ଯୋଗଜନ୍ମା ଥିଲେ ପ୍ରଦ୍ୟୁମ୍ନ ବଳ: ଧର୍ମେନ୍ଦ୍ର

ପ୍ରଦ୍ୟୁମ୍ନ ବଳଙ୍କ ୯୦ତମ ଜୟନ୍ତୀ ଓ ପ୍ରଗତିବାଦୀର ସୁବର୍ଣ୍ଣ ଜୟନ୍ତୀର ଦ୍ବିତୀୟ ଦିବସ

ଭୁବନେଶ୍ୱର: ଯୋଗଜନ୍ମା ବ୍ୟକ୍ତିଙ୍କ ଅନୁଚିନ୍ତା ତାଙ୍କ ଅବର୍ତ୍ତମାନରେ ସମାଜକୁ ସମ୍ଭାବନାର ନୂଆ ରାସ୍ତା ଦେଖାଏ। ପ୍ରଦ୍ୟୁମ୍ନ ବଳ ସେଭଳି ଜଣେ ଯୋଗଜନ୍ମା ବ୍ୟକ୍ତି ଥିଲେ। ତାଙ୍କ ଭବିଷ୍ୟବାଣୀ ଆଜିର ସମାଜରେ ସତ୍ୟ ପ୍ରମାଣିତ ହୋଇପାରିଛି। ଦଶନ୍ଧି ଦଶନ୍ଧି ପରେ ସମାଜ ସଂସ୍କାର, ଗରିବ କଲ୍ୟାଣ, ସମାଜିକ ବିଧିବ୍ୟବସ୍ଥା, ଶିକ୍ଷା, ସ୍ବାସ୍ଥ୍ୟ ଓ ପରିବେଶ ଆଦି ସମସ୍ତ କ୍ଷେତ୍ରରେ ତାଙ୍କ କଲମ ମୁନରୁ ଝରି ପଡ଼ିଥିବା ବାର୍ତ୍ତା ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। ପ୍ରଦ୍ୟୁମ୍ନ ବଳଙ୍କ ୯୦ତମ ଜୟନ୍ତୀ ଓ ପ୍ରଗତିବାଦୀର ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଦ୍ବିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହା କହିଛନ୍ତି।

ପ୍ରଦ୍ୟୁମ୍ନ ବଳ ମେମୋରିଆଲ ଟ୍ରଷ୍ଟର ଟ୍ରଷ୍ଟି ତଥା ସାଂସଦ ଅଚ୍ୟୁତ ସାମନ୍ତଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ବିଶିଷ୍ଟ ଅତିଥି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ କହିଲେ, କିଟ୍‌ ଓ କିସ୍‌ ଭଳି ବିଶ୍ବସ୍ତରୀୟ ସଂସ୍ଥାର ମୂଳଦୁଆ ଯେଉଁ ବ୍ୟକ୍ତି ରଖିଥିଲେ, ସେଥିରୁ ତାଙ୍କର ଶିକ୍ଷା ପ୍ରତି ଥିବା ଲକ୍ଷ୍ୟ ପ୍ରତିଫଳିତ ହେଉଛି। ସମ୍ମାନିତ ଅତିଥି ବିଧାୟକ ସୁରେଶ ରାଉତରାୟ ପ୍ରଦ୍ୟୁମ୍ନ ବଳଙ୍କ ସହ ବ୍ୟକ୍ତିଗତ ସଂପର୍କ ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଏନ୍‌ଏମ୍‌ଏର ଅଧ୍ୟକ୍ଷ ପ୍ରଫେସର କିଶୋର ବାସା କହିଲେ, ସାଲିସ କରିବା ପ୍ରଦ୍ୟୁମ୍ନ ବାବୁଙ୍କ ରକ୍ତରେ ନଥିଲା। ତେଣୁ ରାଜନୀତି ଛାଡ଼ି କଲମ ଧରିଥିଲେ। ପ୍ରଗତିବାଦୀ କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଅଧ୍ୟକ୍ଷା ଶାଶ୍ବତୀ ବଳ ଧନ୍ୟବାଦ ଦେଇଥିଲେ। ପରେ ଆୟୋଜିତ ଅଧିବେଶନଗୁଡ଼ିକରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ମତ ରଖିଥିଲେ।

ସମ୍ବନ୍ଧିତ ଖବର