ହତ୍ୟାକାଣ୍ଡ ଉପରୁ ପୁଲିସ ନଜର ହଟିଯାଇଛି? ଏ ସମ୍ପର୍କରେ କମିସନରେଟ ପୁଲିସର ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ଏହି ଘଟଣା ତାଙ୍କ ସମୟରେ ଘଟି ନଥିବା କହି ସେ ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ।

ସମ୍ବନ୍ଧିତ ଖବର