ସାଇବର ସେଲ୍ ଟାର୍ଗେଟ୍‌ରେ ୯୦ ଠକ! ଝାଡ଼ଖଣ୍ଡରୁ ଗୁଜୁରାଟ ଯାଏ ସବୁ ଠକଙ୍କ ତାଲିକା କରିଛି ସାଇବର୍ ସେଲ୍

ଭୁବନେଶ୍ବର: ଆଜି କମିସନରେଟ୍ ପୁଲିସ୍ ଏକ ୨ ଜଣ ସାଇବର ଲୁଟେରା ଓ ୫ଜଣ ମୋବାଇଲ୍ ଓ ସିମ୍ ବିକ୍ରେତା ଗ୍ୟାଙ୍ଗ୍‌କୁ ଗିରଫ କରିଛି। ଏହି ଗ୍ୟାଙ୍ଗ୍ ସାଧାରଣତଃ ଲୋକଙ୍କୁ ଫୋନ୍ କରି ୟୁପିଆଇ ଆଇଡି ନେଇ ଠକିବା, କ୍ରେଡିଟ୍ କାର୍ଡ୍ ଇନ୍ସୁରାନ୍ସ କରାଇବା ନାଁ’ରେ ଠକିବା, ବ୍ୟାଙ୍କ୍ ଆକାଉଣ୍ଟ୍ ରିନ୍ୟୁ କରିବା ଭଳି ବିଭିନ୍ନ ଜାଲ ମାଧ୍ୟମରେ ଲୋକଙ୍କୁ ଲୁଟ୍ କରିଥିଲେ। ଯାହାକୁ ନେଇ କମିସନରେଟ୍ ପୁଲିସ୍ ସାଇବର ଠକଙ୍କ ୮୦ରୁ ୯୦ ଜଣିଆ ତାଲିକା ତିଆରି କରିଥିଲା। ତାଲିକାରେ ଏମାନଙ୍କ ବ୍ୟତୀତ ଆହୁରି ୯୦ ସାଇବର୍ ଠକଙ୍କ ନାଁ ଥିବାଳ ସୂଚନା ମିଳିଛି। ଯେଉଁମାନଙ୍କ ଲୋକେସନ୍ ଗୁଜୁରାଟରୁ ଆରମ୍ଭ କରି ଝାଡ଼ଖଣ୍ଡ ପର୍ଯ୍ୟନ୍ତ ରହିଥିବା ପୁଲିସ୍ ତଦନ୍ତ ବେଳେ ଜାଣିବାକୁ ପା‌ଇଛି।

ସମସ୍ତଙ୍କୁ ଧରିବା ସହିତ ଏମାନଙ୍କ ସହ ଜଡ଼ିତ ତଥା ସିମ୍ ଓ ମୋବାଇଲ୍ ବିକ୍ରିରେ ସହଯୋଗ କରୁଥିବା ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଧରିବାକୁ ପୁଲିସ ନୀଳ ନକ୍‌ସା ତିଆରି ସରିଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ଭୁବନେଶ୍ବର ସାଇବର ସେଲ୍‌ର ଏହି ତାଲିକାରେ ଉକ୍ତ ଗିରଫ ଠକଙ୍କ ବ୍ୟତୀତ ନ୍ୟୁଡ୍ କଲ୍ ସ୍କାମ୍ କରୁଥିବା ଠକ, ଫେସବୁକ୍ କ୍ଲୋନିଂ କରି ଟଙ୍କା ମାଗୁଥିବା ଠକ, ମୋବାଇଲ୍‌କୁ ମାଲୱେର୍ ଲିଙ୍କ୍ ପଠାଇ ଟଙ୍କା ଲୁଟୁଥିବା ହ୍ୟାକର୍ ତଥା ବହୁଚର୍ଚ୍ଚିତ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ହେଉଥିବା କହି କ୍ରାଇମ୍‌ବ୍ରାଞ୍ଚ୍ ନାଁରେ ଟଙ୍କା ମାଗୁଥିବା ଠକଙ୍କ ତଥ୍ୟ ରହିଛି। ରାଜ୍ୟର ବିଭିନ୍ନ ପ୍ରାନ୍ତ ସମେତ ରାଜ୍ୟ ବାହାରକୁ ଯାଇ ସାଇବର୍ ସେଲ୍‌ର ଏହି ଟିମ୍ ଠକଙ୍କୁ ଗିରଫ କରିବ ବୋଲି ଜଣାପଡ଼ିଛି। କେବଳ ଏତିକି ନୁହେଁ; ପାଵାର୍ ବ୍ୟାଙ୍କ୍ ଆପ୍ ଜରିଆରେ ରାଜ୍ୟରୁ ଲୁଟ୍ ହୋଇଥିବା ଟଙ୍କା ପଛରେ ସାମିଲ୍ ଥିବା ହ୍ୟାକର୍‌ଙ୍କୁ ମଧ୍ୟ ଧରିବାକୁ ପୁଲିସ ଯୋଜନା ପ୍ରସ୍ତୁତ କରିଛି।

୬ରାଜ୍ୟରୁ ଗିରଫ ହୋଇଛନ୍ତି ୨୫ରୁ ଅଧିକ ସାଇବର ଲୁଟେରା
ଚଳିତ ମାସରେ ବ୍ୟାଙ୍କ୍ ଆକାଉଣ୍ଟ୍ ନାଁ ନେଇ ଠକୁଥିବା ୨୫ରୁ ଊର୍ଧ୍ବ ହ୍ୟାକର୍‌ ଓ ସାଇବର ଠକଙ୍କୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ହରିୟାଣା, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଆଦି ୬ ରାଜ୍ୟରୁ ଗିରଫ କରିଛି ବିଭିନ୍ନ ରାଜ୍ୟର ପୁଲିସ। ମଧ୍ୟପ୍ରଦେଶ ପୁଲିସ୍ ଗତ ଜୁନ୍ ୧୫ରେ ଏକ ୮ଜଣିଆ ସାଇବର୍ ଠକ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ କରିଥିଲା। ଯେଉଁଥିରେ ମଧ୍ୟପ୍ରଦେଶରୁ ୨ଜଣ, ଝାଡ଼ଖଣ୍ଡରୁ ୪ଜଣ ଓ ଆନ୍ଧ୍ରପ୍ରଦେଶରୁ ୨ଜଣ ଲୁଟେରା ରହିଥିଲେ। ପୁଲିସ୍ ସେମାନଙ୍କ ପାଖରୁ ୩ଶହ ନୂଆ ସ୍ମାର୍ଟ ଫୋନ୍ ଓ ୯ଶହ ପୁରୁଣା ତଥା ବ୍ୟବହୃତ ଫୋନ୍, ୧୦୦୦ଟି ବ୍ୟାଙ୍କ ଆକାଉଣ୍ଟ ଓ ଇ-କମର୍ସ ଆଇଡି ଜବତ କରିଥିଲା।

ଏହି ଗ୍ୟାଙ୍ଗ୍ ପ୍ରାୟ ୧୮ଟି ରାଜ୍ୟରେ ୩୫୦ଜଣ ସଦସ୍ୟଙ୍କୁ ନେଇ ସେମାନଙ୍କ ଅପରେସନ୍ ଚଳାଇଥିଲେ। ସେହିଭଳି ଆଜି ପଶ୍ଚିମବଙ୍ଗ ପୁଲିସ୍ ନଦିଆ କରିମପୁର ଅଞ୍ଚଳରୁ ୩ଜଣ ଲୁଟେରାଙ୍କୁ ଗିରଫ କରିଛି। ଚୀନରୁ ସାଇବର ଠକଙ୍କ ସହାୟତାରେ ଏମାନେ ଦେଶ ବ୍ୟାପି ଜାଲ ବିଛାଇ ଲୋକଙ୍କୁ ଲୁଟ୍ କରୁଥିଲେ। ପୁଲିସ୍ ଏମାନଙ୍କ ପାଖରୁ ୮ଶହ ସିମ୍ ଜବତ କରିଛି। ଜୁନ୍ ୨୭ରେ ହରିୟାଣା ପୁଲିସ୍ ସାଇବର ଲୁଟେରାଙ୍କଠାରୁ ୮୭୨ ମୋବାଇଲ୍ ଫୋନ୍ ସମେତ ଦୁଇ ସାଇବର ଲୁଟେରାଙ୍କଠାରୁ ୮୬ଲକ୍ଷ ଟଙ୍କା ଜବତ କରିଥିଲା। ଚଳିତ ମାସରେ ଏକାଧିକ ରାଜ୍ୟରେ ଗୋଟିଏ ପ୍ରକାରର ଅପରେସନ୍ ଅର୍ଥାତ୍ ବ୍ୟାଙ୍କ୍ ନାଁରେ ଠକେଇ କରୁଥିବା ଲୁଟେରାକୁ ଧରିବା ପାଇଁ ହୋଇଥିବା ଯୋଜନାରେ ଏକପ୍ରକାର ସଫଳ ହୋଇଛି ସାଇବର୍ ସେଲ୍

ସମ୍ବନ୍ଧିତ ଖବର