୯୦% ହୋର୍ଡିଂ ଉଜୁଡ଼ିଗଲା

ଭୁବନେଶ୍ବର ଫନି ପ୍ରଭାବରେ ଆଉଟ୍‌ଡୋର୍ ହୋର୍ଡିଂ ବ୍ୟବସାୟ‌ ଭୀଷଣ ପ୍ରଭାବିତ ‌େହାଇଛି। ରାସ୍ତା କଡ଼ରେ ଲାଗିଥିବା ‌ହୋର୍ଡିଂଗୁଡ଼ିକ ପବନ ମାଡ଼ରେ ଭାଙ୍ଗିଯାଇଛି। ବିଏମ୍‌ସି ପକ୍ଷରୁ ଘରୋଇ ସଂସ୍ଥା ଟିମ୍ ଆଡ୍‌ମାର୍କକୁ ଏହି ‌ଆଉଟ୍‌ ଡୋର୍‌ ହୋର୍ଡିଂଗୁଡ଼ିକ ଲିଜ୍ ଆକାରରେ ଦିଆଯାଇଛି। କିଛି ହାତଗଣତି ହୋର୍ଡିଂକୁ ବାଦ୍ ଦେଲେ ୯୦ ପ୍ରତିଶତ ହୋର୍ଡିଂ ଭାଙ୍ଗିଯାଇଛି ବୋଲି ଟିମ୍‌ ଆଡ୍‌ମାର୍କ ପରିଚାଳନା ନିର୍ଦ୍ଦେଶକ ନିଶିକାନ୍ତ ମିଶ୍ର କହିଛନ୍ତି। ବାତ୍ୟା ବେଳେ ବହୁ ହୋର୍ଡିଂ ଭାଙ୍ଗି ରାସ୍ତାରେ ପଡ଼ିଥିଲା। ଗ୍ୟାସ୍ କଟର୍ ସାହାଯ୍ୟରେ ଭଙ୍ଗା ହୋର୍ଡିଂଗୁଡ଼ିକୁ ରାସ୍ତାକୁ କାଟି ଉଠାଇ ଦିଆଯାଇଛି। କିନ୍ତୁ ଏବେ ବି ଏହି କାମ ଜାରି ରହିଛି। ଫୁଟ୍‌ପାଥ୍‌ରେ ଭାଙ୍ଗିପଡ଼ିଥିବା ହୋର୍ଡିଂଗୁଡ଼ିକୁ ଏବେ ଉଠାଯାଉଛି।

ଭୁବନେଶ୍ବରରେ ବ୍ୟବସାୟିକ କାରବାର, ସରକାରଙ୍କ ବିଭିନ୍ନ ସଚେତନତା ବାର୍ତ୍ତାର ପ୍ରସାରଣ ଓ ସାମାଜିକ-ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଚାର, ପ୍ରସାର ପାଇଁ ଗତ କିଛି ବର୍ଷ ହେଲା ଆଉଟ୍‌ ଡୋର୍‌ ହୋର୍ଡିଂ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି। ବିଏମ୍‌ସି ଆୟର ଏହା ଏକ ମୁଖ୍ୟ ଉତ୍ସ ମଧ୍ୟ। କିନ୍ତୁ ବାତ୍ୟାରେ ହୋର୍ଡିଂଗୁଡ଼ିକ ଭାଙ୍ଗିଗଲା ପରେ ଏ ଦିଗରେ ବହୁ ସମସ୍ୟା ସୃଷ୍ଟି ହୋଇଛି। ବର୍ତ୍ତମାନ ହୋର୍ଡିଂଗୁଡ଼ିକର ସ୍ଥିତି ଯାହା, ଏହି ବ୍ୟବସାୟକୁ ସଳଖି ଠିଆ ହେବା ପାଇଁ ଯଥେଷ୍ଟ ସମୟ ଲାଗିବ। ବିଏମ୍‌ସି ପକ୍ଷରୁ ଏ ଦିଗରେ ପ୍ରୋତ୍ସାହନ ଯୋଗାଇବାର ଆବଶ୍ୟକତା ରହିଛି ବୋଲି ଟିମ୍ ଆଡ୍‌ମାର୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର