ପାତ୍ରପଡ଼ା ଛକରୁ ୯୦ କେଜି ଗଂଜେଇ ଜବତ

ଫୁଲବାଣୀରୁ ପୁରୀ ଚାଲାଣ ହେଉଥିଲା, ୩ ଗିରଫ; କାର୍ ଓ ମୋବାଇଲ୍ ଜବତ

ଭୁବନେଶ୍ବର : ବୁଧବାର ସକାଳ ପ୍ରାୟ ୭ଟା ୩୦ରେ ଫୁଲବାଣୀରୁ ପୁରୀ ଚାଲାଣ ହେଉଥିବା ବେଳେ ସ୍ପେସାଲ୍ ସ୍କ୍ବାଡ୍ ଓ ଭରତପୁର ପୁଲିସ ମିଳିତ ଚଢ଼ଉ କରି ପାତ୍ରପଡ଼ା ଛକରୁ ଏକ କାର୍‌ରୁ ୯୦ କେଜି ଗଂଜେଇ ଜବତ କରିଛନ୍ତି। କାର୍‌ଟି ପୁରୀ ଅଭିମୁଖେ ଯାଉଥିବା ବେଳେ ସ୍ପେସାଲ୍ ସ୍କ୍ବାଡ୍ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପାତ୍ରପଡ଼ା ଛକରେ ପହଞ୍ଚିଥିଲା। ଏହା ପରେ ଭରତପୁର ପୁଲିସ ସହଯୋଗରେ କାର୍‌କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ କାର୍ ଡିକିରୁ ୨୮ପୁଟୁଳା ଗଂଜେଇ ମିଳିଥିଲା। ଏହି ଗଂଜେଇ ପୁରୀ ଯିବା ପରେ ସେଠାରେ ସ୍ଥାନୀୟ ଅଞ୍ଚଳରେ ବିକ୍ରି ହୋଇଥାନ୍ତା ବୋଲି ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି।

ଗିରଫ ଅଭିଯୁକ୍ତ ହେଉଛନ୍ତି, କନ୍ଧମାଳ ପିପଳିର ଜୟରାମ ଦିଗାଲ, ରୁଷିଆ ଦିଗାଲ ଓ ସୁଜେଲିର ବିନୋଦ ନାୟକ। ପୁଲିସ ଅଭିଯୁକ୍ତଙ୍କ ଠାରୁ ଏକ ମାରୁତି ସ୍ବିଫ୍ଟ ଡିଜାୟାର୍ କାର୍ ଓ ଏକାଧିକ ମୋବାଇଲ୍ ଫୋନ୍ ଜବତ କରିଛି। ସୂଚନାଯୋଗ୍ୟ ଗତ ୧୦ ତାରିଖ ଏସ୍‌ଟିଏଫ୍ ଖଣ୍ଡଗିରି ଛକରୁ ୧୩୫କେଜି ଗଂଜେଇ ଜବତ କରିଥିଲା ଏବଂ ୩ଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର