ଭୁବନେଶ୍ବର : ଆଜି ଭୁବନେଶ୍ବର ଅବକାରୀ ମୋବାଇଲ୍ ସ୍କ୍ବାଡ୍ ଖଣ୍ଡଗିରି ଭରତପୁର ଅଞ୍ଚଳରୁ ଏକ ଗଞ୍ଜେଇ ଭର୍ତ୍ତି ବଲେରୋକୁ ଜବତ କରିଛି। ଗାଡ଼ି ତଳେ ତିଆରି ହୋଇଥିବା ସ୍ବତନ୍ତ୍ର ଥାକରୁ ପାଖାପାଖି ୯୦ କେଜି ଗଞ୍ଜେଇ ମିଳିଛି। ଏହାର ଆନୁମାନିକ ବଜାର ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଚଢ଼ଉ ବେଳେ ଗାଡ଼ିରୁ ଚାଳକ ଓ ମାଲ୍ ଚାଲାଣର ମୁଖିଆ ବାଘା ଚମ୍ପଟ ମାରିବାରେ ସକ୍ଷମ ହୋଇଥିବା ବେଳେ ସ୍କ୍ବାଡ୍ ହାତରେ ଯାଜପୁର କୁଆଖିଆର ଦେବେନ୍ଦ୍ର ରାଉତ ଧରା ପଡ଼ିଛି। ଦେବେନ୍ଦ୍ର ମୁଖିଆ ବାଘାଠାରୁ ମାଲ୍ ନେଇ ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ ବେପାର କରୁଥିବା ଜଣାପଡ଼ିଛି।
ସୂଚନାନୁସାରେ, ଭରତପୁର ଦୁର୍ଗାମାଧବ ନଗର ନିକଟରେ ବାଘା ଏକ ସରକାରୀ ଜମି ଜବରଦଖଲ କରି ଏକ ଫାର୍ମହାଉସ୍ କରିଛି। ସେଠାରେ ଗଞ୍ଜେଇ ସହ ବ୍ରାଉନ୍ସୁଗାର କାରବାର ହେଉଥିବା ଅଭିଯୋଗ ହୋଇଆସୁଥିଲା। ତେଣୁ ଖୋର୍ଦ୍ଧା ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ମୋବାଇଲ୍ ସ୍କ୍ବାଡ୍ର ଆଇଆଇସି ସମରଜିତ ଦାସ ଆଜି ଏକ ସ୍ବତନ୍ତ୍ର ଟିମ୍ ନେଇ ଏହି ଫାର୍ମହାଉସ୍ ନିକଟରେ ଛକି ରହିଥିଲେ। କନ୍ଧମାଳରୁ ମାଲ୍ ଆସୁଥିବା ଖବର ପାଇ ଟିମ୍ ପ୍ରସ୍ତୁତ ହୋଇଥିଲା। ମାତ୍ର ଫାର୍ମ ହାଉସ୍ ପୂର୍ବରୁ କୌଣସି ସୂତ୍ରରୁ ଖବର ପାଇ ବଲେରୋରୁ ବାଘା ଓ ଚାଳକ ଡେଇଁ ପଳାଇଥିଲେ। କିନ୍ତୁ ଦେବେନ୍ଦ୍ର ଖସି ପାରିନଥିଲା। ବଲେରୋରେ ଲାଗିଥିବା ନମ୍ବର ଓଆର୍୦୨ବିଜି-୩୫୦୦ ଏକ ଜାଲ୍ ନମ୍ବର ବୋଲି ଜଣାପଡ଼ିଛି। ଉକ୍ତ ଗାଡ଼ିରୁ ଅନ୍ୟ ୩ଟି ଜିଲ୍ଲାର ନମ୍ବର ଜାଲ ପ୍ଲେଟ୍ ଜବତ କରାଯାଇଛି। ଏହି ଟିମ୍ରେ ଏସ୍ଆଇ ସୀତାଂଶୁ ମଲ୍ଲିକ, ହୃଦୟଚନ୍ଦ୍ର ସାମନ୍ତ ଓ ସୁଜିତ ମଦୁଲି ପ୍ରମୁଖ ସାମିଲ୍ ହୋଇଥିଲେ।